ବିକଶିତ ଭାରତର କଦର୍ଯ୍ୟ ଚେହେରା ଦେଖିବାକୁ ମିଳିଛି । ତାମିଲନାଡୁର ଜନୈକ ୩୬ ବର୍ଷୀୟ ବ୍ୟକ୍ତି ଋଣଟଙ୍କା ପରିଶୋଧ କରି ନପାରି ନିଜର ତିନିଜଣ ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଗଳାକାଟି ଆତ୍ମହତ୍ୟା କରିଛନ୍ତି । ମଙ୍ଗଳବାର ଦିନ ନମକ୍କାଲ ଜିଲ୍ଲାର ଭେପାଗୌଣ୍ଡନପୁଥୁର ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି ।
ପୁଲିସ କହିଛି, ମୃତବ୍ୟକ୍ତିଙ୍କ ନାମ ଗୋବିନ୍ଦରାଜ । ସେ ନୂଆ ଘର ତିଆରି କରିବା ପାଇଁ ଓ ନଳକୂପ ସଂସ୍ଥାଟିଏ କରିବା ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା କରଜ କରିଥିଲେ । ଗୋବିନ୍ଦରାଜଙ୍କର ତିନିଝିଅଙ୍କ ନାମ ପ୍ରତୀକ୍ଷାଶ୍ରୀ, ରିଥିକାଶ୍ରୀ ଓ ଦେବଶ୍ରୀ । ସୋମବାର ରାତିରେ ତିନିଝିଅଙ୍କୁ ଧରି ଗୋବିନ୍ଦରାଜ ଗୋଟିଏ ଘରେ ଶୋଇଥିଲେ । ଅନ୍ୟ ଏକ କୋଠରୀରେ ବର୍ଷକର ପୁଅକୁ କୋଳରେ ଧରି ଶୋଇଥିଲେ ତାଙ୍କ ପତ୍ନୀ ଭାରତୀ ।

ରାତି ପ୍ରାୟ ତିନିଟାରେ ଝିଅମାନଙ୍କର କାନ୍ଦବୋବାଳି ଶୁଣି ପଡୋଶୀ ଲୋକମାନେ ଗୋବିନ୍ଦଙ୍କ ଘରକୁ ଧାଇଁ ଆସିଲେ । ଭାରତୀଙ୍କୁ ତାଙ୍କ ଶୋଇବା ଘରୁ ଉଦ୍ଧାର କଲେ, ଭାରତୀଙ୍କ କୋଠରୀ ବାହାରେ ତାଲା ପକାଇ ଦିଆଯାଇଥିଲା । ଭାରତୀ ଅନ୍ୟ ଘରକୁ ଯାଇ ଦେଖନ୍ତି, ତିନିଝିଅଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରି ଦିଆଯାଇଛି । ସ୍ୱାମୀ ଗୋବିନ୍ଦରାଜଙ୍କ ଗଳାକଟା ମୃତଦେହ ପଡ଼ିଛି । ପାଖରେ ପଡ଼ିଛି ଛୁରୀଟିଏ ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଚାରିଟି ଯାକ ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।