ଗଞ୍ଜାମ ଜିଲ୍ଲା ଅଡୁଆ ହେଲା ଉଚ୍ଚ କଳନ୍ତର! ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ

ଉଚ୍ଚ ସୁଧ କାରବାରର ପର୍ଦ୍ଦାଫାଶ: ଆସିକା ପୋଲିସ ଜାଲରେ ଅଭିଯୁକ୍ତ, ୨୦ରୁ ଅଧିକ ବାଇକ ସହ ନଗଦ ଟଙ୍କା, ମୋବାଇଲ ଓ ଦଲିଲ ଜବତ

ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ମାମୁଁଢିଆ ଗ୍ରାମରେ …

ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ମାମୁଁଢିଆ ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ବେଆଇନ ଉଚ୍ଚ ସୁଧ କାରବାରର ପର୍ଦ୍ଦାଫାଶ କରିଛି ଆସିକା ପୋଲିସ। ମାମୁଁଢିଆ ଗ୍ରାମର ଲକ୍ଷ୍ମଣ ପାଣି ନାମକ ବ୍ୟକ୍ତି ଲୋକଙ୍କୁ ଆର୍ଥିକ ସହାୟତା ଦେବା ଆଳରେ ବିଭିନ୍ନ ଲୋକଙ୍କ ଠାରୁ ମୋଟରସାଇକେଲ, ମୋବାଇଲ ଫୋନ, ଜମିବାଡ଼ି ପଟ୍ଟା ଓ ଅନ୍ୟାନ୍ୟ ଦଲିଲ ବନ୍ଧକ ରଖି ହଜାର ହଜାର ଟଙ୍କା ଉଚ୍ଚ ସୁଧରେ ଋଣ ଦେଉଥିବା ଅଭିଯୋଗ ମିଳିଥିଲା।

ଏହି ଅଭିଯୋଗର ତଦନ୍ତ ପରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆସିକା ପୋଲିସ ଚଢ଼ାଉ କରି ଅଭିଯୁକ୍ତ ଲକ୍ଷ୍ମଣ ପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ସମ୍ପର୍କରେ ଆସିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୋଲିସ ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ବହୁ ପରିମାଣର ନଗଦ ଟଙ୍କା, ମୋବାଇଲ ଫୋନ, ଜମିବାଡ଼ି ସମ୍ବନ୍ଧୀୟ ଦଲିଲ, ପଟ୍ଟା ସମେତ ବନ୍ଧକ ରଖାଯାଇଥିବା ୨୦ରୁ ଅଧିକ ମୋଟରସାଇକେଲ ଜବତ କରାଯାଇଛି। ଏହି ସମସ୍ତ ସାମଗ୍ରୀକୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଲକ୍ଷ୍ମଣ ପାଣିଙ୍କ ନିକଟରେ ସୁଧ କାରବାର କରିବା ପାଇଁ କୌଣସି ସରକାରୀ ଅନୁମତି କିମ୍ବା ବୈଧ ଲାଇସେନ୍ସ ନଥିଲା। ତଥାପି ସେ ଦୀର୍ଘ ଦିନ ଧରି ବେଆଇନ ଭାବେ ଏହି କାରବାର କରି ଅନେକ ଲୋକଙ୍କୁ ଉଚ୍ଚ ସୁଧରେ ଋଣ ଦେଉଥିବା ଏବଂ ସୁଧ ଆଦାୟ କରୁଥିବା ଅଭିଯୋଗ ରହିଛି।

ଏହି ଘଟଣାରେ ଆହୁରି କେତେ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ଅନ୍ୟ କେହି ଏହି କାରବାର ସହ ଜଡ଼ିତ ଅଛନ୍ତି କି ନାହିଁ, ସେନେଇ ଆସିକା ପୋଲିସ ତଦନ୍ତ ଜାରି ରଖିଛି। ପୋଲିସ ସାଧାରଣ ଲୋକଙ୍କୁ ବେଆଇନ ସୁଧ କାରବାରରୁ ଦୂରେ ରହିବା ସହ ଏପରି କାରବାର ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଅନୁରୋଧ କରିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ