ବ୍ରହ୍ମପୁର: ସାଇବର ଠକଙ୍କ ହାତକୁ ଗଣିଦେଲେ ୧୪ ଲକ୍ଷ ଟଙ୍କା । ଏମିତି କି ସଙ୍ଗୀନ ଅପରାଧ କରିଥିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ଗୀତାଞ୍ଜଳି ଦାସ ।
ଠକଙ୍କ ମିଛ ଅଭିଯୋଗକୁ ସତ ମଣି ଡିଜିଟାଲ ଗିରଫଦାରି ଅପବାଦରୁ ରକ୍ଷା ପାଇବା ପାଇଁ ଟଙ୍କାଏ ନୁହେଁ କି ଦୁଇଟଙ୍କା ନୁହେଁ, ୧୪ ଲକ୍ଷ ଟଙ୍କା ଟେକି ଦେଲେ ଜଣେ ଉଚ୍ଚଶିକ୍ଷିତା ମହିଳା ଅଧିକାରୀ । ମ୍ୟାଡାମ୍ ଗୀତାଞ୍ଜଳିଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତଙ୍କୁ ଧରିବା ବଦଳରେ ପୁଲିସ ପ୍ରଥମେ ଗୀତାଞ୍ଜଳିଙ୍କ କାର୍ଯ୍ୟକାଳକୁ ତଦନ୍ତ ପରିସରଭୁକ୍ତ କରନ୍ତୁ । ରାଜ୍ୟ ପୁଲିସ ପକ୍ଷରୁ ସାଇବର ଅପରାଧ କମାଇବା ପାଇଁ ଜୋରଦାର ଅଭିଯାନ ଆରମ୍ଭ ହୋଇଥିବା ବେଳେ ଗୀତାଞ୍ଜଳି ମ୍ୟାଡାମ୍ ସାଇବର ଠକଙ୍କ ହାବୁଡ଼ରେ ପଡ଼ିବା ଅତ୍ୟନ୍ତ ଚିନ୍ତାର ବିଷୟ ।
ଠକଙ୍କ ହାବୁଡ଼ରେ ସାଧାରଣ ଜନତା ପଡ଼ିବା ମାମୁଲି ଘଟଣା । ମାତ୍ର ଉଚ୍ଚ ଶିକ୍ଷିତ ସରକାରୀ ଅଧିକାରୀମାନେ ଠକାମିର ଶିକାର ହେବା ଅନେକଙ୍କୁ ବିସ୍ମିତ କରିଛି । ସୂଚନାଯୋଗ୍ୟ, କିଛି ଠକ ମ୍ୟାଡାମ୍ ଗୀତାଞ୍ଜଳିଙ୍କ ନିକଟକୁ ଫୋନ୍ କରି ନିଜକୁ ଇଡି ଅଧିକାରୀ ଭାବେ ପରିଚୟ ଦେଇ କହିଥିଲେ କି ସୁପ୍ରିମକୋର୍ଟରେ ମ୍ୟାଡାମଙ୍କ ବିରୋଧରେ ଏକ ମାମଲା ବିଚାରାଧୀନ ରହିଛି ଯାହାକୁ ସମାଧାନ ନକଲେ ମ୍ୟାଡାମଙ୍କୁ ଚାରିଦିନ ପାଇଁ ଡିଜିଟାଲ ଗିରଫଦାରିର ସାମ୍ନା କରିବାକୁ ପଡ଼ିବ । ଗିରଫଦାରିରୁ ମୁକ୍ତି ପାଇବା ପାଇଁ ମ୍ୟାଡାମଙ୍କ ନିକଟରୁ ୧୪ ଲକ୍ଷ ଟଙ୍କା ଦାବି କରିଥିଲେ ।