‘ମୁଁ ତାଙ୍କର ମଲା ମୁହଁ ଦେଖିବାକୁ ଚାହେଁ ।’ ଛାତି ଉପରେ ପଥର ରଖି ନିଶାସକ୍ତ ସ୍ୱାମୀଙ୍କ ପ୍ରତି ଏଭଳି ମତବ୍ୟକ୍ତ କରିଛନ୍ତି ଜଣେ ବିବାହିତା ମହିଳା ।
ସଂପୂର୍ଣ୍ଣ ଘଟଣା ଜାଣିବା ପରେ ଆପଣ ମଧ୍ୟ ମହିଳାଙ୍କ ସହିତ ସ୍ୱର ମିଳାଇ ପାରନ୍ତି । ଘଟଣାଟି ଗାଜିପୁର ଥାନା ଅଂଚଳରେ ଘଟିଛି ।
ବିବାହିତା ମହିଳାଙ୍କ ବାରଣ ସତ୍ତ୍ୱେ ତାଙ୍କ ବାପାଙ୍କୁ ପୋଡ଼ି ମାରି ଦିଆଯାଇଛି, ଏଭଳି ଜଘନ୍ୟ କାମ କରିଛନ୍ତି ମହିଳାଙ୍କ ସ୍ୱାମୀ । ରବିବାର ଦିନ ଅଧାପୋଡ଼ା ବୟସ୍କ ଲୋକଟି ପ୍ରାଣ ହରାଇଛନ୍ତି ।
ଅଗଷ୍ଟ ୧୬ ତାରିଖ ଦିନ ଅଧାପୋଡ଼ା ଅବସ୍ଥାରେ ବୟସ୍କ ବ୍ୟକ୍ତିଙ୍କୁ ଲାଲ ବାହାଦୁର ଶାସ୍ତ୍ରୀ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବା ପରେ ଅଭିଯୁକ୍ତଙ୍କ ପତ୍ନୀ ଗଭୀର ମର୍ମାହତ ହୋଇ ପତିଙ୍କ ମରଣ କାମନା କରିଛନ୍ତି ।
ମୃତକଙ୍କ ନାମ ରଣବୀର ସିଂ । ରଣବୀର ଅଟୋ ଚଳାଇ ପରିବାର ପୋଷଣ କରୁଥିଲେ । ପୁଲିସ ଆଗରେ ରଣବୀର କହିଛନ୍ତି ଯେ ତାଙ୍କର ଝିଅ ଦୀର୍ଘଦିନ ଧରି ସ୍ୱାମୀଙ୍କ ନିର୍ଯାତନା ଭୋଗି ଆସୁଛନ୍ତି ।
ଘଟଣାଟି ଥିଲା ଏମିତି, ରଣବୀରଙ୍କ ଝିଅ ନିଶା ୮ ବର୍ଷ ତଳେ ସନ୍ଦୀପଙ୍କୁ ବିବାହ କରିଥିଲେ । ସନ୍ଦୀପ ଜଣେ ନିଶାସକ୍ତ, ଏ କଥା ରଣବୀରଙ୍କୁ ମାଲୁମ ନଥିଲା । ବିବାହ ପରେ ସନ୍ଦୀପଙ୍କ ନିଶାଖୋର ମତିଗତି ଜାଣିବାକୁ ପାଇଲେ ନିଶା । ମାତାଲ ଅବସ୍ଥାରେ ସନ୍ଦୀପ ଅଧିକାଂଶ ସମୟରେ ନିଶାଙ୍କୁ ଗାଳି ଦେଉଥିଲେ, ମାଡ଼ ମାରୁଥିଲେ ।
ଅଗଷ୍ଟ ୧୫ ତାରିଖ ଦିନ ସନ୍ଦୀପଙ୍କ ହାତରୁ ମାଡ଼ ଖାଇ ନିଶା ରାଗରେ ବାପା ରଣବୀରଙ୍କ ଘରକୁ ପଳାଇ ଆସିଥିଲେ । ମାତାଲ ସନ୍ଦୀପ ଶଶୁର ଘରେ ପହଂଚି ସାଙ୍ଗରେ ପତ୍ନୀ ନିଶାଙ୍କୁ ତାଙ୍କ ଘରକୁ ନେବାକୁ ଜିଦ କରିଥିଲା । ଶଶୁର ରଣବୀର ବାଧା ଦେବାରୁ ସନ୍ଦୀପଙ୍କ ମୁଣ୍ଡକୁ ରାଗ ଚଢ଼ି ଯାଇଥିଲା । ଆଗପଛ ବିଚାର ନକରି ପେଟ୍ରୋଲ ଢାଳିଦେଲେ ଶଶୁରଙ୍କ ଉପରେ । ଚଟାପଟ ପକେଟରୁ ଦିଆସିଲି ବାହାର କରି ନିଆଁ ଲଗାଇ ଦେଲେ ।
ପୁଲିସ ଆଗରେ ନିଶା କହିଚନ୍ତି, ସନ୍ଦୀପ କୁଆଡ଼େ ତାଙ୍କୁ ମଧ୍ୟ ପୋଡ଼ି ମାରିଦେବାକୁ ଉଦ୍ୟମ କରୁଥିଲା ? କିଛିଦିନ ତଳେ ତାଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ଖୋଲି ନିଶାଙ୍କୁ ମାରିବାକୁ ଚେଷ୍ଟା କରିଥିଲା । ସନ୍ଦୀପ କେବଳ ମଦ ପିଏନା, ଡ୍ରଗ୍ ସେବନ କରେ ।