ମୋ ବସ କୁ ଲଗାମ ନାହିଁ, ଯୁବକଙ୍କୁ ଲହୁଲୁହାଣ କରି ଡାକ୍ତରଖାନା ପଠାଇଲା

ରାଜଧାନୀରେ ଚାଲିଛି ମୋ ବସ ର ଦାଦାଗିରି । ଟ୍ରାଫିକ ଛକ, ମୁଖ୍ୟ ରାସ୍ତା, ଜନ ଗହଳି ଅଂଚଳ ଗୁଡିକରେ ଚାଳକଙ୍କ କଥା ମାନୁନାହିଁ ମୋ ବସ । ସାମ୍ନାରେ ଯାହାକୁ ପାରିଲା, ତା ଉପରେ ଚଢି ଯାଉଛି ମୋ ବସ ।

ସତେ ଯେପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁରବି ପଣିଆକୁ ଏ ଯାଏ ଭୁଲି ପାରିନି । ବିଶେଷ କରି ବିଜେପି ସରକାର ଗଠନ ପରଠାରୁ ମୋ ବସ ରକ୍ତ ମୁଖ ହୋଇ ଉଠିଛି । ଏକାଧିକ ଦୁର୍ଘଟଣା ଘଟାଇ, ଏକାଧିକ ଲୋକଙ୍କ ଜୀବନ ନେଇ ମୋ ବସ ସେବା କ୍ରମେ ଲୋକଙ୍କ ମନରେ ନାନା ଆଶଙ୍କା ସୃଷ୍ଟି କରିଛି । ପରିସ୍ତିଥି ଏପରି ହୋଇଛି ଲୋକମାନେ ମୋ ବସ ଦେଖିବା ମାତ୍ରେ ଛାନିଆ ।

ମଙ୍ଗଳବାର (୨୫,୦୨, ୨୦୨୫) ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଜଣେ ଯୁବକଙ୍କୁ ଲହୁଲୁହାଣ କରିଛି । ଯୁବକଙ୍କ ନାମ ରଞ୍ଜିତ ବେହେରା ଓ ତାଙ୍କ ଘର ପୁରୀ ଜିଲ୍ଲାରେ । ଗୁରୁତର ଆହତ ଅବସ୍ଥାରେ ସମ୍ପୃକ୍ତ ଯୁବକ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଚାଳକଙ୍କ ମନମାନି କାରଣରୁ ଦୁର୍ଘଟଣା ଘଟୁଛି ଅବା ମୋ ବସ ର ମୁଣ୍ଡ ବିଗିଡି ଯିବାରୁ ଲୋକଙ୍କ ଆଡକୁ ମାଡି ଯାଉଛି, ପୋଲିସ ଠଉରାଇ ପାରୁନି ।