କୁଖ୍ୟାତ ଡ୍ରଗ୍ସ ମାଫିଆ ପିଣ୍ଟୁନା ଗିରଫ

କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଗିରଫ କରିଛି ….

କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଗିରଫ ନିଶା ମାଫିଆ ଜଣଙ୍କ ହେଲେ ଚନ୍ଦକା ଥାନା ନିକଟସ୍ଥ ଅନ୍ଧାରୁଆର ପିଣ୍ଟୁନା ପ୍ରଧାନ । ତାଠାରୁ ପୁଲିସ ୬.୧୦ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିବା ସହ କୋର୍ଟ ଚାଲାଣ କରିଛି । ଭରତପୁର ଥାନାର ଏକ ସ୍ପେଶାଲ ଟିମ ଗତକାଲି ଥାନା ଅନ୍ତର୍ଗତ ଜିଏ କଲୋନୀ ସ୍ଥିତ ମାଳିମା ମନ୍ଦିର ପଛପାଖରେ ଅତର୍କିତ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତଲାସି ବେଳେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୬.୧୦ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ଏକ ମୋଟରସାଇକେଲ ଜବତ କରିଥିଲେ ।

ପଚରାଉଚରା ସମୟରେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିବା ସହ ଉକ୍ତ ବ୍ରାଉନ ସୁଗାରକୁ ଖୋର୍ଦ୍ଧା ଅଞ୍ଚଳରୁ ସଂଗ୍ରହ କରି ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରୟ କରୁଥିବାର ଦର୍ଶାଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଭରତପୁର ଥାନା ପୁଲିସ ଏକ ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ପିଣ୍ଟୁନା ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ପିଣ୍ଟୁନା ପ୍ରଧାନଙ୍କ ନାମରେ ପୂର୍ବରୁ ମଧ୍ୟ ଭରତପୁର ଥାନା ଓ ଲକ୍ଷ୍ମୀସାଗର ଥାନାରେ ଦୁଇଟି ବେଆଇନ ନିଶା କାରବାର ଜନିତ ମାମଲା ରହିଥିବା, ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି ।