ଚେନ୍ନାଇ: ନିଃସନ୍ତାନ ଦମ୍ପତିଙ୍କ ମୁହଁରେ ହସ ଫୁଟାଇବା ଯଦିଓ ମହତ୍ କାମ । କିନ୍ତୁ ଏଭଳି ମହତ୍ କାମ ପାଇଁ ନର୍ସିଂହୋମ ଯାବତୀୟ ବେଆଇନ୍ କାମ କରିବାକୁ ପଛାଉନାହାନ୍ତି । ପବିତ୍ର ସେବାରୁ ପ୍ରଚୁର ଟଙ୍କା ଆୟ କରିବାକୁ ଯାଇ ଚେନ୍ନାଇର ତିନୋଟି ହସ୍ପିଟାଲ ଲାଇସେନ୍ସ ହରାଇଛନ୍ତି । ତା’ ସହିତ କିଶୋରୀଙ୍କୁ ବଳପୂର୍ବକ ହସ୍ପିଟାଲକୁ ନେଇ ଡିମ୍ବାଣୁ ବିକିଥିବା ଅଭିଯୋଗରେ ତିନିଜଣ ଜେଲରେ ଅଛନ୍ତି । ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ସୁବ୍ରମଣ୍ୟନ୍ଙ୍କ ସୂଚନା ଅନୁସାରେ ବେଆଇନ ଡିମ୍ବାଣୁ ସଂଗ୍ରହ କାମରେ ଲିପ୍ତ ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମ୍ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନାରେ ତାଲିକାଭୁକ୍ତ କୌଣସି ହସ୍ପିଟାଲ ଓ ନର୍ସିଂ ହୋମ ଏପରି ବେଆଇନ କାମରେ ଜଡ଼ିତ ଥିବାର ପ୍ରମାଣ ମିଳିଲେ, ସେଗୁଡ଼ିକରେ ମଧ୍ୟ ତାଲା ଲଗାଇ ଦିଆଯିବ ।
ଜୁନ୍ ମାସରେ ସରକାରଙ୍କ ଦୃଷ୍ଟିକୁ ଘଟଣାଟି ଆସିଥିଲା । ଜଣେ କିଶୋରୀଙ୍କୁ ବଳପୂର୍ବକ ଏକ ନର୍ସିଂ ହୋମକୁ ନିଆଯାଇ ଅନିଚ୍ଛା ସତ୍ତେ୍ୱ ଡିମ୍ବାଣୁ ସଂଗ୍ରହ କରାଯାଇଥିଲା । ନର୍ସିଂ ହୋମକୁ ଆସୁଥିବା ସନ୍ତାନହୀନ ଦମ୍ପତିଙ୍କ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ବେଆଇନ୍ ଡିମ୍ବାଣୁ ସଂଗ୍ରହ କରୁଥିବା ଘଟଣା କ୍ରମେ ପ୍ରଘଟ ହୋଇଥିଲା । ରାଜ୍ୟ ସରକାର ପ୍ରକୃତ ଘଟଣା ଜାଣିବା ପାଇଁ ଏକ ତଦନ୍ତ କମିଟି ଗଠନ କରିଥିଲେ । କମିଟି ଅଭିଯୁକ୍ତ ନର୍ସିଂହୋମକୁ ଯାଇ ଡାକ୍ତରଙ୍କୁ ଜେରା କରି ଜାଣିବାକୁ ପାଇଲା ଯେ ଜଣେ ୧୬ ବର୍ଷୀୟା କିଶୋରୀଙ୍କ ସହିତ ତାଙ୍କ ମା’ବାପା ଓ ଦଲାଲ ଡାକ୍ତରଖାନା ପହଂଚିଥିଲେ ।
ମା’ ବାପାଙ୍କ ଜାଣତରେ ଡାକ୍ତରମାନେ କିଶୋରୀଙ୍କଠାରୁ ଡିମ୍ବାଣୁ ସଂଗ୍ରହ କରିଥିଲେ । ଜୁଲାଇ ୭ ତାରିଖରେ ରିପୋର୍ଟ ଦାଖଲ କରିଥିଲା କମିଟି । ଠିକ୍ ୭ ଦିନ ପରେ ଅର୍ଥାତ୍ ୧୪ ତାରିଖରେ ରାଜ୍ୟ ସରକାର ବ୍ୟବସାୟିକ ଭିତ୍ତିରେ ବେଆଇନ୍ ଡିମ୍ବାଣୁ ସଂଗ୍ରହ କରୁଥିବା ଅଭିଯୋଗରେ ସୁଧା ଡାକ୍ତରଖାନାର ଏରୋଡ ଓ ସାଲେମସ୍ଥିତ ଶାଖା, ପେରୁଦୁରାଇସ୍ଥିତ ରାମ ପ୍ରସାଦ ହସ୍ପିଟାଲ ଓ ହୋସୁରସ୍ଥିତ ବିଜୟ ହସ୍ପିଟାଲକୁ ସବୁ ଦିନ ପାଇଁ ବନ୍ଦ କରିଦେଲେ ।