ଜେଲରୁ ବାହାରିବେ ରାମ ରହିମ

ଚଣ୍ଡିଗଡ : ଦୁଷ୍କର୍ମ ମାମଲାରେ ସଜା ଥିବା ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମିତ ରାମ ରହିମ ଜେଲରୁ ବାହାରିବେ । ରାମ ରହିମଙ୍କୁ ଜେଲରୁ ୩ ସପ୍ତାହର ଛୁଟି ଦିଆଯାଇଛି । ଏନେଇ ଜେଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପଞ୍ଜାବ ନିର୍ବାଚନ ପୂର୍ବରୁ ରାମ ରହିମ ଜେଲରୁ ବାହାରିବେ ବୋଲି ସୂଚନା ମିଳିଛି ।

ପୂର୍ବରୁ ଅସୁସ୍ଥ ମାଆଙ୍କୁ ଭେଟିବା ପାଇଁ ତାଙ୍କୁ ଅନେକ ଥର ପାରୋଲ ଦିଆଯାଇଛି । ହରିୟାଣାର ଜଣେ ମନ୍ତ୍ରୀ କହିଛନ୍ତି ଯେ, ଆଇନ ଅନୁସାରେ ସମସ୍ତ କଏଦୀଙ୍କୁ ପାରୋଲ ପାଇବାର ଅଧିକାର ରହିଛି । ଏହା ଡେରା ମୁଖ୍ୟଙ୍କ ଉପରେ ମଧ୍ୟ ଲାଗୁ ହେଉଛି । ସୂଚନାଯୋଗ୍ୟ ଯେ, ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ୩ ସପ୍ତାହର ଛୁଟି ଦିଆଯିବ । ସେହିପରି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ, ରାମ ରହିମଙ୍କୁ ପାରଲୋ ଦିଆଯିବା ନିର୍ବାଚନ ସହ କୌଣସି ସଂପର୍କ ନାହିଁ । ତାଙ୍କୁ ଆଇନ ଆଧାରରେ ଏହି ଛୁଟି ମିଳିଛି । ଏଥିରେ ସରକାରଙ୍କ କୌଣସି ସଂପର୍କ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।