ସ୍ୱାମୀଙ୍କୁ ମାରି ଏକମାସ ହେଲା ଜେଲରେ ସୋନମ, ଭେଟିବାକୁ ଆସୁନାହାନ୍ତି ମା’ବାପା ଓ ଭାଇ

ହନିମୁନ୍ ପାଇଁ ବିବାହିତା ସ୍ୱାମୀଙ୍କ ସହିତ ମେଘାଳୟକୁ ଯାଇ ଓ ସେଠାରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ହାତରେ ଧରାପଡ଼ି ଏବେ ସିଲଂ ଜେଲକୁ ଆଦରି ନେଇଥିବା ଯୁବତୀ ସୋନମ ରଘୁବଂଶୀଙ୍କୁ ଭେଟିବାକୁ ଆସିନାହାନ୍ତି ତାଙ୍କର ଆତ୍ମୀୟ । ଝିଅର କୃତକର୍ମକୁ ଆଦୌ କ୍ଷମା କରିନାହାନ୍ତି ପରିବାର ।
ପରିବାର ଲୋକଙ୍କ ଏଭଳି ଆଚରଣକୁ ମଥା ପାତି ଗ୍ରହଣ କରିଛନ୍ତି ସୋନମ । ଅନ୍ୟ ମହିଳା କୈଦୀଙ୍କ ଭିତରେ ଜଣେ ଆଦରି ନେଇ ସୋନମ ସକାଳୁ ସକାଳୁ ଉଠୁଚନ୍ତି । ଜେଲ ମାନୁଆଲକୁ ମାନି ଚଳୁଛନ୍ତି ।
ଜେଲ ଭିତରେ ସଂପୂର୍ଣ୍ଣ ନିରବ ରହୁଛନ୍ତି । ସାଥୀ କୈଦୀଙ୍କ ସହିତ ବେଶି କଥା ହେଉନାହାନ୍ତି । କୋଉ ଅପରାଧ ଘଟାଇ ଜେଲକୁ ଆସିଛନ୍ତି, ସେ ସଂପର୍କରେ କାହାକୁ କହୁନାହାନ୍ତି ।
ଜେଲ ୱାର୍ଡନଙ୍କ ଅଫିସକୁ ଲାଗି କରି ରହିଥିବା କକ୍ଷରେ ତାଙ୍କୁ ରଖାଯାଇଛି । ସୋନମଙ୍କ ସହିତ ଆଉ ଦୁଇଜଣ ବିଚାରାଧୀନ ମହିଳା କଏଦୀଙ୍କୁ ଗୋଟିଏ କକ୍ଷରେ ରଖାଯାଇଛି । ଜେଲ ପ୍ରଶାସନ ପକ୍ଷରୁ ସୋନମଙ୍କୁ କୌଣସି କାମ କରିବା ପାଇଁ ଦିଆଯାଇନି । ସିଲଂ ଜେଲରେ ୨୦ ଜଣ ମହିଳା କଏଦୀଙ୍କୁ ମିଶାଇ ମୋଟ ୪୯୬ ଜଣ କଏଦୀଙ୍କୁ ରଖାଯାଇଛି ।
ଜେଲ ମାନୁଆଲ ଅନୁସାରେ ସୋନମଙ୍କୁ ତାଙ୍କ ପରିବାର ଲୋକଙ୍କ ସହିତ ଭେଟିବାକୁ ଅନୁମତି ଦିଆଯାଇଛି । କିନ୍ତୁ ପରିବାର ଲୋକ ଜେଲକୁ ନ ଆସିଲେ, ସେ କ’ଣ କରିପାରିବେ ?