ବିଦ୍ୟାଳୟର ଚତୁର୍ଥ ମହଲାରୁ ତଳକୁ ଡେଇଁ ପ୍ରାଣ ହରାଇଲେ ଛାତ୍ରୀ

ଅହମଦାବାଦ: ପାଠ ପଢ଼ିବାକୁ ଯାଇଥିଲେ ବିଦ୍ୟାଳୟକୁ । ଖେଳଛୁଟି ସମୟରେ ଶ୍ରେଣୀକକ୍ଷରେ ଚାରି ପାଂଚଜଣ ସହପାଠୀଙ୍କୁ ଛାଡ଼ିଦେଲେ ଅନ୍ୟମାନେ ପଡ଼ିଆକୁ ଚାଲି ଯାଇଥିଲେ । ଦଶମ ଶ୍ରେଣୀରେ ପଢୁଥିବା ୧୬ ବର୍ଷର ଝିଅଟି କାହାକୁ କିଛି ନକହି ନିର୍ବିକାର ଭାବେ ପାରାପେଟ୍ ଆଡକୁ ମାଡ଼ିଗଲେ । ଶ୍ରେଣୀକକ୍ଷରେ ଥିବା ଝିଅମାନଙ୍କ ନଜର ସଂପୃକ୍ତ ଝିଅଟି ଉପରେ ପଡ଼ିଲା ବେଳକୁ ଡେରି ହୋଇଯାଇଥିଲା । ଝିଅଟିକୁ ବିପଦପୂର୍ଣ୍ଣ ଭାବେ ଠିଆ ହୋଇଥିବାର ଦେଖି ସହପାଠୀମାନେ ବଡ଼ପାଟିରେ ଡାକ ପକାଇଲେ । ଡାକ ଶୁଣି ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଧାଇଁ ଆସିଲେ । ମାତ୍ର ଝିଅଟିକୁ ବଂଚାଇ ପାରିଲେନି । ସେମାନେ କିଛି କରିବା ପୂର୍ବରୁ ଝିଅଟି ତଳକୁ ଡେଇଁ ପଡ଼ିଲେ ।

ଗୁଜରାଟର ଅହମଦାବାଦ ଅନ୍ତର୍ଗତ ନବରଙ୍ଗପୁରାସ୍ଥିତ ସୋମ ଲଲିତ ସ୍କୁଲରେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଝିଅଟିକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଗଲା । ମାତ୍ର ସେତେବେଳକୁ ଡେରି ହୋଇ ଯାଇଥିଲା । ଝିଅଟିର ପ୍ରାଣବାୟୁ ଉଡ଼ିଗଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । କେଉଁ କାରଣ ପାଇଁ ଝିଅଟି ଆତ୍ମହତ୍ୟା କଲେ, କେହି ଜାଣିନାହାନ୍ତି । ବିଦ୍ୟାଳୟ ପରିଚାଳକ କହନ୍ତି, ଝିଅଟି ସେହି ବିଦ୍ୟାଳୟରେ ୫ ବର୍ଷ ଧରି ପଢ଼ି ଆସୁଥିଲେ ।