ଅପହରଣ ନାଟକ ରଚନା ଶେଷ,ଡେଲିଭରି ବଏ ପ୍ରେମିକା ସହ ମଧ୍ୟପ୍ରଦେଶରୁ ଧରାପଡିଲେ

Delivery Boy kidnapping drama is over

ଭୁବନେଶ୍ୱର,(ଏସ୍ ନ୍ୟୁଜ୍) : ପତ୍ନୀଙ୍କୁ ଛାଡି ପ୍ରେମିକା ସହ ଜୀବନ ବିତାଇବା ପାଇଁ ରଚିଥିଲେ ସୁଚିନ୍ତିତ ଷଡଯନ୍ତ୍ର । ହେଲେ ଅଧା ବାଟରେ ସବୁ ଫସର ଫାଟିଗଲା । ଲିଙ୍ଗିପୁର ପାଖ ଦୟା ନଦୀ ନିକଟରୁ ନିଜ ଅପହରଣ ନେଇ ପତ୍ନୀଙ୍କୁ ସୂଚନା ଦେଇଥିବା ଡେଲିଭରି ବଏ ପ୍ରେମିକା ସହ ମଧ୍ୟପ୍ରଦେଶରୁ ରେଳବାଇ ପୁଲିସ ସହାୟତାରେ ଧରିବାରେ ସଫଳ ହୋଇଛି ଧଉଳି ଥାନା ପୋଲିସ ।

ପ୍ରେମ ବିବାହ କରିବାର ଗୋଟିଏ ବର୍ଷ ପୂରଣ ହୋଇନି । ହେଲେ ପୁଣି ଜଣେ ପ୍ରେମିକାକୁ ପ୍ରେମ ଜାଲରେ ଫସାଇ ଦେଇଥିଲେ ଡେଲିଭରି ବଏ ପତିତପାବନ ପୃଷ୍ଟି ଓରଫ ଚୁକନ । ପ୍ରେମିକାକୁ ଅପହରଣ କରି ନେବା ସହ ନିଜେ ଅପହରଣ ହୋଇଗଲେ ବୋଲି କରିଥିଲେ ହାଇପ୍ରୋଫାଇଲ ଡ୍ରାମା । ଏହି ହାଇପ୍ରୋଫାଇଲ ନାଟକର ଚକ୍ରବୁ୍ୟହରେ ନିଜେ ପଡିଗଲେ ଡେଲିଭରି ବଏ । ପ୍ରେମି ଯୁଗଳଙ୍କୁ ମଧ୍ୟପ୍ରଦେଶ ରେଳବାଇ ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ପଟେ ଧଉଳି ଥାନା ଓ ସ୍ପେଶାଲ ସ୍କ୍ୱାର୍ଡର ଦୁଇ ଜଣିଆ ଟିମ ମଧ୍ୟପ୍ରଦେଶ ଗସ୍ତ କରିଥିବା ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଏନେଇ ଶ୍ରୀ ଦାସ କହିଛନ୍ତି ଯେ, ଚିକୁନ ଭୁବନେଶ୍ୱର ଆସିବା ପରେ କାହିଁକି ଏଭଳି ନାଟକ ରଚି ଅନ୍ୟ ଜଣେ ଯୁବତୀଙ୍କୁ ନେଇ ପଳାଇଥିଲା ପଚରାଉଚରା ପରେ ହିଁ ଜଣାପଡିବ ।

ବିବାହ ପୂର୍ବରୁ ପତିତପାବନ ପୁରୀ ଜିଲ୍ଲାର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ବିବାହ ପରେ ମଧ୍ୟ ଏହା ବଳବତର ରହିଥିଲା । ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ବାରମ୍ବାର ଦାବି କରିଥିଲେ । ସେ ବିବାହିତ ଥିବାରୁ ତାଙ୍କୁ ନେଇ ଫେରାର ହେବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ୧୧ ତାରିଖ ରାତିରେ ସେମାନେ ଘରୁ ପଳାଇଥିଲେ । ହେଲେ ପରିବାର ଲୋକଙ୍କୁ ଅନ୍ଧାରରେ ରଖିବା ଲାଗି ସେ ଏକ ନାଟକ ରଚନା କରିଥିଲା । ପରେ ମୋବାଇଲରେ ଏକ ଭଏସ କଲ ସ୍ତ୍ରୀ ପାଖକୁ ପଠାଇଥିଲା । ପରଦିନ ଘଟଣା ପ୍ରଘଟ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଭଏସ କଲକୁ ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ କରି ଏହା ଅପହରଣ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା ।
ପରେ ତା’ ମୋବାଇଲ କଲକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା । ଇତି ମଧ୍ୟରେ ଜଣେ ଯୁବତୀ ନିଖୋଜ ଥିବା ଥାନାରେ ଅଭିଯୋଗ ହୋଇଥିଲା । ଯାହା ପୋଲିସ ପାଇଁ ଖୋରାକ ଯୋଗାଇଥିଲା । ପରେ ମୋବାଇଲକୁ ଯାଂଚ କରିବା ପରେ ଦୁହେଁ ଫେରାର ହୋଇଯାଇଥିବା ପୋଲିସ ସ୍ପଷ୍ଟ ହୋଇଥିଲା । ତଦନ୍ତ ବେଳେ ସେମାନେ ଏବେ ରାଜ୍ୟ ବାହାରେ ଥିବା ପୋଲିସ ଜାଣିବାକୁ ପାଇଛି । କମିଶନରେଟ ପୁଲିସ ରେଳବାଇ ପୁଲିସ ସହ ଯୋଗାଯୋଗ କରିବା ପରେ ଦୁହେଁ ମଧ୍ୟପ୍ରଦେଶ ପଳାଇଥିବା ସ୍ପଷ୍ଟ ହୋଇଥିଲା । ପରେ କମିଶନରେଟ ପୁଲିସ ମଧ୍ୟପ୍ରଦେଶ ରେଳବାଇ ପୁଲିସ ସହ ଯୋଗାଯୋଗ କରିବା ପରେ ଦୁହେଁ ସେଠାରୁ ଧରାପଡିଛନ୍ତି ।