ଯୁବତୀଙ୍କ ପରିବାର ଯୁବକଙ୍କୁ ଡାକିଲେ, ପିଟିପିଟି ମାରିଦେଲେ
ବିବାହ ସଂପର୍କୀତ ଆଲୋଚନା ପାଇଁ ଯୁବତୀଙ୍କ ପରିବାର ଯୁବକଙ୍କୁ ଘରକୁ ଡାକିଲେ । ସଂଘବଦ୍ଧ ହୋଇ ଯୁବକଙ୍କୁ ପିଟିପିଟି ମାରିଦେଲେ ।
ଘଟଣାଟି ଜୁଲାଇ ୨୨ ତାରିଖ ଦିନ ମହାରାଷ୍ଟ୍ରର ପୁଣେ ଅଂଚଳରେ ଘଟିଛି । ମୃତକଙ୍କ ନାମ ରାମେଶ୍ୱର ଘେନଗଟ୍ ଓ ତାଙ୍କ ବୟସ ପ୍ରାୟ ୨୬ ବର୍ଷ ହେବ ।
ପୁଲିସ୍ ସୂତ୍ରରୁ ପ୍ରକାଶ, ରାମେଶ୍ୱର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ରାମେଶ୍ୱରଙ୍କ ନାମରେ ଏକାଧିକ ଅପରାଧିକ ମାମଲା ବିଚାରାଧୀନ ଥିବାର ଜାଣିବା ପରେ ଯୁବତୀଙ୍କ ପରିବାର ବିବାହକୁ ଘୋର ବିରୋଧ କରୁଥିଲେ ।
ଯୁବତୀ ଜଣକ ପରିବାର ଲୋକଙ୍କ କଥାକୁ ଆଦୌ ଗ୍ରହଣ କରି ନଥିଲେ । ସେ ଘରୁ ପଳାୟନ କରି ରାମେଶ୍ୱରଙ୍କୁ ବିବାହ କରିବାକୁ ଅଡ଼ି ବସିଥିଲେ । ଅଗତ୍ୟା ଝିଅ କଥାକୁ ମାନି ନେଇ ପରିବାର ଲୋକ ରାମେଶ୍ୱରକୁ ଘରକୁ ଡାକିଲେ ।
ଜୁଲାଇ ୨୨ ତାରିଖ ଦିନ ରାମେଶ୍ୱର ଯୁବତୀଙ୍କ ଘରେ ପହଂଚି ଥିଲେ । ବିବାହ ଆଲୋଚନା କ୍ରମେ ବିବାଦୀୟ ରୂପ ନେଲା । ଯୁବତୀଙ୍କ ବାପା ପ୍ରଶାନ୍ତ ସାର୍ସାର ଭୀଷଣ ରାଗିଗଲେ । ପରିବାରର ଅନ୍ୟ ଲୋକମାନେ ଏକଜୁଟ୍ ହୋଇ ରାମେଶ୍ୱର ଉପରେ ବିଧା ଗୋଇଠା ମାରିବା ଆରମ୍ଭ କରିଦେଲେ ।
ରାମେଶ୍ୱରଙ୍କ ଯୌନାଙ୍ଗ ଉପରେ ପ୍ରବଳ ଗୋଇଠାମାଡ଼ କରାଯାଇଥିଲା । ସେ ଯନ୍ତ୍ରଣାରେ ଛଟପଟ ହେଉଥିଲା । ତାକୁ ପ୍ରଥମେ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲା । ପରେ ସାସୋନ୍ ଜେନେରାଲ୍ ହସ୍ପିଟାଲକୁ ନିଆଗଲା । ଡାକ୍ତରମାନେ ରାମେଶ୍ୱରକୁ ବଂଚାଇ ପାରିଲେନି ।
ମୃତ ରାମେଶ୍ୱରର ବାପା ରବି କିଷନଙ୍କ ଲିଖିତ ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରି ପ୍ରାୟ ୧୧ ଜଣଙ୍କୁ ଅଭିଯୁକ୍ତ କରିଛି । ସେମାନଙ୍କ ଭିତରୁ ୯ ଜଣଙ୍କୁ ଗିରଫ କରିଛି, ଦୁଇଜଣ ମହିଳା ଅଭିଯୁକ୍ତଙ୍କୁ ପୁଲିସ ଧରିବାକୁ ଉଦ୍ୟମ ଜାରି ରଖିଛି ।