ଯୁବକଙ୍କୁ ଆକ୍ରମଣ କରିବା ଘଟଣାରେ ଗାଡି ମାଲିକଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନନ୍ଦନକାନନ ଥାନା ନିକଟସ୍ଥ ରଘୁନାଥପୁର ବିଦ୍ୟାଧର ବିଶ୍ୱାଳ(୪୩)। ନନ୍ଦନକାନନ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର ରାତି ପ୍ରାୟ ୯.୩୦ ସମୟରେ ଜଣେ ଅଜଣା ବ୍ୟକ୍ତି ଅଭିଯୋଗକାରୀ ଯାଦବ ରାଉତଙ୍କ ରଘୁନାଥପୁର ଗ୍ରାମ ସ୍ଥିତ ଘର ବାହାରେ ପାର୍କିଂ ହୋଇଥିବା ଏକ ବଲେନୋ କାର ଭିତରେ ଶୋଇଯାଇଥିଲେ। ସମ୍ପୃକ୍ତ କାରର ମାଲିକାଣୀ କଲ୍ୟାଣୀ ଜେନା ଉକ୍ତ ବ୍ୟକ୍ତିଙ୍କୁ କାରରୁ ବାହାରକୁ ଆସିବାକୁ କହିବାରୁ, ସେହି ଅଜଣା ବ୍ୟକ୍ତି ଜଣକ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ତା’ପରେ ସେ ସମ୍ପୃକ୍ତ ଅଜଣା ବ୍ୟକ୍ତିଙ୍କୁ ଗାଡ଼ି ଭିତରୁ ବାହାର କରିବା ପାଇଁ
ଅଭିଯୋଗକାରୀଙ୍କ ଭାଇ ମାଧବ ଚନ୍ଦ୍ର ରାଉତଙ୍କୁ ଘଟଣା ସ୍ଥଳକୁ ଡାକିଥିଲେ । ଅଜଣା ବ୍ୟକ୍ତି ଜଣକ ପୁନର୍ବାର ମାଧବ ଚନ୍ଦ୍ର ରାଉତଙ୍କୁ ଦୁର୍ବ୍ୟବହାର କରିବ ସହ ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ । ଫଳରେ ଆଙ୍ଗୁଠିର ନଖ ଅଂଶ ଅଲଗା ହୋଇଯାଇଥିଲା। ମାଧବଙ୍କ ପରିବାର ସଦସ୍ୟ ତାଙ୍କୁ କଟକର ବାଲିକୁଦା, ଗୋପାଳପୁର ସ୍ଥିତ ଏସବିଏମ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏନେଇ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେ ତାଙ୍କର ଦୋଷ ସ୍ୱୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।