ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସେଚ ଡିଭିଜନ୍ ଅଧୀନ ଡହ ମଧ୍ୟମ ଜଳସେଚନ ପ୍ରକଳ୍ପ ଏସ୍ଡିଓ ପଂଚୁ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଥିଲା। ସମାନ ସମୟରେ ୫ଟି ସ୍ଥାନରେ ତଲାସି ଚାଲିଥିଲା। ପଂଚୁଙ୍କ କ୍ୱାର୍ଟର୍ସ ଓ ଘରୁ ନଗଦ ୧୮ ଲକ୍ଷ ଟଙ୍କା ସହ ବିପୁଳ ସୁନା, ଜମି କାଗଜପତ୍ର ଓ ଆର୍ଥିକ ନିବେଶ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ହାତେଇଥିଲା। ଚଢ଼ଉ ବେଳେ ଭଞ୍ଜନଗରରେ ଥିବା ତାଙ୍କ ସରକାରୀ କ୍ୱାର୍ଟର୍ସରୁ ନଗଦ ୩ ଲକ୍ଷ ୭୨ ହଜାର ୮୦୦ ଟଙ୍କା ସମେତ କିଛି ଜରୁରୀ କାଗଜପତ୍ର ଜବତ କରାଯାଇଛି। ସେହିପରି ବ୍ରହ୍ମପୁର ଘରୁ ନଗଦ ୧୫.୧୩ ଲକ୍ଷ ଟଙ୍କା ସହ ଜମି ଓ ଘରକିଣା କାଗଜପତ୍ର ସମେତ ବ୍ୟାଙ୍କ ଓ ପୋଷ୍ଟାଲ୍ ଜମା ଏବଂ ଅନ୍ୟ ଆର୍ଥିକ ନିବେଶ ସମ୍ପର୍କିତ ବହୁ ତଥ୍ୟ ଭିଜିଲାନ୍ସକୁ ମିଳିଛି। ପଂଚୁ ଓ ପରିବାର ସଦସ୍ୟଙ୍କ ନାଁରେ ବ୍ରହ୍ମପୁର ବସନ୍ତବିହାରରେ ୩୫୫୦ ବର୍ଗଫୁଟର ୩ ମହଲା ଘର ଓ ବ୍ରହ୍ମପୁର ସହରରେ ୫ଟି ମୂଲ୍ୟବାନ ଜମି ରହିଥିବା ଜଣାପଡିଛି। ଏଥିସହ ୩୭ ଲକ୍ଷର ଗୋଟିଏ ଜେସିବି ମେସିନ୍ ଓ ୫୭ ଲକ୍ଷର କଂକ୍ରିଟ ମିକ୍ସର ମେସିନ୍, ଗୋଟିଏ ହ୍ୟୁଣ୍ଡାଇ ଆଇ-୨୦ କାର୍ ଓ ୩ଟି ବାଇକ୍ ସମେତ ସୁନାହାର, ଚୁଡି, କାନଫୁଲ, ମୁଦି, ଲକେଟ୍ ସହ ରୁପା ପାଉଁଜି, ମୁଦି ଓ ବ୍ରେସ୍ଲେଟ୍ ଆଦି ଜବତ ହୋଇଛି। ୧ ଗ୍ରାମ୍ରୁ ୧୦ ଗ୍ରାମ୍ ପର୍ଯ୍ୟନ୍ତ ୧୫ରୁ ଅଧିକ ୨୪ କ୍ୟାରେଟ୍ ସୁନା ବିସ୍କୁଟ୍, କେତେକ ରୁପାମୁଦ୍ରା ତାଙ୍କ ବ୍ରହ୍ମପୁର ଘରୁ ମିଳିଛି।
ଶ୍ରୀ ବେହେରା ୨୦୧୧ ସେପ୍ଟେମ୍ବର ୨୭ ତାରିଖରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସହକାରୀ ଯନ୍ତ୍ରୀ ଭାବେ ବିଭିନ୍ନ ଜିଲ୍ଲାରେ କାମ କରିବା ପରେ ସେ ୨୦୨୨ ଏପ୍ରିଲ୍ ମାସରେ ଜଳସେଚନ ବିଭାଗକୁ ବଦଳି ହୋଇ ଏସ୍ଡିଓ ଭାବେ ନିଯୁକ୍ତ ହୋଇଥିଲେ। ମାତ୍ର ୯୩୦୦ ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିବା ଶ୍ରୀ ବେହେରା କୋଟି କୋଟି ଟଙ୍କା କେମିତି ରୋଜଗାର କଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।