କେନ୍ଦୁଝର/ପାଟଣା(ସାକ୍ସୀ ନ୍ୟୁଜ୍): ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପଶି ଭୂମିଜ ସାହିରେ ଏକ ଅଭାବନୀୟ ଘଟଣାରେ ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ସବିତା ଭୂମିଜ।
ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୮ଟା ସମୟରେ ସବିତା ଓ ତାଙ୍କ ସ୍ୱାମୀ ହେମନ୍ତ ଭୂମିଜଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ହେମନ୍ତ କାଠ ଫାଳିଆରେ ସବିତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଫଳରେ ସବିତାଙ୍କ ମୃତ୍ୟୁ ଘଟିଥିଲା।
ରବିବାର ସକାଳେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପାଟଣା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ ଏଏସ୍ଆଇ ଧନେଶ୍ୱର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ।
ପୁଲିସ ଅଭିଯୁକ୍ତ ସ୍ୱାମୀ ହେମନ୍ତ ଭୂମିଜଙ୍କୁ ଗିରଫ କରି ଥାନାକୁ ଆଣିବା ସହ ଘଟଣାର ତଦନ୍ତ ଜାରି ରଖିଛି। କେନ୍ଦୁଝର ରୁ ଅଂଜନ କୁମାର ରଣା ଙ୍କ ରିପୋର୍ଟ ।