ବିବାହିତ ଲିଭ୍‌-ଇନ୍‌-ପାର୍ଟନରକୁ ହତ୍ୟା କଲେ ମହିଳା

ଗୁରୁଗ୍ରାମ: ଜଣେ ୨୭ ବର୍ଷ ବୟସର ମହିଳା ତାଙ୍କ ଲିଭ୍‌-ଇନ୍‌-ପାର୍ଟନରଙ୍କୁ ନିର୍ମମ ହତ୍ୟା କରିଛନ୍ତି । ଗତ ଶନିବାର ଗୁରୁଗ୍ରାମ ଅନ୍ତର୍ଗତ ଡିଏଲ୍‌ଏଫ୍ ଫେଜ୍ ୩ ଅଂଚଳରେ ଏହି ଘଟଣା ଅନେକଙ୍କୁ ମର୍ମାହତ କରିଛି ।

ଘଟଣା ସଂପର୍କରେ ପୁଲିସ କହିଛି, ମୃତକ ମୋବାଇଲରେ ତାଙ୍କ ବିବାହିତା ପତ୍ନୀଙ୍କ ସହିତ କଥା ହେବାରୁ ତାକୁ କେନ୍ଦ୍ର କରି ଦୁହିଁଙ୍କ ଭିତରେ କଳି ଝଗଡ଼ା ଲାଗିଥିଲା । ଯୁକ୍ତିତର୍କରୁ ହାତାହାତି, ହାତାହାତିରୁ କରୁଣ ପରିଣତି ।

ମୃତକଙ୍କ ନାମ ହରିଶ ଶର୍ମା । ଗୁରୁଗ୍ରାମ ଅନ୍ତର୍ଗତ ବଲିଆବାସ ନିବାସୀ । ହରିଶ ଜଣେ ସ୍କ୍ରାପ୍ ବେପାରୀ । ତାଙ୍କର ବିବାହିତା ପତ୍ନୀ ଓ ଦୁଇଟି ଝିଅ ଗ୍ରାମରେ ରହି ଆସୁଛନ୍ତି । ମାତ୍ର ଭଡ଼ା ସୂତ୍ରରେ ଫ୍ଲାଟ ନେଇ ହରିଶ ଯଶମୀତ କୌର ନାମକ ଜଣେ ୨୭ ବର୍ଷୀୟା ମହିଳାଙ୍କ ସହିତ ଡିଏଲ୍‌ଏଫ୍ ଫେଜ୍ ୩ରେ ରହୁଥିଲେ ।

ଶନିବାର ଦିନ ରାତିରେ ଯଶମୀତଙ୍କ କାନରେ ହରିଶ ଓ ତାଙ୍କ ପତ୍ନୀଙ୍କ ଭିତରେ ହେଉଥିବା କଥା ପଡ଼ିଗଲା । ସେଇ କଥାକୁ କେନ୍ଦ୍ର କରି ହରିଶ-ଯଶମୀତଙ୍କ ଯୁକ୍ତିତର୍କ କ୍ରମେ ମାଡ଼ଗୋଳ ପର୍ଯ୍ୟନ୍ତ ପଳାଇଲା । ଯଶମୀତ ରୋଷେଇ ଘରକୁ ଯାଇ ହାତରେ ପରିବାକଟା ଛୁରୀ ଧରି ହରିଶଙ୍କ ଛାତିକୁ ଘନଘନ ଆକ୍ରମଣ କଲେ ।

ହରିଶଙ୍କ ରକ୍ତ ଜୁଡୁବୁଡୁ ଶରୀର ତଳେ ପଡ଼ିଗଲା । ପାଖ ପଡୋଶୀମାନେ ହରିଶଙ୍କୁ ଧରି ଡାକ୍ତରଖାନାରେ ପହଂଚିଲା ବେଳକୁ ସବୁ ସରିଥିଲା । ହରିଶଙ୍କ ଶରୀରରେ ଜୀବନ ନଥିଲା । ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କଲେ । ହରିଶଙ୍କ ପୁତୁରା ଥାନାରେ ଦାଖଲ କରିଥିବା ଅଭିଯୋଗ ମୁତାବକ ଯଶମୀତ କୌର ଓ ବିଜୟ ସେଠୀ ମିଳିତ ଭାବେ ହରିଶଙ୍କୁ ମାରି ଦେଇଛନ୍ତି ।

ଅଭିଯୁକ୍ତ ବିଜୟ ହେଉଛନ୍ତି ହରିଶଙ୍କର ଜଣେ ସାଙ୍ଗ । ସେ ହରିଶଙ୍କ ଫ୍ଲାଟକୁ ଲାଗିକରି ରହିଥିବା ଆଉ ଗୋଟିଏ ଫ୍ଲାଟରେ ଏକୁଟିଆ ରହୁଥିଲେ । ପୁଲିସ ଯଶମୀତଙ୍କୁ ଗିରଫ କରିବା ସହିତ ରକ୍ତଲଗା ଛୁରୀ ଓ ରକ୍ତଭିଜା ଟି-ସାର୍ଟ ଜବତ କରିଛି ।