ନୂଆଦିଲ୍ଲୀ: ଫେବୃଆରୀ ୨୫ ତାରିଖରେ ପୁଣେସ୍ଥିତ ସ୍ୱରଗେଟ୍ ବସ୍ ଟର୍ମିନାଲରେ ଛିଡ଼ା ହୋଇଥିବା ଏକ ଜନଶୂନ୍ୟ ବସ୍ ଭିତରେ ଜଣେ ୨୬ ବର୍ଷୀୟା କର୍ମଜୀବୀ ମହିଳାଙ୍କ ପ୍ରତି ପାଶବିକ ଅତ୍ୟାଚାର କରି ପଳାୟନ କରିଥିବା ଅଭିଯୁକ୍ତକୁ ଧରିବା ପାଇଁ ମହାରାଷ୍ଟ୍ର ପୁଲିସ ପକ୍ଷରୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଅଭିଯୁକ୍ତ ଦତାତ୍ରେୟ ରାମଦାସ ଗାଡେ଼ ଜଣେ ଅଭ୍ୟାସଗତ ଅପରାଧି ଭାବେ ଚିହ୍ନଟ କରିଛି ପୁଲିସ ।
ମହାରାଷ୍ଟ୍ର ପୁଲିସର ବଛା ବଛା ଅଧିକାରୀଙ୍କୁ ମନୋନୀତ କରାଯାଇ ପୃଥକ ପୃଥକ ୧୩ଟି ଦକ୍ଷ ଟିମ୍ ଗଠନ କରାଯାଇଛି । ପୀଡ଼ିତା ଜଣକ ଉକ୍ତ ବସ୍ଷ୍ଟାଣ୍ଡରୁ ପ୍ରାୟ ୧୦୦ କିମି ଦୂରରେ ଅବସ୍ଥିତ ଫାଲଟନ୍କୁ ଯିବା ପାଇଁ ବସ୍କୁ ଅପେକ୍ଷା କରିଥିଲେ । ବସ୍ଟି ଷ୍ଟାଣ୍ଡ ଭିତରେ କୋଉଠି ଗୋଟିଏ ଠିଆ ହୋଇଥିବାର ଦେଖିଛନ୍ତି ବୋଲି ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ଆଗରେ ମିଛ କହିଥିଲା । ଅଭିଯୁକ୍ତଙ୍କ କଥା ଉପରେ ବିଶ୍ୱାସ କରି ପୀଡ଼ିତା ବସ୍ ଖୋଜୁଥିଲା ବେଳେ ଅଭିଯୁକ୍ତ ତାଙ୍କୁ ବଳପୂର୍ବକ ଭାବେ ଶିବସାହୀ ବସ୍ ଭିତରକୁ ନେଇ ଯାଇଥିଲା ଓ ଶାରୀରିକ କ୍ଷୁଧା ମେଂଟାଇଥିଲା । ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ପ୍ରତାପ ସାର୍ନିକ ମାମଲାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି । ସଂପୃକ୍ତ ବସ୍ଷ୍ଟାଣ୍ଡର ସବୁ ସୁରକ୍ଷାକର୍ମୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ମହାରାଷ୍ଟ୍ର ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (ଏମ୍ଏସ୍ଆର୍ଟିସି) ନିଷ୍ପତି ନେଇଛି । ମହାରାଷ୍ଟ୍ର ପୁଲିସ ଅଧିନରେ କାର୍ଯ୍ୟରତ କ୍ରାଇମ୍ ବ୍ରାଂଚ୍ର ଆଠୋଟି ଟିମ୍୍ ଓ ସ୍ୱରଗେଟ୍ ପୁଲିସ ଥାନାର ୫ଟି ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ରାତିଦିନ ଏକ କରି ଦେଇଛନ୍ତି ।