ଆଗାମୀ ସାଧାରଣ ନିର୍ବାଚନ ପରେ ଯେଉଁ ଲୋକସଭା ଗଠିତ ହେବ, ତାହାକୁ ଏକ ଗୋଲାପି ସଭାରେ ପରିଣତ କରିବା ଲକ୍ଷ୍ୟ ହାସଲ ପାଇଁ ସରକାର ସଂସଦର ଚଳିତ ଅଧିବେଶନରେ ଅନ୍ୟୁନ ଦୁଇଟି ବିଲ୍ ଉପସ୍ଥାପିତ କରିବାକୁ ଯାଉଛନ୍ତି। ଯଦି ସରକାରଙ୍କର ଯୋଜନା ସଫଳ ହୁଏ, ସେଇ ଲୋକସଭାର ଅନ୍ୟୁନ ଏକ-ତୃତୀୟାଂଶ ସଦସ୍ୟ ହେବେ ମହିଳା। (ଗୋଲାପି ରଙ୍ଗ ନାରୀମାନଙ୍କର ପ୍ରିୟ ରଙ୍ଗ ରୂପେ ବିବେଚିତ ହେଉଥିବାରୁ, ଏହା ଦ୍ୱାରା ସଂସଦର ରଙ୍ଗ ଗୋଲାପି ହୋଇଯିବ ବୋଲି ମଧୁର ପରିହାସ ଶୁଣିବାକୁ ମିଳିଲାଣି)
ମହିଳାମାନଙ୍କ ପାଇଁ ସଂସଦରେ ଏକ-ତୃତୀୟାଂଶ ସ୍ଥାନ ଆରକ୍ଷଣ ପାଇଁ ଉଦ୍ଦିଷ୍ଟ ‘ନାରୀଶକ୍ତି ବନ୍ଦନ ଆକ୍ଟ (୨୦୨୩)’ କିନ୍ତୁ ବିଧିସମ୍ମତ ଭାବରେ ଆଗାମୀ ୨୦୨୭ ଜନଗଣନା ଓ ତାହା ଅଧାରରେ ହେବାକୁ ଥିବା ନିର୍ବାଚନ କ୍ଷେତ୍ର ପୁନଃନିର୍ଦ୍ଧାରଣ ବା ‘ଡିଲିମିଟେସନ୍’ ସହିତ ସଂଯୁକ୍ତ ହୋଇଥାଏ। ଏହି ସମଗ୍ର ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଓ ସମୟସାପେକ୍ଷ ହୋଇଥିବାରୁ, ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ କାଳେ ତାହା ସଂପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ଆଶଙ୍କା କରି କେନ୍ଦ୍ର ସରକାର ସେଇ ଭାବୀ ‘ଡିଲିମିଟେସନ୍’ ସହିତ ମହିଳା ସ୍ଥାନ ଆରକ୍ଷଣର ସଂପର୍କ ଛିନ୍ନ କରିବା ଉଦ୍ଦେଶ୍ୟରେ ଉପରୋକ୍ତ ଆଇନରେ ସଂଶୋଧନ ଘଟାଇବାକୁ ଯାଉଛନ୍ତି ବୋଲି ପ୍ରକାଶ ପାଇଛି। ଏଥିସହିତ ସଂବିଧାନରେ ମଧ୍ୟ ଆବଶ୍ୟକ ସଂଶୋଧନ ଘଟାଯିବା ଏଇ ଉଦ୍ୟମରେ ଅନ୍ତର୍ଭୁକ୍ତ। ସରକାର ଯଦି ତାଙ୍କର ଏଇ ଉଦ୍ୟମରେ ସଫଳ ହୁଅନ୍ତି, ତେବେ ୨୦୨୯ ସାଧାରଣ ନିର୍ବାଚନ ପରେ ଗଠିତ ଲୋକସଭାର ବର୍ତମାନର ଆସନ ସଂଖ୍ୟା ୫୪୩ରେ ୫୦ ଶତାଂଶ ବୃଦ୍ଧି ଘଟାଯାଇ ସେଥିରେ ୨୭୩ଟି ଅଧିକ ଆସନ ଯୋଗ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି, ଯାହା ଦ୍ୱାରା ନୂତନ ଲୋକସଭାର ମୋଟ ଆସନ ସଂଖ୍ୟା ହେବ ୮୧୬, ଯାହାର ଏକ-ତୃତୀୟାଂଶ ଅର୍ଥାତ୍ ସେଇ ୨୭୩ଟି ଆସନ ମହିଳାମାନଙ୍କ ପାଇଁ ଆରକ୍ଷିତ ରହିବ।
ରାଜନୈତିକ ଦୃଷ୍ଟିରୁ ଦେଖିଲେ ଏହା ଯେ ହେଉଛି ଏକ ଅତ୍ୟନ୍ତ ଚତୁର ଉଦ୍ୟମ, ସେଥିରେ କୌଣସି ସନ୍ଦେହ ନାହିଁ। ଏହି ପଦକ୍ଷେପ ମହିଳା ସ୍ଥାନ ଆରକ୍ଷଣ ପ୍ରତି କ୍ଷମତାସୀନ ସରକାରଙ୍କର ପ୍ରତିବଦ୍ଧତା ପ୍ରମାଣିତ କରିବା ସଙ୍ଗେ ସଙ୍ଗେ ସେଥିଯୋଗୁଁ ବର୍ତମାନ ରାଜନୀତିରେ ସକ୍ରିୟ ଥିବା କୌଣସି ପୁରୁଷ ନେତାଙ୍କର ସ୍ୱାର୍ଥ ବ୍ୟାହତ ହେବାକୁ ଦେଇ ନ ଥାଏ। କାରଣ ଲୋକସଭାର ଉପସ୍ଥିତ ଆସନ ସଂଖ୍ୟାରେ ମହିଳାମାନଙ୍କୁ ଆରକ୍ଷଣଜନିତ ଭାଗ ନ ଦେଇ, ଯେତିକି ସଂଖ୍ୟକ ଅତିରିକ୍ତ ଆସନ ସୃଷ୍ଟି ହେବ, ସେତିକିଟି ଆସନ ହିଁ ସେମାନଙ୍କ ପାଇଁ ଆରକ୍ଷିତ ରହିବ। କିନ୍ତୁ ଏଥିସତ୍ୱେ ଏହି ଉଦ୍ୟମ ପ୍ରତି ସାଂସଦମାନେ କିଭଳି ଆଭିମୁଖ୍ୟ ପ୍ରଦର୍ଶନ କରିବେ, ସେ ନେଇ କୌଣସି ନିଶ୍ଚିତତା ନାହିଁ। ଏଥିପାଇଁ ସଂବିଧାନରେ ମଧ୍ୟ ଯେଉଁ ସଂଶୋଧନ ଲୋଡା ହେବ, ତାହା ସମ୍ଭବ ହେବା ନିମିତ ଅନ୍ୟୁନ ଦୁଇ-ତୃତୀୟାଂଶ ସାଂସଦମାନଙ୍କର ସମର୍ଥନ ମିଳିବା ଆବଶ୍ୟକ, ଯେଉଁଥିପାଇଁ ବିରୋଧୀ ଦଳମାନଙ୍କର ସହଯୋଗ ଅପରିହାର୍ଯ୍ୟ ହୋଇଥାଏ।
ଅତୀତର ଅନୁଭୂତିରୁ ଯାହା ଜଣାପଡିଥାଏ, ତାହା ହେଲା ଭାରତୀୟ ରାଜନୈତିକ ପରିସରରେ ମହିଳା ସ୍ଥାନ ଆରକ୍ଷଣ ପ୍ରତି ଏକ ବିରୋଧର ଅନ୍ତଃସ୍ରୋତ ସର୍ବଦା ପ୍ରବାହିତ ହେଉଥାଏ। ପ୍ରଥମେ ଦେବେଗୌଡା ସରକାର ସମୟରେ ୧୯୯୬ରେ ପାର୍ଲିଆମେଂଟରେ ଏ ସଂକ୍ରାନ୍ତରେ ପ୍ରସ୍ତାବ ଆଗତ ହେବା ପରେ ୧୯୯୮, ୧୯୯୯, ୨୦୦୨, ୨୦୦୩ ଓ ୨୦୦୮ରେ ଏହାକୁ ପାରିତ କରାଯିବା ନିମିତ ନିଷ୍ଫଳ ଉଦ୍ୟମମାନ ହେବା ଦେଖାଯାଇଥିଲା। ‘ଅନ୍ୟାନ୍ୟ ପଛୁଆବର୍ଗ’ ବା ‘ଓବିସି’ ନେତାମାନଙ୍କର ତୀବ୍ର ବିରୋଧ ଏହା ପାରିତ ହେବା ପଥରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା। ଶେଷରେ ୨୦୧୦ରେ ଏହା ପାରିତ ହୋଇଥିଲା ସତ, କିନ୍ତୁ ତାହା ପୁଣି କେବଳ ରାଜ୍ୟସଭାରେ। ତେବେ ନିକଟ ଅତୀତରେ ଭାରତୀୟ ରାଜନୈତିକ ଦୃଶ୍ୟପଟରେ ନାରୀଶକ୍ତିର ପ୍ରଭାବ ଯେଉଁଭଳି ଅଧିକରୁ ଅଧିକ ଅନୁଭୂତ ହେବାରେ ଲାଗିଛି, ସେଥିଯୋଗୁଁ ରାଜନେତାମାନେ ମହିଳା ଆରକ୍ଷଣ ଉଦ୍ୟମର ଖୋଲାଖୋଲି ବିରୋଧ କରିବାକୁ ବର୍ତମାନ ପଛଘୁଂଚା ଦେଇପାରନ୍ତି।
ନିର୍ବାଚନରେ ମତଦାନ ହେଉଛି ଏକ ଗଣତନ୍ତ୍ରର ମୂଳଭିତି। ଏବେ ଏଇ ମୌଳିକ ଗଣତାନ୍ତ୍ରିକ କସରତରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ଉତ୍ସାହର ସହିତ ଅଂଶଗ୍ରହଣ କରିବା ଦେଖାଯାଉଛି। ଉଦାହରଣ ସ୍ୱରୂପ ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନମାନଙ୍କରେ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା କିଂଚିତ ଅଧିକ ସଂଖ୍ୟାରେ ମତଦାନ କରିବା ରେକର୍ଡ ହୋଇଥିବା ବେଳେ ୨୦୨୫ରେ ଅନୁଷ୍ଠିତ ବିହାର ବିଧାନସଭା ନିର୍ବାଚନରେ ମହିଳା ମତଦାତାମାନେ ପୁରୁଷମାନଙ୍କୁ ବହୁ ପଛରେ ପକାଇଦେବା ଦେଖାଯାଇଥିଲା, ଯାହା ସେଠାରେ ନୀତୀଶ କୁମାରଙ୍କ ନେତୃତ୍ୱରେ ‘ଏନ୍ଡିଏ’ର ବିପୁଳ ବିଜୟର ମୁଖ୍ୟ କାରଣ ରୂପେ ବିବେଚିତ ହୋଇଥାଏ। ସେଠାରେ ୭୧.୬ ଶତାଂଶ ମହିଳା ଭୋଟର ମତଦାନ କରିଥିବା ବେଳେ, ମାତ୍ର ୬୨.୮ ଶତାଂଶ ପୁରୁଷ ଭୋଟର ମତଦାନ କେନ୍ଦ୍ରକୁ ଆସି ମତଦାନ କରିବାର କଷ୍ଟ ସ୍ୱୀକାର କରିଥିଲେ।
ମତଦାନ ତଥା ବୃହତର ରାଜନୀତିରେ ଅଂଶଗ୍ରହଣ କରିବା ପାଇଁ ମହିଳାମାନଙ୍କ ଦ୍ୱାରା ପ୍ରଦର୍ଶିତ ଏଭଳି ନୂତନ ଉତ୍ସାହକୁ ନିଜ ପାଇଁ ସମର୍ଥନରେ ପରିଣତ କରିବା ପାଇଁ ଗୋଟିକ ପରେ ଗୋଟିଏ ରାଜ୍ୟରେ କ୍ଷମତାସୀନ ତଥା ବିରୋଧୀ ରାଜନୈତିକ ଦଳମାନେ ସେମାନଙ୍କୁ ତୁଷ୍ଟ କରିବା ଲାଗି କିଭଳି ବିଭିନ୍ନ ସୁବିଧାମାନ ବଂଟନ କରିବାରେ ଲାଗିଛନ୍ତି କିମ୍ବା ସେଥିପାଇଁ ପ୍ରତିଶ୍ରୁତି ଦେବାରେ ବ୍ୟାପୃତ ଅଛନ୍ତି, ତାହା ଏବେ ଦେଶରେ ବୋଧହୁଏ ସର୍ବାଧିକ ଚର୍ଚ୍ଚିତ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି।
ଏଥିସତ୍ୱେ ଲୋକସଭାରେ ମହିଳା ସାଂସଦମାନଙ୍କର ଉପସ୍ଥିତି ଏ ପର୍ଯ୍ୟନ୍ତ ନଗଣ୍ୟ ସ୍ତରରେ ରହିଛି କହିଲେ ଭୁଲ୍ ହେବ ନାହିଁ। ଉଦାହରଣ ସ୍ୱରୂପ ୧୯୫୧-୫୨ରେ ପ୍ରଥମ ଲୋକସଭାରେ ତାହା ମାତ୍ର ୪.୫ ଶତାଂଶ ଥିବାବେଳେ ଚଳିତ ଅଷ୍ଟାଦଶ ଲୋକସଭାରେ ତାହା ତଥାପି ଏକ ଅତ୍ୟନ୍ତ ନୀଚା ୧୩.୬ ଶତାଂଶକୁ ବୃଦ୍ଧି ପାଇଛି। ସାରା ପୃଥିବୀ ପାଇଁ ଏଇ ମହିଳା ପ୍ରତିନିଧିତ୍ୱ ପରିସଂଖ୍ୟାନ ହାରାହାରି ୨୭.୫ ଶତାଂଶ ହୋଇଥାଏ।
ଏଥିଯୋଗୁଁ ପୃଥିବୀରେ ମହିଳା ପ୍ରତିନିଧିତ୍ୱ ମାନ୍ୟତା ତାଲିକାରେ ଭାରତକୁ ପ୍ରଦାନ କରାଯାଇଛି ଏକ ଲଜ୍ଜାଜନକ ଭାବରେ ନୀଚା ୧୪୯ତମ ସ୍ଥାନ, ଯାହା ହେଉଛି ପାକିସ୍ତାନ ଠାରୁ ମଧ୍ୟ ବହୁତ ତଳେ। ଏଥିରେ ଉନ୍ନତି ଘଟାଇବା ପାଇଁ ସରକାର ଯଦି ମହିଳା ଆରକ୍ଷଣ କାର୍ଯ୍ୟକ୍ରମ କରିବା ନିମିତ ୨୦୨୭ ଜନଗଣନା ଭିତିରେ ‘ଡିଲିମିଟେସନ୍’ କାର୍ଯ୍ୟ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି, ତେବେ ଅନ୍ତତଃ ୨୦୩୧ ପୂର୍ବରୁ ତାହା ସମ୍ଭବ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି। ସରକାର ତେଣୁ ଦେଶବ୍ୟାପୀ ଲୋକସଭା ଆସନ ସଂଖ୍ୟାରେ ସିଧାସଳଖ ୫୦ ଶତାଂଶ ବୃଦ୍ଧି ଘଟାଇବାକୁ ବାହାରିଛନ୍ତି। ବିନା ସ୍ଥାନ ଆରକ୍ଷଣରେ ବର୍ତମାନ ଲୋକସଭାରେ ୭୪ ଜଣ ମହିଳା ସାଂସଦ ଉପସ୍ଥିତ ଅଛନ୍ତି। ଯଦି ଏବେ ଯୋଜନା ମୁତାବକ ଆରକ୍ଷଣ କାର୍ଯ୍ୟ କରି ସେମାନଙ୍କ ସହିତ ଲୋକସଭାରେ ଆଉ ୨୭୩ ଜଣ ମହିଳା ସାଂସଦ ଯୋଗ ଦିଅନ୍ତେ ୩୪୭ ଜଣ ମହିଳା ସାଂସଦଙ୍କ ଉପସ୍ଥିତି ସଂସଦକୁ ଏକ ଗୋଲାପି ସଂସଦରେ ପରିଣତ କରିଦିଅନ୍ତା। ଏହା ନିଶ୍ଚିତ ରୂପେ ଏକ ମନୋରମ ଦୃଶ୍ୟ!