ଛେଳିଗୋଡ଼ରେ ବେଙ୍ଗଳା

ଓଡିଆ ଭାଷାରେ ସରକାରୀ କାମ ବାଧ୍ୟତାମୂଳକ ….

ଓଡିଆ ଭାଷାରେ ସରକାରୀ କାମ ବାଧ୍ୟତାମୂଳକ। ଏଥିରେ ଖିଲାପ ଚଳିବନି। କାହାକୁ ଛଡାଯିବନି। ଏମିତି କଡା ତାଗିଦ କରିଛନ୍ତି ମୋହନ ସରକାର। ଥରେ ନୁହଁ କି ଦି’ଥର, ଅତୀତରେ ବହୁବାର ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ଆଖିଦୃଶିଆ ଫଳ ମିଳିନି। ସରକାରଙ୍କ ନାଲିଆଖିକୁ କର୍ମଚାରୀଙ୍କ ଖାତିର ନାହିଁ। ଏବେ କିନ୍ତୁ ସରକାର ସ୍ୱରକୁ ଟିକେ ଟାଣ କରିଛନ୍ତି। ବ୍ଲକ୍‌ରୁ ରାଜ୍ୟସ୍ତର ଯାଏ, ସବୁ ସରକାରୀ କାମ ଓଡିଆରେ ହେବ। ଏହା ନ କଲେ ସଂପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ। ସାଧାରଣ ପ୍ରଶାସନ ବିଭାଗ ଏ ନେଇ ସବୁ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ସମସ୍ତ ଜିଲ୍ଲାପାଳଙ୍କୁ ସାନି ନିର୍ଦ୍ଦେଶ ଜାରି କରିଛି। ଆମ ସରକାରୀ ବାବୁମାନେ କେତେ ଆନ୍ତରିକତା ଦେଖାଉଛନ୍ତି ତାହା ସମୟ କହିବ । ଆମ ମାତୃଭାଷା ଆମ ଜାତିର ମୁକ୍ତିମନ୍ତ୍ର। ଅପୂର୍ବ ଶ୍ରୀମଣ୍ଡିତ ଆମ ଓଡିଆ ଭାଷା। ଅତୀତ ଯେତିକି ଗୌରବମୟ ସେତିକି ପ୍ରାଚୀନ। ‘କହିଲେ କୁଳ କୁଟୁମ୍ବଙ୍କୁ ଲାଜ, ନକହିଲେ କୁଳ ଭାସିଯାଉଛି ।’ ଆମ ଭାଷାର ଅବସ୍ଥା ଦେଖିଲେ ଏମିତି ହିଁ ଲାଗୁଛି। ‘ଓଡିଆ ଅସ୍ମିତା’ର ପ୍ରତିଶ୍ରୁତି ଦେଇ ରାଜ୍ୟରେ ସରକାରକୁ ଆସିଲା ବିଜେପି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଆରେ ସରକାରୀ କାମ କରିବାକୁ ଜୋର ଦେଲେ । ବିଡମ୍ବନା ତାଗିଦ ଓ ନିର୍ଦ୍ଦେଶ ପରେ ବି ଓଡିଆରେ ଲେଖିବାକୁ କୁନ୍ଥକୁନ୍ଥ ହେଉଛନ୍ତି ବାବୁ । ରାଜ୍ୟରେ ଲୋକସେବା ଭବନରୁ ଜିଲ୍ଲାପାଳ ଅଫିସ ଯାଏଁ ୫୦/୬୦ ଜଣ ଅଣ ଓଡିଆ ବାବୁ ଅଛନ୍ତି । ଅଧିକାଂଶ ଓଡିଆ ଏବଂ ଓଡିଆ ମାଧ୍ୟମରେ ପାଠ ପଢ଼ିଛନ୍ତି । କିନ୍ତୁ ନିଜ ମାତୃଭାଷାକୁ ନେଇ ହୀନମନ୍ୟତା କାହିଁକି? ସରକାରୀ ଅଧିକାରୀ ହିଁ ଓଡିଆ ଭାଷା ପାଇଁ କଂଟା ସାଜିଛନ୍ତି । ବର୍ଷ ବର୍ଷ ଧରି ପ୍ରଶାସନିକ ଛଳନାର ଶିକାର ହୋଇଛି ଆମ ଭାଷା । ଏମିତି ଲାଗୁଛି ସରକାରୀ ବାବୁମାନେ ‘ଓଡିଆ ଭାଷା’କୁ ଅଣଦେଖା ଓ ଅବହେଳା କରିବାକୁ ଯେମିତି ପଣ କରିଛନ୍ତି । ସରକାରୀ ଅଫିସ୍‌ରୁ ବାହାରୁଥିବା ନୋଟିସ୍‌, ବିଜ୍ଞପ୍ତି, ପତ୍ର ବିନିମୟ ଓଡିଆରେ ହେବ। ସବୁ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ ଅଫିସ୍‌, ଅଧସ୍ତନ କାର୍ଯ୍ୟାଳୟ, ବିଭିନ୍ନ ନିଗମ, ପୌର ସଂସ୍ଥା ଓ ସ୍ୱୟଂଚାଳିତ ସଂସ୍ଥା ଏହି ନିର୍ଦ୍ଦେଶକୁ ପାଳନ କରିବେ। ପ୍ରଶାସନିକ ଭାଷାକୋଷକୁ ନିରନ୍ତର ଭାବେ ଅପଡେଟ୍‌ କରାଯିବ । ସରକାରୀ ଆଇନ ଓ ନିର୍ଦ୍ଦେଶ ସତ୍ୱେ ବହୁ ବିଭାଗ ବିଭିନ୍ନ ଚିଠି, ନିର୍ଦ୍ଦେଶନାମା ଓଡିଆ ବଦଳରେ ଇଂରାଜୀରେ ଲେଖୁଛନ୍ତି। ଓଡିଶାରେ ଶାସନ ଓ ପ୍ରଶାସନର ଭାଷା ଓଡିଆ ହେବା କଥା । ଏଥିପାଇଁ ସ୍ପଷ୍ଟ ଆଇନ ଅଛି । ହେଲେ ଆଇନକୁ ଲାଗୁ କରିବାକୁ ସରକାରୀ ଇଚ୍ଛାଶକ୍ତି କାଇଁ? ଓଡିଆ ଭାଷାକୁ ସରକାରୀ ଭାଷା ଭାବେ ସରକାର ଗ୍ରହଣ କରି ଆଇନ ଆଣିଲେ। ସରକାରୀ ଓ ବେସରକାରୀ ସବୁକ୍ଷେତ୍ରରେ ଓଡିଆ ଭାଷାର ବ୍ୟବହାର ପାଇଁ ଆଇନରେ ବ୍ୟବସ୍ଥା ହେଲା। ଓଡିଆ ଭାଷାକୁ ପ୍ରୋତ୍ସାହିତ କଲେ ପୁରସ୍କାର, ନିରୁତ୍ସାହିତ କଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଲା। କିଏ ପୁରସ୍କୃତ ହୋଇଛି? କାହାକୁ ଦଣ୍ଡ ମିଳିଛି? ସରକାରୀ ନଥିପତ୍ରରୁ ରାସ୍ତାଘାଟର ସାଇନ୍‌ବୋର୍ଡ ଯାଏ ସବୁଠି ଓଡିଆ ଭାଷା ଅବହେଳା ଓ ଅଣଦେଖାର ଶିକାର। ଆମ ରାଜ୍ୟରେ ଆମ ଭାଷାର ଭାଗ୍ୟ ପଥର ତଳେ। ଆଇନ କରି ଦେଇ ସରକାର ନିଘୋଡ ନିଦରେ ଘୁଙ୍ଗୁ୍‌ଡି ମାରୁଛନ୍ତି। ଆଇନ କାର୍ଯ୍ୟକାରୀ ହେଉନି କାହିଁକି? ଏହାକୁ କିଏ ଦେଖିବ? ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବାବୁମାନେ ଅଳିଆଗଦାକୁ ଫିଙ୍ଗିଦେବା ଆରାମ କରୁଛନ୍ତି । ଦୋକାନ ବଜାର ସହ ବାଣିଜ୍ୟିକ ପ୍ରତିଷ୍ଠାନର ନାମ ମଧ୍ୟ ଓଡିଆରେ ନ ଲେଖିଲେ ଦଣ୍ଡ ମିଳିବ । ଯେଉଁ ଅଧିକାରୀମାନେ ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟାପକ ବ୍ୟବହାର କରିବେ ସେମାନଙ୍କୁ ପ୍ରୋତ୍ସାହନ ମିଳିବ । ଏ ସଂକ୍ରାନ୍ତରେ ଦୁଇଟି ବିଲ୍‌ ବିଧାନସଭାରେ ପାରିତ ହୋଇ ଆଇନରେ ପରିଣତ ହେଲା । ଶୀତଳଭଣ୍ଡାରରେ ଏ ଆଇନ ସାଇତା ହୋଇ ରହିଛି। ଓଡିଆ ଭାଷାରେ ସରକାରୀ କାମ ବାଧ୍ୟତାମୂଳକ ଭାବେ କରିବାକୁ ଓଡିଶା ସରକାରୀ ଭାଷା (ସଂଶୋଧନ) ଆଇନ ହୋଇଛି । ଓଡିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନୟମ ୧୯୫୬ରେ ସଂଶୋଧନ କରିଛନ୍ତି । ସରକାରଙ୍କ ଏ ଆଇନ କିନ୍ତୁ ସେମିତି ଫରୁଆ ଭିତରେ ରହିଛି।

ଭାଷାଟିଏ ମରିଗଲେ, ଜାତିଟିଏ ମରିଯାଏ । ହଜିଯାଏ ପରିଚୟ । ଭାଷା କେବଳ ଜୀବିତ ହୋଇ ରହିଲେ ହେବନି । ଭାଷା ଜୀବନ୍ତ ହେବା ଜରୁରି । ଓଡିଆ ସଭ୍ୟତାର କେନ୍ଦ୍ରରେ ରହିଛି ଆମର ଭାଷାଗତ ସ୍ୱାଭିମାନ । ଶିକ୍ଷାର ମୂଳେ ମାତୃଭାଷା । ଓଡିଆ ଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ । ଏହା ଆମ ଇତିହାସ, ପରମ୍ପରା ଓ ଲୋକକଥାର ଭଣ୍ଡାର ଘର। କାହିଁ କେତେ ପିଢ଼ିରୁ ସାଇତା ଅସରନ୍ତି ଜ୍ଞାନର ଅମାରଘର । ସୃଜନୀ ଶକ୍ତି ଓ ଧୀଶକ୍ତିରେ ପରିପୂର୍ଣ୍ଣ ଆମ ପିଲାମାନେ ମାତୃଭାଷାରେ ଶିକ୍ଷା ଆରମ୍ଭ କଲେ ସେମାନଙ୍କର ସାମଗ୍ରିକ ବିକାଶ ଘଟେ । ଓଡିଆ ଭାଷାର ବର୍ଣ୍ଣବୋଧ ବହି ପିଲାମାନଙ୍କୁ ଘରଠାରୁ ଶ୍ରେଣୀଗୃହ ଏବଂ ଭାଷାଠାରୁ ବିଷୟ ପ୍ରବେଶ ଯାଏ ଏକ ସେତୁବନ୍ଧ ସାଜେ । ନିଜ ମାତୃଭାଷାରୁ ଅନ୍ୟ ଭାଷା ଆଡକୁ ବାଟ କଢ଼ାଇ ନିଏ । ସବୁ ଜାଣି ବି ଆମେ ‘ଓଡିଆ’ ପ୍ରତି ବିମୁଖ । ଇଂରାଜୀ ଶିଖିବା, ସେହି ମାଧ୍ୟମରେ ପାଠ ପଢ଼ିବା ଅପରାଧ ନୁହେଁ । ମାତ୍ର ନିଜ ମାତୃଭାଷାକୁ ଅଣଦେଖା କରିବା କମ୍‌ ମୂର୍ଖାମୀ ନୁହେଁ।

ଭାଷାକୁ ନେଇ ସରକାରଙ୍କ ସବୁ ଘୋଷଣା ମୂଲ୍ୟହୀନ । ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ସରକାରୀ ବାବୁମାନେ ମାରପେଂଚ କରି ବାଟ ଓଗାଳୁଛନ୍ତି। ଗତ ସରକାର ଅମଳରେ ୨୦୧୬ରେ ନିଷ୍ପତି ହେଲା, ରାଜ୍ୟରେ ଶାସନ ଓଡିଆ ଭାଷାରେ ହିଁ ଚାଲିବ। ଦଶନ୍ଧି ବିତିଲାଣି। ସେମିତି ଆଖିଦୃଶିଆ ଆନ୍ତରିକତା ଦେଖିବାକୁ ମିଳୁନି। ସାଧାରଣ ଲୋକଙ୍କୁ ସେବା ଯୋଗାଉଥିବା ବିଭାଗଗୁଡିକ ମଧ୍ୟ ‘ଇଂରାଜୀ’ ପ୍ରେମରେ ଉବୁଟୁବୁ । ପ୍ରଶାସନ ପାଇଁ ଓଡିଆ ଭାଷା ‘ବିଦେଶୀ’, ଇଂରାଜୀ ହେଉଛି ‘ଦେଶୀ’ । ଦେଶର ଅନ୍ୟ ରାଜ୍ୟରେ ଏମିତି ଅବସ୍ଥା ନାହିଁ । ଆମ ଟିକସ ପଇସାରେ ଦରମା ପାଉଥିବା ସରକାରୀ ବାବୁମାନେ ଆମ ମାଟିର ଭାଷାକୁ କେତେଦିନ ହତାଦର କରି ଚାଲିଥିବେ? ଆମ ଭାଷା କେମିତି ଆଗକୁ ବଢ଼ିବ? ମାତୃଭାଷା କାଳେ କାଳେ ବିକାଶର ଶକ୍ତିଶାଳୀ ସାଧନ । ଓଡିଶା ଏବେ ସର୍ବଭାରତୀୟ ମଂଚରେ ଆଗକୁ ବଢ଼ୁଛି । ଓଡିଆ ଭାଷାରେ ଶାସନ, ନବସୃଜନ, ପ୍ରଯୁକ୍ତିବିଦ୍ୟା, ଭେଷଜ ବିଜ୍ଞାନ, କମ୍ପ୍ୟୁଟର, ଉଦ୍ଭାବନ ଓ ଗବେଷଣା ବଢ଼ିଲେ ବିଶ୍ୱସ୍ତରରେ ଆମ ଭାଷା ଆହୁରି ମର୍ଯ୍ୟାଦା ପାଇବ । ‘ଓଡିଆ’ ଭାଷାକୁ ନେଇ ଆମର ଅସହାୟ ଅବସ୍ଥା । ନା ନୂଆ ଶବ୍ଦ ସୃଷ୍ଟି କରୁଛୁ । ନା ଯାହା ଅଛି ତାକୁ ସୁରକ୍ଷା ଦେଇ ପାରୁଛୁ । ନିଜ ମାଟିର ଭାଷା ପାଇଁ ଓକିଲାତି କରିବାକୁ, କଥା କହିବାକୁ, ଶୁଣିବାକୁ କାହାର ବା ବେଳ ଅଛି?

ପୁଞ୍ଜି, ପ୍ରତିଷ୍ଠା ପାଇଁ ଆମେ ଏକମୁହାଁ ହୋଇ ଧାଇଁଛୁ ଯେ ଧାଇଁଛୁ । ମାତୃଭାଷା ପାଇଁ ସମୟ କାହିଁ ଯେ? ଦିନ ଥିଲା ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ିବାକୁ ଲକ୍ଷ ଲକ୍ଷ ଲୋକ ଓଡିଆ ଶିଖିଲେ। ଏବେ କିନ୍ତୁ ଓଡିଆ ଶିଖି ମଧ୍ୟ ଆମେ ଠିକ୍‌ରେ ନା ଲେଖୁଛୁ ନା କହୁଛୁ। ଗଣମାଧ୍ୟମରୁ ଆରମ୍ଭ କରି ସର୍ବସାଧାରଣ ସ୍ଥାନ ସବୁଠି ଓଡିଆଇଂରାଜୀ-ହିନ୍ଦୀ ମିଶା କିମ୍ଭୂତକିମାକାର ଶବ୍ଦର ଅବାଧ ପ୍ରବେଶ । ବହୁ ଓଡିଆ ଶବ୍ଦର ଆକସ୍ମିକ ମୃତ୍ୟୁ କିମ୍ବା ଅପମୃତ୍ୟୁ ହେଉଛି । ଗଣମାଧ୍ୟମରେ ଓଡିଆ ଅକ୍ଷର ଅଛି, ଭାଷା କିନ୍ତୁ ହଜିଗଲାଣି । କେବଳ ସରକାର ନୁହେଁ, ପ୍ରତିଟି ଓଡିଆଙ୍କର ମଧ୍ୟ ଅଛି ଦାୟିତ୍ୱ । ଆମ ଭାଷା ପ୍ରତି ଆନ୍ତରିକତା, ଆବେଗ ପ୍ରକାଶ ପାଇବା ଦରକାର। ସରକାର ଭାଷା ଆଇନକୁ କାର୍ଯ୍ୟକାରୀ କରିବାକୁ ନିଷ୍ଠାପଣ ଦେଖାନ୍ତୁ । ଯଦି ମୋଟର ଯାନ ଆଇନ କଡାକଡି କାର୍ଯ୍ୟକାରୀ ହୋଇପାରୁଛି, ଭାଷା ଆଇନ କାହିଁକି ନୁହେଁ? ଓଡିଆ ଭାଷା କେତେଦିନ ଅଳିଆଗଦାରେ ପଡିଥିବ?