ଗତି ବା ବିକାଶ ଓ ପରିବେଶ ମଧ୍ୟରେ ଅନ୍ତଃଦ୍ୱନ୍ଦ୍ୱ ବରାବର ରହିଆସିଛି । ଶିଳ୍ପାୟନ, ପରିବହନ, ଗମନାଗମନ, ଯୋଗାଯୋଗ, ଭିତିଭୂମିର ବିକାଶ ଏବଂ ପାରମ୍ପରିକ ଜୀବନଶୈଳୀରେ ଦ୍ରୁତ ପରିବର୍ତନ ବିକାଶର ଗୋଟିଏ ଗୋଟିଏ ମାପକାଠି। ବିକାଶ ଏକ ନିରନ୍ତର ପ୍ରକ୍ରିୟା। କଥିତ ଅଛି, ସଭ୍ୟତାର ସୃଷ୍ଟି ଓ ବିକାଶ ଗୋଟିଏ ସମୟରୁ ହିଁ ଆରମ୍ଭ ହୋଇଛି। ବଣ, ଜଙ୍ଗଲରୁ ଫଳମୂଳ, ସଂଗ୍ରହ କରି ଓ କଂଚାମାଂସ ଭକ୍ଷଣ କରି ଜୀବନଧାରଣ କରୁଥିବା ଆଦିମାନବ ପାଇଁ ନିଆଁ ହିଁ ଥିଲା ପ୍ରଥମ ବୈଜ୍ଞାନିକ ଆବିଷ୍କାର । ନିଆଁ ବା ଅଗ୍ନି ବ୍ୟବହାର କରିବାର କଳାକୌଶଳ ଆୟତ କରିବା ସହ ବିକାଶର ଅଙ୍କୁରୋଦଗମ ହୋଇଥିଲା। ଏବେ ବି ବିକାଶ ପ୍ରକ୍ରିୟା ଜାରି ରହିଛି। କିନ୍ତୁ ବିଗତ କିଛି ଦଶନ୍ଧି ଧରି ଲକ୍ଷ୍ୟ କରାଯାଉଛି କ୍ରମାଗତ ଭାବେ ଜନସଂଖ୍ୟା ବୃଦ୍ଧି ଓ ଲୋକଙ୍କର ପରିବର୍ତିତ ଜୀବନଶୈଳୀ, ପୃଥିବୀରେ ଉପଲବ୍ଧ ପ୍ରାକୃତିକ ସମ୍ବଳ ଓ ତାର ପରିବେଶ ଉପରେ ଗଭୀର ଚାପ ସୃଷ୍ଟି କରୁଛି । ଏହା ପଛର ମୂଳ କାରଣ ହେଲା ଶକ୍ତି । ଶକ୍ତି ହିଁ ବିକାଶର ଚାବିକାଠି । ବିକାଶର ଅଭିବୃଦ୍ଧି ସହିତ ତାଳଦେଇ କ୍ରମାଗତ ଭାବେ ବୃଦ୍ଧି ପାଉଛି ଶକ୍ତିର ଆବଶ୍ୟକତା। ଶକ୍ତି ଏକ ମୌଳିକ ଉପାଦାନ ଏବଂ ସମସ୍ତ ପ୍ରକାର ଉତ୍ପାଦକ ପ୍ରକ୍ରିୟାର ପ୍ରାଥମିକ ଉପଚାର । ସାର୍ବଜନୀନ ଭାବେ ଏକଥା ସ୍ୱୀକୃତ ହୋଇସାରିଛି ଯେ, ଶକ୍ତିର ସୁବିନିଯୋଗ ଫଳରେ ବିଶ୍ୱ ଦେଶ ତଥା ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ନିରନ୍ତର ମାନବ ସମ୍ବଳ ବିକାଶ ସମ୍ଭବ ହୋଇପାରିବ।
ମନୁଷ୍ୟର ମସ୍ତିଷ୍କରେ ବୈଜ୍ଞାନିକ ଓ ବୈଷୟିକ ଜ୍ଞାନର ଯେଉଁ ଅଭିବୃଦ୍ଧି ଘଟିଲା ତାର ପରିପ୍ରକାଶ ହେଲା ବିକାଶର ପ୍ରଥମ ସୋପାନ କୃଷି ବିପ୍ଳବ। ଦ୍ୱିତୀୟ ସୋପାନ ଶିଳ୍ପବିପ୍ଳବ। ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଶିଳ୍ପବିପ୍ଳବ ପରବର୍ତୀ ପର୍ଯ୍ୟାୟରେ ଜୀବାଶ୍ମ ଇନ୍ଧନର ବ୍ୟବହାର କ୍ରମଶଃ ବଢ଼ି ଚାଲିଲା। ବିଗତ ୨୦୧୩ ମସିହା ପରଠାରୁ ଆମେ ଦେଖିଆସୁଛେ ପ୍ରାଥମିକ ଶକ୍ତି ବ୍ୟବହାରରେ ଭାରତର ସ୍ଥାନ ବିଶ୍ୱରେ ତୃତୀୟ । ବର୍ଦ୍ଧିତ ଜନସଂଖ୍ୟା, ଦ୍ରୁତ ଶିଳ୍ପାୟନ ଏବଂ ବ୍ୟାପକ ଭିତିଭୂମି ବିକାଶ ଏହାର ପ୍ରମୁଖ କାରଣ। ବର୍ଷକୁ ଆମ ଦେଶରେ ପ୍ରାୟ ୧୭୦,୦୦୦ ମେଗାୱାଟ ଶକ୍ତି ବିଭିନ୍ନ ସୂତ୍ରରୁ ଉତ୍ପାଦିତ ହୋଇଥାଏ। ତନ୍ମଧ୍ୟରୁ ଶତକଡା ୭୩ କେବଳ ଜୀବାଶ୍ମ ଇନ୍ଧନରୁ ମିଳିଥାଏ। କୋଇଲାରୁ ୪୨ ଭାଗ ତାପଜ ଶକ୍ତି, ପେଟ୍ରୋଲ, ଡିଜେଲ ଆଦି ଇନ୍ଧନରୁ ୨୪ ଭାଗ ଏବଂ ପ୍ରାକୃତିକ ବାଷ୍ପରୁ ମିଳୁଥିବା ୭ ଭାଗ ଶକ୍ତି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ଏହି ଶକ୍ତିର ସିଂହଭାଗ ପରିବହନ ଓ ଶିଳ୍ପାୟନ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ। ଉଭୟ ପରିବହନ ତଥା ଗମନାଗମନ ଓ ଶିଳ୍ପାୟନ ପ୍ରଗତିର ପ୍ରତୀକ। କିନ୍ତୁ ଏହି ଦୁଇ କ୍ଷେତ୍ରରୁ ବାୟୁମଣ୍ଡଳକୁ ସବୁଜ କୋଠରି ବାଷ୍ପର ଉତ୍ସର୍ଜନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ସବୁଜ କୋଠରି ବାଷ୍ପର ମୁଖ୍ୟ ଖଳନାୟକ ହେଉଛି ଅଙ୍ଗାରକାମ୍ଳ ବାଷ୍ପ, ଯାହାର ୮୦ ଭାଗ ଜୀବାଶ୍ମ ଦହନରୁ ଏବଂ ଅବଶିଷ୍ଟ ୨୦ଭାଗ ଜଙ୍ଗଲ ଅବକ୍ଷୟରୁ ଆସିଥାଏ। କୃଷି, ଶିଳ୍ପ ଏବଂ ପରିବହନକୁ ଆଧାର କରି ମନୁଷ୍ୟ ଜାତି ଯେବେ ବିକାଶର ପାହାଚ ଚଢ଼ିବାକୁ ଆରମ୍ଭ କଲା, ତା’ର ପ୍ରତିଟି ପଦକ୍ଷେପ ପରିବେଶ ଓ ପାରିପାଶ୍ୱିର୍କ ବାତାବରଣକୁ ଅସନ୍ତୁଳିତ କଲା। ପରିବେଶର ଦ୍ରୁତ ଅବନତି ଘଟିଲା, ଅସ୍ଥିରତା ସୃଷ୍ଟି ହେଲା। ଏହି ପୃଷ୍ଠଭୂମିରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ- ପରିବେଶର ସୁରକ୍ଷା ବା ସନ୍ତୁଳନ କ’ଣ ପରିବେଶର ସ୍ଥାଣୁତ୍ୱ। ଉତର ଯଦି ହଁ ହୁଏ, ତେବେ ପରିବେଶ ଓ ବିକାଶ ମଧ୍ୟରେ ଅନ୍ତଃଦ୍ୱନ୍ଦ୍ୱ ଦେଖାଦେବା ସ୍ୱାଭାବିକ। କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ନା ଆମେ ବିକାଶକୁ ଛାଡିପାରିବା, ନା ପରିବେଶକୁ ଜଳାଞ୍ଜଳି ଦେଇପାରିବା। ପରିବେଶ ଓ ପ୍ରଗତି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍। ଉଭୟ ପରସ୍ପରକୁ ବିରୋଧାଭାଷ ନକରି ବରଂ ପରିପୂରକ ହେବା ଆବଶ୍ୟକ। ସୁପରିଚାଳନା ଓ ସୁସମନ୍ୱୟ ଫଳରେ ପରିବେଶର ସୁରକ୍ଷା ତଥା ସଂରକ୍ଷଣ ସାଙ୍ଗକୁ ସହନୀୟ ବା ନିରନ୍ତର ପ୍ରଗତି ହାସଲ ହୋଇପାରିଲେ ଯେକୌଣସି ଦେଶ ବା ରାଜ୍ୟର ପୂର୍ଣ୍ଣାଙ୍ଗ ବିକାଶ ଘଟିପାରିବ। ବିକାଶ ହେଉ, ବିକାଶ ହେବା ମଧ୍ୟ ଜରୁରି। କିନ୍ତୁ ତାହା ପରିବେଶକୁ ଧ୍ୱଂସ କରି ନହେଉ। ବିକାଶ ପେକ୍ଷାପଟ୍ଟରେ ଅସନ୍ତୁଳିତ ପରିବେଶର ନକାରାତ୍ମକ ପ୍ରଭାବକୁ ହ୍ରାସ କରିବାକୁ ହେଲେ ଆମକୁ ସବୁଜ ଅଭିଯାନରେ ସାମିଲ ହେବାକୁ ହେବ । ସେଥିପାଇଁ ଏବେ ଗ୍ରହଣ କରାଯାଉଥିବା ଯୋଜନାକୁ ‘ସବୁଜ ଯୋଜନା’ରେ ରୂପାନ୍ତରିତ କରିବାର ପ୍ରୟାସ ଚାଲିଛି । ସବୁଜ ଅଟ୍ଟାଳିକା, ସବୁଜ ଭିତିଭୂମି, ସବୁଜ ଶକ୍ତି, ସବୁଜ ଶିଳ୍ପ, ସବୁଜ ଅର୍ଥନୀତି, ସବୁଜ ପରିବହନ, ସବୁଜ ଉଦ୍ଜାନ, ସବୁଜ ପର୍ଯ୍ୟଟନ ଇତ୍ୟାଦି । ଏହି ପୃଷ୍ଠଭୂମିରେ ଦେଶରେ ଯେଉଁ ସବୁଜ ବିକାଶର ପରିକଳ୍ପନା କରାଯାଉଛି, ତାହାର ମୁଖ୍ୟ ଆଧାର ହେଉଛି ନବୀକରଣୀୟ ଶକ୍ତି ଉତ୍ପାଦନ ବୃଦ୍ଧି ଏବଂ ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ।
ନବୀକରଣୀୟ ଶକ୍ତିର ଉତ୍ପାଦନ ତଥା ପ୍ରାବଧାନ ବୃଦ୍ଧି ଦିଗରେ ଭାରତ ଦୃଢ଼ ଭାବେ ସମର୍ପିତ। ଏହି ଶକ୍ତିର ଅର୍ଦ୍ଧାଧିକ ସୌରଶକ୍ତିରୁ ଆସିବ। ଦେଖିବାକୁ ଗଲେ, ୨୦୧୪ ମସିହା ପରଠାରୁ ପ୍ରତିବର୍ଷ ଆମ ଦେଶର ବଜେଟରେ ନବୀକରଣୀୟ ଶକ୍ତି ବା ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରାବଧାନ ରଖାଯାଉଛି । ୨୦୨୫ ମସିହାରେ ପ୍ୟାରିସ ଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ଜଳବାୟୁ ସମ୍ମିଳନୀ କପ୍-୨୧ରେ, ଭାରତ ଓ ଫ୍ରାନ୍ସ ମିଳିତ ଭାବେ ଯେଉଁ ଆନ୍ତର୍ଜାତିକ ସୌର ସଂଗୋଷ୍ଠୀର ମୂଳଦୁଆ ପକାଇଥିଲେ, ସେଥିରେ ଏବେ ୧୨୦ଟି ରାଷ୍ଟ୍ର ଅଂଶୀଦାର ଅଛନ୍ତି । ପୁନଶ୍ଚ ୨୦୨୧ ନଭେମ୍ବର ମାସରେ ‘ଗ୍ଲାସଗୋ’ଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ଜଳବାୟୁ ସମ୍ମିଳନୀରେ ଭାରତ ଆହ୍ୱାନ ଦେଇଥିଲା ‘ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ ଏବଂ ଗୋଟିଏ ଗ୍ରୀଡ’ । ବିଷୁବକ୍ରାନ୍ତି ଓ କର୍କଟକ୍ରାନ୍ତି ମଧ୍ୟରେ ଅବସ୍ଥିତ ଆମ ଦେଶକୁ ବର୍ଷରେ ୩୦୦ଟି ଖରାଦିଆ ଦିନ ମିଳିଥାଏ । ଦେଶର ପ୍ରାୟ ୨୦,୦୦୦ ମେଗାୱାଟ ସୌରଶକ୍ତି ଉତ୍ପାଦନର କ୍ଷମତା ରହିଛି । ସେହିପରି ପବନ ଶକ୍ତିର କ୍ଷମତା ମଧ୍ୟ ୪୦,୦୦୦ ମେଗାୱାଟ, ବିଶ୍ୱରେ ଭାରତ ନବୀକରଣୀୟ ଶକ୍ତି କେନ୍ଦ୍ର ପ୍ରତିଷ୍ଠାରେ ଚତୁର୍ଥ ସ୍ଥାନରେ ଅଛି । ସୌରଶକ୍ତି ଉତ୍ପାଦନ ଓ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଆମ ଦେଶର ସ୍ଥାନ ବିଶ୍ୱରେ ଚତୁର୍ଥ । କିନ୍ତୁ ବିଶେଷକରି ପବନ ଶକ୍ତି ଓ ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ଆମର ଦକ୍ଷତା ବଢ଼ାଇବାକୁ ପଡିବ ।
ଚଳିତ ବର୍ଷ ସୁଦ୍ଧା, ଭାରତ ଅଣଜୀବାଶ୍ମ ଇନ୍ଧନ ବ୍ୟବହାର କରି ବିଜୁଳି ଶକ୍ତି ଉତ୍ପାଦନ ହ୍ରାସର ୫୦ ପ୍ରତିଶତ ଲକ୍ଷ୍ୟ, ଯାହା ୨୦୩୦ ସୁଦ୍ଧା ହାସଲ କରିବାର ଥିଲା, ତାହା ୫ବର୍ଷ ପୂର୍ବରୁ ହାସଲ କରିସାରିଛି। ୨୦୭୦ ମସିହା ସୁଦ୍ଧା ଆମେ ଶୂନ୍ୟ କାର୍ବନ ଉତ୍ସର୍ଜନ ଲକ୍ଷ୍ୟ ରଖିଛୁ। ପରିବହନ କ୍ଷେତ୍ରରେ ମଧ୍ୟ ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ କରିବା ନିମନ୍ତେ ଆମ ଦେଶ ଅଙ୍ଗୀକାରବଦ୍ଧ । ସାମଗ୍ରୀ ପରିବହନ କ୍ଷେତ୍ରରେ ଜଳ ପରିବହନକୁ ଅଧିକ ଗୁରୁତ୍ୱ ଦେବାର ପ୍ରୟାସ ଆରମ୍ଭ ହୋଇଛି । ବର୍ତମାନ ସମୁଦ୍ର ପଥରେ କେବଳ ୫ ପ୍ରତିଶତ ଏବଂ ନଦୀନାଳରେ ମାତ୍ର ୨ ପ୍ରତିଶତ କାର୍ଗୋ ପରିବହନ ହେଉଛି । ନଦୀ ସଂଯୋଗୀକରଣ ଏ ଦିଗରେ ଅନ୍ୟ ଏକ ଉଦ୍ୟମ । ଯାନବାହନରେ ବ୍ୟବହୃତ ହେଉଥିବା ଡିଜେଲରେ ଜୈବିକ ଇନ୍ଧନ ୫ରୁ ୧୦ ପ୍ରତିଶତ ମିଶ୍ରଣ କରାଯାଉଛି । ସେହିପରି ପେଟ୍ରୋଲରେ ୧୦ ପ୍ରତିଶତ ଇଥାନଲ ମିଶ୍ରଣର ଯେଉଁ ଲକ୍ଷ୍ୟ କରାଯାଇଥିଲା ତାହା ୨୦୨୧-୨୦୨୨ ସୁଦ୍ଧା ହାସଲ ହୋଇସାରିଛି ଏବଂ ୨୦୩୦ ସୁଦ୍ଧା ୨୦% ଇଥାନଲ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି । ପ୍ୟାରିସ ଜଳବାୟୁ ଚୁକ୍ତିନାମା ଅନୁଯାୟୀ ଅନେକ ଦେଶ ୨୦୩୦ ସୁଦ୍ଧା ୩୦% ପରିବହନଜନିତ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟରେ ସହମତ ହୋଇଛନ୍ତି। ସେହି କ୍ରମରେ ଆମ ଦେଶରେ ମଧ୍ୟ ଉଭୟ ଦୁଇଚକିଆ, ତିନିଚକିଆ ଓ ଚାରିଚକିଆ ବିଶିଷ୍ଟ ଇଲେକଟ୍ରିକ ଯାନ ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବଜେଟରେ ବିଭିନ୍ନ ପ୍ରାବଧାନ ରଖାଯାଇଛି । ଇଲେକଟ୍ରିକ ଯାନ ଉତ୍ପାଦନ ଓ ବିକ୍ରି ଉପରେ ସବସିଡି ମିଳୁଛି । ହାଇଡ୍ରୋଜେନ ବା ଉଦଜାନ ସବୁଠାରୁ ହାଲୁକା ମୌଳିକ ଉତ୍ପାଦନ । ଇନ୍ଧନ ରୂପେ ବ୍ୟବହାର କଲେ ଏହା ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ । ତେଣୁ ଦେଶରେ ସବୁଜ ଉଦଜାନ ବ୍ୟବହାର ଯୋଜନାରେ ସାମିଲ ହେବାପାଇଁ ବେସରକାରୀ ସଂସ୍ଥାମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ଏହା ବ୍ୟତୀତ ପ୍ରଥମ ପର୍ଯ୍ୟାୟରେ ୧୫ବର୍ଷର ପୁରୁଣା ଯାନବାହନକୁ ହଟେଇବା ଦେବା ପାଇଁ ୩୦୦୦କୋଟି ଟଙ୍କାର ବ୍ୟୟ ବରାଦ ବଜେଟରେ କରାଯାଇଛି । ଏହାଫଳରେ ପରିବହନ କ୍ଷେତ୍ରରୁ ହେଉଥିବା ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇବ।
ମୋଟାମୋଟି ଦେଖିବାକୁ ଗଲେ, ସବୁଜ ବିକାଶ ବା ଅଭିବୃଦ୍ଧି ଦେଶର ବଜେଟରେ ଦିଆଯାଇଥିବା ୭ଗୋଟି ପ୍ରାଥମିକ ଅଗ୍ରାଧିକାର ମଧ୍ୟରୁ ଅନ୍ୟତମ । ପରିବେଶ ସ୍ପୃହଣୀୟ କୃଷିବ୍ୟବସ୍ଥା, ଶିଳ୍ପାୟନ ଓ ପରିବହନ କ୍ଷେତ୍ରରେ ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ ଓ ନବୀକରଣୀୟ ଶକ୍ତିର ଉତ୍ପାଦନ ବୃଦ୍ଧି କରି ସବୁଜ ଅର୍ଥନୈତିକ ବିକାଶ ହାସଲ କରାଯାଇପାରିବ ।