ନବୀନଙ୍କୁ ଛାଡ଼ିଦେଲେ ବିଜେଡିର ସବୁ ନେତା ବଳଦ

ଏକଦା ବିଜୁବାବୁ କ୍ଷମତାରେ ଥିଲାବେଳେ ବରିଷ୍ଠ ନେତା ଦାମୋଦର ରାଉତ ଏକ ସଭାରେ ଯୋଗଦାନ କରି ମଂଚ ଉପରେ ବାସନ୍ତି ବାରା ନାମକ ଜଣେ ମହିଳାଙ୍କ ପିଠିରେ ହାତ ବୁଲାଇ ଆଣିଥିଲେ । ସେହି ଘଟଣାକୁ ନେଇ ବିରୋଧୀ ଦଳ ଭାରି ତୁମ୍ବିତୋଫାନ କଲେ । ବିରୋଧୀଙ୍କ ପାଟି ବନ୍ଦ କରିବାକୁ ଯାଇ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କହିଲେ, ମୋ ଦଳର ନେତାମାନେ ଷଣ୍ଢ । ଷଣ୍ଢର କାମ ଯାହା, ମୋ ନେତାମାନେ ସେୟା କରିଛନ୍ତି । ଏଥିରେ କ’ଣଟା ଅଶୁଦ୍ଧ ହୋଇଗଲା?

ବିଜୁବାବୁଙ୍କର ଦକ୍ଷତାକୁ ଦେଖି ଅଧିକାଂଶ ଲୋକ ତାଙ୍କୁ କଳିଙ୍ଗ ଷଣ୍ଢ ସମ୍ବୋଧନ କରନ୍ତି । ସେହି କଳିଙ୍ଗ ଷଣ୍ଢଙ୍କ ପୁଅ ହେଉଛନ୍ତି ନବୀନ ପଟ୍ଟନାୟକ । ବିଜେଡିରେ ଜଣେ ଷଣ୍ଢ ଅଛନ୍ତି; ତାଙ୍କୁ ବାଦଦେଲେ ଆଉ ସବୁ ବଳଦ । ବଳଦର କାମ ହେଉଛି ମାଲିକଠାରୁ ମାଡ଼ ଖାଇ ଖରା, ବର୍ଷା, ଶୀତକାକରକୁ ଖାତର ନକରି ନିରବରେ ଖଟିବା ।

କଳିକେଶ ନାରାୟଣ ସିଂଦେଓ ମଧ୍ୟ ବଳଦ ଭଳି ବିଜେଡି ଗୁହାଳରେ ବନ୍ଧା ହୋଇଛନ୍ତି । ରାଜପରିବାରର ଦାୟାଦଙ୍କ ଭାଗ୍ୟ କ’ଣ ହୋଇଗଲା? ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ, ଅରୁଣ ସାହୁ, ପୁଷ୍ପେନ୍ଦ୍ର ସିଂଦେଓ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ଭଳି ବଳଦଗୁଡ଼ାକ ଭିକେ ପାଣ୍ଡିଆନ ଭଳି ଚତୁର ବେଠିଆ ହାତରେ ନାଚୁଛନ୍ତି । କ’ଣ କରିବେ?

ବେଠିଆ ପାଣ୍ଡିଆନ ହାତରେ ନାଚିବା ଛଡ଼ା ସେମାନଙ୍କ ପାଖରେ ବିକଳ୍ପ କିଛି ନାହିଁ । ତେବେ କଥା ଉଠୁଛି? କିଏ କାହାକୁ ମୁଣ୍ଡାଇଛି? ବିଜେଡିର ସବୁ ବିଧାୟକ, ସାଂସଦମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ବସି ସୁରକ୍ଷିତ ମଣୁଛନ୍ତି ନା ଦଳୀୟ ବିଧାୟକ ଓ ସାଂସଦଙ୍କ ମୁଣ୍ଡରେ ବସି ନବୀନ ପଟ୍ଟନାୟକ ନିରଙ୍କୁଶ ଭାବେ ଶାସନ କରୁଛନ୍ତି । କଥାରେ ଅଛି, ଡାଳୁଅ ପାଇଁ କାନସିରି ପାଣି ପାଉଛି । ଏଠି କିଏ ଡାଳୁଅ ଆଉ କିଏ କାନସିରି, ପାଠକେ ବିଚାର କରନ୍ତୁ ।