ଦଲାଲ ନଗରୀ ‘ଭୁବନେଶ୍ୱର’


ଗୋଲାମ ନଗରୀ ‘ଭୁବନେଶ୍ୱର’ ଏବେ ଦଲାଲଙ୍କ କବଳରେ ପଡ଼ି ବଡ଼ କଲବଲ ଜୀବନ କାଟୁଛି । ୭୫ ବର୍ଷ ତଳେ ଭୁବନେଶ୍ୱର କହିଲେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଓ ତା’ର ଆଖପାଖ ଅଂଚଳକୁ ବୁଝାଉଥିଲା । ଓଡ଼ିଶାର ରାଜଧାନୀ ମାନ୍ୟତା ପାଇବା ପରେ ରାଜଭବନ ଓ ତା’ର ଆଖପାଖ ଅଂଚଳର ଗୁରୁତ୍ୱ ବଢ଼ିଗଲା । ଆଜିର ଲୋକସେବା ଭବନର ପୂର୍ବ ପରିଚୟ ଥିଲା ସଚିବାଳୟ । ସଚିବାଳୟ ଓ ରାଜ୍ୟ ବିଧାନସୌଧ କାର୍ଯ୍ୟକ୍ଷମ ହେବା ପରେ ତା’ର ଚାରିପାଖରେ ସରକାରୀ ଚାକିରିଆଙ୍କ ରହଣି ନିମନ୍ତେ କ୍ୱାର୍ଟର ନିର୍ମାଣ କରାଗଲା । ବିଧାୟକ ଓ ସାଂସଦଙ୍କ ପାଇଁ କ୍ୱାର୍ଟର ତିଆରି କରାଗଲା ।
ଏମିତି ରାଜଧାନୀ ଭୁବନେଶ୍ୱରଟା ପୁରୁଣା ଭୁବନେଶ୍ୱର ଓ ନୂଆ ଭୁବନେଶ୍ୱର ଭାବରେ ବିଭକ୍ତ ହୋଇଗଲା । ଆଜିବି ବାବା ଲିଙ୍ଗରାଜଙ୍କ ଧାମକୁ ଓଲ୍ଡ ଟାଉନ୍‌ ବୋଲି କୁହାଯାଉଛି ।
ନୂଆ ଭୁବନେଶ୍ୱର ଉପକଣ୍ଠରେ ରସୁଲଗଡ଼, ପଳାଶୁଣି, ଝାରପଡ଼ା, ବମିଖାଲ, ଲକ୍ଷ୍ମୀସାଗର, ବରଗଡ଼, ବରମୁଣ୍ଡା, ଜାଗମରା, ନୟାପଲ୍ଲୀ ଭଳି ଗ୍ରାମଗୁଡ଼ିକ ଥିଲା । ମାତ୍ର ଭୁବନେଶ୍ୱର ପ୍ରତି ଲୋକଙ୍କ ଆକର୍ଷଣ ଓ ଦୁର୍ବଳତା ଏତେ ମାତ୍ରାରେ ବୃଦ୍ଧି ପାଇଲା ଯାହାର ଲୋକସଂଖ୍ୟା ଏବେ ୩୦ ଲକ୍ଷ ଉପରେ ।
ନୂଆ ଭୁବନେଶ୍ୱରରେ ସରକାରୀ ଚାକିରିଆଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ସରକାରୀ କୋଠା, ସରକାରୀ କ୍ୱାର୍ଟସ ତିଆରି କରୁଥିବା ଶ୍ରମିକମାନଙ୍କୁ ନେଇ ସରକାରୀ ଜାଗାରେ ଗଢ଼ିଉଠିଲା ବସ୍ତି । ସରକାରୀ ଜାଗାରେ ରହିଲେ, ସରକାରୀ କୋଠାବାଡ଼ି ତିଆରି କଲେ । ଏମିତି ରହୁରହୁ ଦିନ ମଜୁରିଆ ଗୋଷ୍ଠୀ ସରକାରୀ ଜାଗାକୁ ଜବରଦଖଲ କରି ପୁରୁଷ ପୁରୁଷ ଧରି ଉପଭୋଗ କଲେ ।
ଏବେ ମୂଳ ବିଷୟବସ୍ତୁ ଉପରକୁ ଆସନ୍ତୁ ଯିବା । ପାଖରେ ଟଙ୍କା ଅଛି ତ ଜାଗାଟିଏ କିଣି ଘର ତିଆରି କରି ଆରାମରେ ରୁହନ୍ତୁ । ପାଖରେ ଟଙ୍କା ନାହିଁ ତ ପରିତ୍ୟକ୍ତ ସରକାରୀ ଜାଗାଟିଏ ଦେଖି ତା’ରି ଉପରେ ଝାଟିମାଟିର କାନ୍ଥ ଓ ମୁଣ୍ଡ ଉପରେ ପଲିଥିନ ପକାଇ କିଛିବର୍ଷ ରହିଯାଅ । ତା’ରି ଭିତରେ ଏଠୁସେଠୁ ଇଟା, ବାଲି, ସିମେଂଟ ଯୋଗାଡ଼ କରି ଝାଟିମାଟି କାନ୍ଥକୁ ମଜଭୂତ କରିଦିଅ । ମୁଣ୍ଡ ଉପରୁ ପଲିଥିନ ହଟାଇ ତା’ ଜାଗାରେ ସିମେଂଟ ଛାତ କରିଦିଅ । ବାସ୍‌ ଭୁବନେଶ୍ୱର ମହାନଗରରେ ଘରଟିଏ ହୋଇଗଲା ।
ସରକାରୀ ବାବୁମାନେ ବିଳାସମୟ କୋଠାରେ ରହିଲେ । ସେମାନଙ୍କ ସେବକ ଭାବେ ପରିଚିତ ମାଳି, ଚାକର, ବାସନ ମାଜୁଥିବା ମହିଳା, ଶ୍ରମିକ ଗୋଷ୍ଠୀ ସରକାରୀ ଜାଗାରେ ଘର କରି ରହିଲେ ।
ଏମିତି ଭୁବନେଶ୍ୱରଟା ସରକାରୀ ଓ ବେସରକାରୀ ଗୋଲାମଙ୍କ ଆଡ୍ଡା ହୋଇଗଲା । ତେବେ ଗୋଲାମଙ୍କ ଭିତରେ ଦଲାଲ ଶ୍ରେଣୀ ସୃଷ୍ଟି ହେଲେ କିପରି?
ଦଲାଲ ବା ମଧ୍ୟସ୍ଥି ଶବ୍ଦଟା ବଡ଼ ବିଚିତ୍ର । ମନ୍ଦିରରେ ପୂଜକର ସ୍ଥାନଟି ଯାହା, ସମାଜରେ ଦଲାଲର ସ୍ଥାନଟି ପ୍ରାୟ ସେଇଆ । ସ୍ଥାନ କାଳ ପାତ୍ରକୁ ଦୃଷ୍ଟିରେ ରଖି ଦଲାଲଙ୍କ ଗୁରୁତ୍ୱ ବଢ଼ିଯାଇଛି । ସେମାନଙ୍କ ପାରିଶ୍ରମିକ ପରିମାଣ ମଧ୍ୟ ବଢ଼ିଯାଇଛି । ମାତ୍ର ଦଲାଲଙ୍କ ବିନା କୌଣସି କାମ ସହଜରେ ହୋଇପାରିବନି ।
ଜନ୍ମଠାରୁ ଆରମ୍ଭ କରି ମରଣ ପର୍ଯ୍ୟନ୍ତ ସବୁଠାରେ ଦଲାଲଙ୍କ ରାଜୁତି । ଗୁଡ଼ ଯୋଉଠି, ପିମ୍ପୁଡ଼ି ସେଇଠି । ଲାଭ ଯୋଉଠି ଦଲାଲ ସେଇଠି । ଭୁବନେଶ୍ୱରରେ ଜାଗାଟିଏ କିଣିବାକୁ ବା ମାଡ଼ି ବସିବାକୁ କିଏ ନ ଚାହେଁ । ସହଜରେ ଜାଗାଟିଏ ମିଳିବା ମୁସ୍କିଲ । ତେଣୁ ବିବାଦମୁକ୍ତ ଜମିଟିଏ ଯୋଗାଡ଼ ପାଇଁ ଦଲାଲଙ୍କ ସହଯୋଗ ନିଆ ଯାଇପାରେ । ବିଶେଷ କରି ଭୁବନେଶ୍ୱର ଆଖପାଖ ଅଂଚଳର ମୂଳ ବାସିନ୍ଦା ଅବା ସରକାରଙ୍କ ତହସିଲ ସହିତ ଘନିଷ୍ଠ ସଂପର୍କ ରଖିଥିବା ଲୋକମାନଙ୍କୁ ଦଲାଲ ଚରିତ୍ରରେ ଦେଖିବାକୁ ମିଳିଥାଏ ।
କିଛି ଦଲାଲ ଅଛନ୍ତି ସରକାରୀ ଜାଗାକୁ ମାଡ଼ି ବସିଥାନ୍ତି । ମଉକା ଦେଖି ଜମି ଆଶାୟୀଙ୍କୁ ବିକି ଦିଅନ୍ତି । ଏଠି କ୍ରେତା ଚାଲାକ ଓ ଦଲାଲ ଚାଲାକ । ସରକାରୀ ଜାଗାକୁ କିପରି ପୁରୁଷ ପୁରୁଷ ଧରି ଉପଭୋଗ କରିବାକୁ ହେବ, ତା’ର ବାଟ ସରକାରୀ ନଥିପତ୍ରରେ ଅଛି । ତହସିଲ ଅଫିସର କିରାଣୀବାବୁଙ୍କ ହାତକୁ କିଛି ଟଙ୍କା ବଢ଼ାଇ ଦିଅନ୍ତୁ, ବାସ୍‌ ବୁଦ୍ଧି କିଣି ନିଅନ୍ତୁ । ସରକାରୀ ଜମି ମାଡ଼ି ବସନ୍ତୁ ।
ଆଜି ଭୁବନେଶ୍ୱର ଓ ତା’ର ଉପକଣ୍ଠରେ ଯେତେ ସବୁ ଜମି ବିବାଦ ମୁଣ୍ଡ ଟେକିଛି । ସବୁ ସ୍ଥାନରେ ସରକାରୀ ବାବୁଙ୍କ ପ୍ରତ୍ୟକ୍ଷ ଅବା ପରୋକ୍ଷ ସଂପୃକ୍ତି ରହିଛି ।
ସରକାରୀ ବାବୁଙ୍କ ବିନା ସହଯୋଗରେ କୌଣସି ଦଲାଲ ସରକାରଙ୍କ ଜମିରୁ ଇଂଚେ ବିକି ପାରିବନି କି ହସ୍ତାନ୍ତର କରି ପାରିବନି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ କ୍ଷମତାସୀନ ରାଜନୈତିକ ଦଳ ଓ ସରକାରୀ ବାବୁମାନଙ୍କ ପୃଷ୍ଠ ପୋଷକତାରେ ଦଲାଲ ଜାତିଟା ତିଷ୍ଠି ରହିଛନ୍ତି ।
ଭୁବନେଶ୍ୱର ଅନ୍ତର୍ଗତ ଶ୍ୟାମପୁର ମୌଜା ହେଉ ଅବା ନୟାପଲ୍ଲୀ ମୌଜା ହେଉ । ପାଣ୍ଡରା ହେଉ ଅବା ରଘୁନାଥପୁର ହେଉ । ନୟାପଲ୍ଲୀର ଦମୟନ୍ତୀ ଆପାର୍ଟମେଂଟ ନିକଟରେ ପ୍ରାୟ ୫୨୭ ଡେସିମିଲ ଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରାଗଲା ୨୦୧୮ ଜୁଲାଇ ୧୧ ତାରିଖରେ । କିନ୍ତୁ ୨୦୨୪ ନଭେମ୍ବରରେ ଦେଖିଲା ବେଳକୁ ସେହି ଜାଗାଟି ପୁଣି ଜବରଦଖଲକାରୀଙ୍କ ହାତକୁ ଚାଲିଯାଇଛି ।
ଏଠାରେ କାହାକୁ ଦୋଷ ଦେବା? ସରକାରୀ ସଂସ୍ଥାକୁ ନା ଜବରଦଖଲକାରୀଙ୍କୁ । ସାଧାରଣ ଜନତାଙ୍କ ହାତରେ କଣ ଅଛି । ସରକାରଙ୍କ ହାତରେ ପୁଲିସ କମିଶନର ଅଛନ୍ତି । ଜିଲ୍ଲାପାଳ ଅଛନ୍ତି । ତହସିଲଦାର ଅଛନ୍ତି । ଆରଆଇ ଅଛନ୍ତି । ସମସ୍ତେ ଅଛନ୍ତି । ମାତ୍ର ଜବରଦଖଲକାରୀଙ୍କ ସାହସକୁ ଦମନ କରିବାର ତାକତ୍‌ କାହା ନିକଟରେ ନାହିଁ ।
ସବୁ ଜାଗାରେ ଜମି ଜାଲିଆତି । ବଡ଼ବାବୁଙ୍କ ବଡ଼ ଜାଲିଆତି କାରବାରରୁ ପ୍ରୋତ୍ସାହନ ପାଇ ଛୋଟିଆ ବାବୁମାନେ ଛୋଟ ଜାଲିଆତି କରନ୍ତି । ପରିଣାମ ସ୍ୱରୂପ କମ୍ବଳଟା ଯାକ ଲୋମ ସାଲୁବାଲୁ ।
ଭୁବନେଶ୍ୱର ଡେଭଲେପମେଂଟ ଅଥରିଟି ବା ବିଡ଼ିଏ ଆଖିରେ ଆଙ୍ଗୁଠି ଗେଂଜି ଶ୍ୟାମପୁର ମୌଜାର ୬୮ ଏକର ଜମିକୁ କିଛି ଜବରଦଖଲକାରୀ ଉପଭୋଗ କରୁଛନ୍ତି । ଆଇନର ଗଳାବାଟ ସଂପର୍କରେ ଜବଲଦଖଲକାରୀଙ୍କୁ ସବୁ ମାଲୁମ ।
‘ଏହା ସରକାରଙ୍କ ସଂପତି, ଅନଧିକାର ପ୍ରବେଶ ଦଣ୍ଡନୀୟ ।’ ଏଭଳି ଫଳକ ଯୋଉଠି, ଯାବତୀୟ ଅଡୁଆ ସେଇଠି । ସରକାରଙ୍କ ସଂପତିକୁ କିପରି ହସ୍ତଗତ କରିହେବ, ତା’ର ସବୁ ଫନ୍ଦିଫିକର ଜବରଦଖଲକାରୀଙ୍କୁ ମାଲୁମ ।
ଗୋଟିଏ ଦଳ ଶାସନ କରୁଥିଲା, ଆଉ ଗୋଟିଏ ଦଳ ଶାସନକୁ ଗଲା । କିନ୍ତୁ ସରକାରୀ ଅଫିସର ତଳିଆ କର୍ମଚାରୀ ଅବା ଉପର ଅଧିକାରୀଙ୍କୁ ହଟାଗଲା କି? ବଡ଼ ଅଫିସରଙ୍କୁ ହଟାଇବାର କ୍ଷମତା କୋଉ କ୍ଷମତାସୀନ ଦଳ ନିକଟରେ ରହିଛି? ପ୍ରକୃତ ଗଣତନ୍ତ୍ରକୁ ଭଲ ଭାବରେ ଉପଭୋଗ କରିବାର ବାଟ କେବଳ ଅମଲାତନ୍ତ୍ର ଜାଣିଛନ୍ତି । କାରଣ ସେମାନେ ଭୂତାଣୁ ଶ୍ରେଣୀର । ସେମାନଙ୍କୁ ଦମନ କରିବାର କାଟତି କୋଉ ରାଜନୈତିକ ଦଳର ନାହିଁ ।
ପ୍ରତି ୫ ବର୍ଷରେ ସରକାରୀ ସ୍ତରରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ନବୀକରଣ ଚାଲିଛି । ପ୍ରତ୍ୟେକ ସରକାରୀ ଯୋଜନାକୁ ଭଲ ଭାବରେ ବିଶ୍ଲେଷଣ କଲେ, ସେଗୁଡ଼ିକ ସରକାରୀ ବାବୁ ଓ ସେମାନଙ୍କ ଅନୁଗତଙ୍କ ପାଇଁ ଉଦ୍ଦିଷ୍ଟ ।