ସଂପାଦକୀୟ: ମଣିମା ଶୁଣିମା ହେଉ ବାବାଙ୍କ ଦୁଃଖ

ବାବା ଲିଙ୍ଗରାଜଙ୍କ ନାଗଚୋଟରୁ କେହି ଖସି ପାରିବନି । ସମସ୍ତଙ୍କୁ ଗୋଡ଼େଇ ଗୋଡ଼େଇ ମାରିବ । ଯୋଉମାନେ ବାବା ଲିଙ୍ଗରାଜଙ୍କୁ ଅବହେଳା କରି ଆସୁଛନ୍ତି । ସେମାନଙ୍କୁ କେବେ ନିସ୍ତାର ମିଳିବନି । ଲିଙ୍ଗରାଜଙ୍କ ମନ୍ଦିରକୁ ଗଲେ, ଏମିତି କଥା ସବୁ ସେଠାକାର ସେବାୟତଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।
ଆରେ ତାଙ୍କରି ଦୟାକୁ ରାଇଜ ଶାସନ କରିବ । ତାଙ୍କୁ ଟିକେ ଅନାଇବନି । ବାବାଙ୍କ ଦେଖାଶୁଣା କରିବାର ଆଗ୍ରହ ଅଛି ତ ରାଜକୋଷରୁ ଟଙ୍କା ଖର୍ଚ୍ଚ କର । ତା’ ନହେଲେ ବାବାଙ୍କ ଉପରେ ସବୁ ଛାଡ଼ି ଦିଅ । ବାବାଙ୍କ ନାମରେ ରାଜକୋଷରୁ ଟଙ୍କା ଆଣିବ, ତାକୁ ଲୁଟିବ, ନାଗ ଚୋଟରେ ମରିବ ।

ପୁରୁଣା ଭୁବନେଶ୍ୱରରେ ବିରାଜିତ ବାବା ଲିଙ୍ଗରାଜ ଆଜିକାଲିର ଠାକୁର ନୁହନ୍ତି । ସପ୍ତମ ଶତାବ୍ଦୀରୁ ବାବା ପୁରୁଣା ଭୁବନେଶ୍ୱରକୁ ତାଙ୍କ ଘର ମଣିଛନ୍ତି । ରାଜା ହଉ କି ପ୍ରଜା, ଧନୀ ହେଉ କି ଗରିବ, ସମସ୍ତଙ୍କୁ ବାବା ଆପଣାର କରିଛନ୍ତି । କାହା ପ୍ରତି ବାବାଙ୍କ ମନରେ ହୀନମନ୍ୟତା ନାହିଁ । କିନ୍ତୁ ବାବାଙ୍କୁ ଅନେକ ରାଜା ମହାରାଜା ହୀନ ମଣିଛନ୍ତି, ଖାଇବାକୁ ପିଇବାକୁ ଦେଇ ନାହାନ୍ତି । ରାତି ରାତି ଖାଡ଼ା ଉପାସ ରଖିଛନ୍ତି ।

ସେବାୟତମାନେ ବାବାଙ୍କୁ ଭାରି ହଇରାଣ କରି ଆସୁଛନ୍ତି । କିଏ ବାବାଙ୍କ ଉପରକୁ ଫୁଲ ଫୋପାଡୁଛି ତ କିଏ କମଣ୍ଡଳୁ ଫୋପାଡୁଛି । ବାବା ସମସ୍ତଙ୍କ ନିକଟରୁ ଗାଳିଫଜିତ, ମାଡ଼ ଖାଇ ଚୁପ୍ ରହୁଚନ୍ତି । କାହା ଆଗରେ ହାରି ଗୁହାରି କରିବେ, ସେ ପରା ନିଜେ ୟେ ଜଗତର ରକ୍ଷାକର୍ତା । ୟେ ସଚରାଚର ପରା ତାଙ୍କରି ଆଶ୍ରିତ । ଦେବ, ଦାନବ, ମାନବ, ପଶୁପକ୍ଷୀ, ନଦନଦୀ, ପୋଖରୀ, ସାଗର, ମହାସାଗର, ମହାକାଶ ସବୁକିଛି ତାଙ୍କରି ସୃଷ୍ଟି । କାହା ଉପରେ ରାଗିବେ ? କାହା ଆଗରେ ଗୁହାରି କରିବେ ? ସମସ୍ତେ ତାଙ୍କର ପୁଅଝିଅ । ପୁଅଝିଅ ଅବହେଳା କଲେ ବାପାମା’ ଭାଗ୍ୟକୁ ଆଦରି ରହିବା ଛଡ଼ା ଆଉ କ’ଣ କରିପାରିବେ? ନିଜ ଆଖିରୁ ନିଜେ ଲୁହ ପୋଛିବେ, ଆଉ ପୁଅଝିଅଙ୍କର ଶୁଭ ମନାସୁ ଥିବେ ।

ରାଜାରାଜୁଡ଼ା ଅମଳ ଚାଲିଯାଇଛି । ଏବେ ସାଧାରଣ ଜନତାଙ୍କ ସରକାର ଶାସନ କରୁଛି । ସାଧାରଣ ଜନତାଙ୍କ ସରକାର କେବଳ ଧର୍ମକୁ ଆଖିଠାର । ଏଠି ନିର୍ବାଚନ ଆୟୋଗ ନିକଟରୁ ସାର୍ଟିଫିକେଟ୍ ପାଇଥିବା ରାଜନୈତିକ ଦଳ ବା ମେଂଟ ଶାସନ କରିବାର ଅଧିକାର ପାଇଛି । ଏଠି ନାମକୁ ମାତ୍ର ରାଷ୍ଟ୍ରପତି ଓ ରାଜ୍ୟପାଳ ଅଛନ୍ତି । ସେମାନଙ୍କ ହାତରେ ମଲା କଙ୍କଡ଼ା ଉଠାଇବାର ବଳ ନାହିଁ ।

ଯାହା କରିବାର ଅଛି ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ କରିପାରିବେ, ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ କରିପାରିବେ । ପୂର୍ବରୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଶାସନ କରୁଥିଲେ । ତାଙ୍କ ଅମଳରେ ବାବା ଲିଙ୍ଗରାଜ କେତେ ଖୁସିରେ ରହୁଥିଲେ । ସେ କଥା ଆମେ କହିବୁନି । ଗଣତନ୍ତ୍ରରେ ସାଧାରଣ ଲୋକମାନେ ହେଉଛନ୍ତି ରାଜା । ସେହିମାନେ ବାବାଙ୍କ ମନ୍ଦିରକୁ ଯାଉଛନ୍ତି, ଯାହା ଅନୁଭବ କରୁଛନ୍ତି, କୁହନ୍ତୁ ।

ଆମେ ଶୁଣିବାକୁ ପାଇଲୁ ୨୦୨୩ ମସିହାରେ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ବହୁତ କିଛି କରିବାର ନିଷ୍ପତି ନିଆଯାଇଥିଲା । ତା’ରି ଭିତରେ ଲିଙ୍ଗରାଜ ମନ୍ଦିର ସୁରକ୍ଷା ପାଇଁ ଗୋଟିଏ ୨୫୦ ଫୁଟ ଉଚ୍ଚତା ବିଶିଷ୍ଟ କ୍ରେନ୍ ସ୍ଥାୟୀ ଭାବେ ରଖାଯିବାର ନିଷ୍ପତି ନିଆଯାଇଥିଲା । ସେହି କ୍ରେନ କୁଆଡ଼େ ୫୦ ଟନ୍ ଓଜନ ବିଶିଷ୍ଟ ପଥରକୁ ସହଜରେ ଟେକି ଦେବାର କ୍ଷମତା ରଖିଥିଲା ।

ଆଜି ଯୋଉ ଅଧିକାରୀ ଜଣକ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ମୁଖ୍ୟ ଦାୟିତ୍ୱରେ ଅଛନ୍ତି । ତାଙ୍କ ଟେବୁଲରେ ଲିଙ୍ଗରାଜଙ୍କ ବାକିଆ କାମ ସଂପର୍କୀତ କୌଣସି ଫାଇଲ ନାହିଁ । ଆମ ଜାଣତରେ ରାଜ୍ୟର ସବୁ ପ୍ରାଚୀନ ମନ୍ଦିରଗୁଡିକର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର । ମାତ୍ର ସଂପୃକ୍ତ ବିଭାଗ ଲିଙ୍ଗରାଜ ମନ୍ଦିରକୁ ଆଡ଼ଆଖିରେ ଅନାଉନି । ମନ୍ଦିର କାରୁକାର୍ଯ୍ୟ କ୍ରମେ ଜରାଜୀର୍ଣ୍ଣ ହୋଇଯାଉଛି ।

ଅଧିକାଂଶ ମନ୍ଦିରରୁ ପାଶ୍ୱର୍ଦେବୀ ପଳାୟନ କରୁଛନ୍ତି । ବର୍ଷା ସମୟରେ ମୁଖ୍ୟ ମନ୍ଦିର ସମେତ ଅନ୍ୟ କେତୋଟି ମନ୍ଦିରରେ ପାଣି ଗଳୁଛି । ବାବା ଲିଙ୍ଗରାଜଙ୍କ ରୋଷଘରକୁ କର୍କଟ ମାଡ଼ିବସିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଟିକେ ଲିଙ୍ଗରାଜଙ୍କ ଆଡକୁ ଦୃଷ୍ଟି ପକାଇଲେ, କେମିତି ହୁଅନ୍ତା । ବିଜେପି ବିଧାୟକ ବାବୁ ସିଂ ଏବେ ବାବା ଲିଙ୍ଗରାଜଙ୍କ ଅଂଚଳର ହର୍ତାକର୍ତା । ସେ ଚାହିଁଲେ ବାବାଙ୍କର ବହୁ ସମସ୍ୟା ଦୂର ହୋଇଯାନ୍ତା, ମାତ୍ର ତାଙ୍କ ପାଖରେ ସମୟ ଅଛି ତ ?