ଯେଉଁ ଆତଙ୍କୀ ହମ୍ଲାକୁ ଆୟୁଧ କରି ବିଜେପି କଂଗ୍ରେସକୁ ବାରମ୍ବାର ଦାୟୀ କରୁଥିଲା। ସେହି ଆୟୁଧରେ ଖୋଦ ବିଜେପି ଓ ନରେନ୍ଦ୍ର ମୋଦି ଘାଇଲା। ଏକଦା ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ନରେନ୍ଦ୍ର ମୋଦି ସୀମାପାର ଆତଙ୍କୀ ହମ୍ଲା ପାଇଁ କେନ୍ଦ୍ରର କଂଗ୍ରେସ ସରକାରକୁ ଦାୟୀ କରୁଥିଲେ।
ମାତ୍ର ଖୋଦ ନରେନ୍ଦ୍ର ମୋଦି କେନ୍ଦ୍ର କ୍ଷମତାରେ ଥିଲାବେଳେ ପୁଲୱାମା ଓ ପେହଲଗାମ ଆତଙ୍କୀ ହମ୍ଲା ଘଟିଗଲା; ସେଥିପାଇଁ ତାଙ୍କ ପାଟିରୁ କେନ୍ଦ୍ର ବିରୋଧୀ ଭାଷା ବାହାରିଲାନି। ବାହାରିବ କେମିତି?
କେବଳ ସେତିକି ନୁହେଁ; କଂଗ୍ରେସ ଶାସନାଧିନ ରାଜ୍ୟରେ ଯଦି ପୋଲ କି ଫ୍ଲାଇ ଓଭର ଭୁଶୁଡ଼ିଲା, ସେଗୁଡ଼ିକ ଆକ୍ଟ ଅଫ୍ ଫ୍ରଡ୍ ଅନ୍ତର୍ଭୁକ୍ତ ହୋଇଯିବ; ମାତ୍ର ବିଜେପି ଶାସିତ ରାଜ୍ୟରେ ପୋଲ କି ଫ୍ଲାଇ ଓଭର ଭୁଶୁଡ଼ିଲେ, ସେଗୁଡ଼ାକ ଆକ୍ଟ ଅଫ୍ ଗଡ୍ ଅନ୍ତର୍ଭୁକ୍ତ ହୋଇଯିବ।
ଏମିତି ଆମ ଶାସନ ବ୍ୟବସ୍ଥା। ତା’ରି ଭିତରେ ଭାରତ ସରକାର ପ୍ରଣୟନ କରିଛନ୍ତି ଏକ ସୁନ୍ଦର ଆଇନଟିଏ। ଯାହା ଶ୍ରୁତିମଧୁର ମାତ୍ର ବାସ୍ତବକ୍ଷେତ୍ରରେ କାଠିକର ପାଠ।
ଭାରତରେ ଘଟିଥିବା ଅଧିକାଂଶ ଆତଙ୍କବାଦୀ ଆକ୍ରମଣ ଧର୍ମ ସହିତ ସଂଯୁକ୍ତ ହୋଇଥିବା ଦେଖାଯାଇଥିଲେ ହେଁ ‘ପ୍ରହାର’ ଉଚିତ ବିଚାର ପ୍ରଦର୍ଶନ କରି ଆତଙ୍କବାଦକୁ କୌଣସି ଧର୍ମ, ଜାତି କିମ୍ବା ଜାତୀୟତା ସହିତ ସଂପୃକ୍ତ କରିବାକୁ ମନା କରିଦେଇଛି।
ଆତଙ୍କବାଦ ପ୍ରତି ‘ପ୍ରହାର’ରେ ଏଭଳି ସୁଚିନ୍ତିତ ଓ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରାଯାଇଥିବା ବେଳେ, ଯେଉଁ ଏକ ଇଲାକା ତଥାପି କୁହେଳିକାଚ୍ଛନ୍ନ ହୋଇ ରହିଛି, ତାହା ହେଉଛି ୧୯୯୯ର ‘ଆଇସି-୮୧୪’ ଅପହରଣ ଭଳି ପଣବନ୍ଦୀ ଆକ୍ରମଣ। ପଣବନ୍ଦୀମାନଙ୍କୁ ଖଲାସ କରିବାକୁ ଆତଙ୍କବାଦୀମାନଙ୍କ ସହିତ କୌଣସି ପ୍ରକାର ମୂଲଚାଲ କରାଯିବ ନାହିଁ ବୋଲି ଏବେ ଯଦି ନୀତିଗତ ଭାବରେ ଘୋଷଣା କରାଯାଇଥାନ୍ତି, ତାହା ହୁଏତ ଭବିଷ୍ୟତରେ ପଣବନ୍ଦୀ ରଖିବା କୌଶଳ ଅବଲମ୍ବନ କରିବା ପାଇଁ ଆତଙ୍କବାଦୀମାନଙ୍କୁ ନିରୁତ୍ସାହିତ କରନ୍ତା। ଆଗାମୀ ସମୟରେ ‘ପ୍ରହାର’ ନୀତିର ସଂଶୋଧନ ସମୟରେ ଏହା ବିଚାର କରାଯିବ ବୋଲି ଆଶା କରାଯାଏ।
ପୃଥିବୀରେ ଯେଉଁ କେତେକ ଦେଶ ନିୟମିତ ଭାବରେ ଆତଙ୍କବାଦର ଶିକାର ହୋଇ ଆସିଛନ୍ତି, ଭାରତ ହେଉଛି ସେମାନଙ୍କ ମଧ୍ୟରେ ଏକ ଅଗ୍ରଗଣ୍ୟ ଦେଶ। ଭାରତ ତେଣୁ ସର୍ବଦା ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ ନିମିତ ଆହ୍ୱାନ ଦେବା ସହିତ ନିଜେ ମଧ୍ୟ ଆତଙ୍କବାଦକୁ କଠୋର ହସ୍ତରେ ଦମନ କରିବାକୁ ଚେଷ୍ଟା କରିଆସିଛି। କିନ୍ତୁ ଏହା ମଧ୍ୟ ହେଉଛି ଏକ ଅସୁବିଧାଜନକ ସତ୍ୟ ଯେ ଭାରତର ଆତଙ୍କବାଦ-ବିରୋଧୀ ନୀତିରେ ଏ ପର୍ଯ୍ୟନ୍ତ ଏକ ବିଶେଷ ଦୁର୍ବଳତା ରହିଆସିଛି। ତାହା ହେଲା- ଭାରତରେ ଏଇ ନୀତି ସକ୍ରିୟ ଶ୍ରେଣୀର ନ ହୋଇ ପ୍ରତିକ୍ରିୟାଶୀଳ ଶ୍ରେଣୀର ହୋଇଥାଏ। ଅର୍ଥାତ୍, ଆତଙ୍କବାଦୀମାନେ ଆକ୍ରମଣ ରଚନା କରିବା ପରେ ଭାରତ ସେମାନଙ୍କର ମୁକାବିଲା କରିବାକୁ ବାହାରିଥାଏ, କିନ୍ତୁ ମୂଳରୁ ଆତଙ୍କବାଦର ଆବିର୍ଭାବ ଘଟିବାକୁ ନ ଦେବା ପାଇଁ ଏଠାରେ ଏକ ସର୍ବାଙ୍ଗୀନ ନୀତି ଅନୁପସ୍ଥିତ ଥାଏ। ବାସ୍ତବ ଦୃଷ୍ଟିକୋଣରୁ ବିଚାର କଲେ ଏହା ଆମର ଆତଙ୍କବାଦ ପ୍ରତି ଶୂନ୍ୟ-ସହନ ନୀତିକୁ ଏକ ଆଂଶିକ-ସହନ ନୀତିରେ ପରିଣତ କରିଥାଏ। ଯେତେବେଳେ କୌଣସି ଏକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଘଟିଥାଏ, ସେତେବେଳେ ପ୍ରଥମେ ସ୍ଥାନୀୟ ପୁଲିସ ସେଠାରେ ପହଂଚି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରେ ସଂପୃକ୍ତ ରାଜ୍ୟର ବିଶେଷ ବାହିନୀ ଓ ‘ନେସନାଲ୍ ସିକ୍ୟୁରିଟି ଗାର୍ଡ’ (‘ଏନ୍ଏସ୍ଜି’) କାଳ ବିଳମ୍ବ ନ କରି ବିହିତ କାର୍ଯ୍ୟାନୁଷ୍ଠାନ କରିଥାନ୍ତି। ସେମାନେ କେହି ନିଜର କର୍ତବ୍ୟରେ ସାମାନ୍ୟତମ ଅବହେଳା ପ୍ରଦର୍ଶନ କରି ନଥାନ୍ତି। କିନ୍ତୁ ଏହାଠାରୁ ଯାହା ଅଧିକ ଉତମ ହୁଅନ୍ତା, ତାହା ହେଲା ଆମର ଅନୁସୃତ ନୀତି ଯୋଗୁଁ ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ଘଟିବାର ସମ୍ଭାବନା ସର୍ବନିମ୍ନ ହୋଇଯାଆନ୍ତା।
ଏଇ କାରଣରୁ ଏବେ ଦୁଇ ସପ୍ତାହ ତଳେ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ଯେଉଁ ନୂତନ ନୀତି ପ୍ରଣୟନ କରିଥିବା ଘୋଷଣା କରିଛି, ତାହା ଅତ୍ୟନ୍ତ ଆଶ୍ୱସ୍ତିଜନକ ତଥା ସ୍ୱାଗତଯୋଗ୍ୟ ମନେ ହୋଇଥାଏ। ପ୍ରତୀକାତ୍ମକ ଭାବରେ ‘ପ୍ରହାର’ ଶୀର୍ଷକ ବହନ କରୁଥିବା ଏଇ ନୂତନ ନୀତିର ସଂପୂର୍ଣ୍ଣ ନାମ ହେଉଛି ‘ନେସନାଲ କାଉଂଟର୍ ଟେରରିଜ୍ମ ପଲିସି ଆଣ୍ଡ୍ ଷ୍ଟ୍ରାଟେଜି’। ଆତଙ୍କବାଦୀ ଆକ୍ରମଣ ସମ୍ଭାବନାର ମୂଳୋତ୍ପାଟନ କରିବା ନିମିତ ଏଇ ନୀତି ଯେଉଁ ଗୁଇନ୍ଦା ସୂଚନାଭିତିକ ସକ୍ରିୟ ଆଭିମୁଖ୍ୟକୁ ପ୍ରାଧାନ୍ୟ ପ୍ରଦାନ କରିଛି, ସେଥିରେ ନେପଥ୍ୟରେ ଥାଇ ଯେଉଁ ସଂସ୍ଥାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଯୋଜନା କରାଯାଇଛି, ସେମାନେ ହେଲେ ‘ଦି ଇଂଟେଲିଜେନ୍ସ ବ୍ୟୁରୋ’, ‘ଦି ମଲ୍ଟି ଏଜେନ୍ସି ସେଂଟର୍’ ଓ ‘ଦି ନେସନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’। ଏଇ ନୀତି ସୀମା-ପାର ଆତଙ୍କ ନେଟ୍ୱର୍କ ଓ ‘ଆଲ୍ କାଏଦା’, ‘ଆଇସିସ୍’ ଆଦି ଭଳି ଆନ୍ତର୍ଜାତିକ ଆତଙ୍କବାଦୀ ସଂଗଠନମାନଙ୍କର ଆବିର୍ଭାବ ଠାରୁ ଅନ୍ଲାଇନ୍ ତାଲିମ, ସାଇବର୍ ଆକ୍ରମଣ, ଡ୍ରୋନ୍ ବ୍ୟବହାର ଭଳି ଆତଙ୍କବାଦର ଦ୍ରୁତ ପରିବର୍ତନଶୀଳ ରଣକୌଶଳ ପ୍ରତି ସଚେତନ ଥିବା ସହିତ ମାନବାଧିକାର ସୁରକ୍ଷା ପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦେବାକୁ ଚେଷ୍ଟା କରିଛି।
ଏଇ ନୂତନ ନୀତିର ଯାହା ହେଉଛି କେନ୍ଦ୍ରୀୟ ତାତ୍ପର୍ଯ୍ୟ, ତାହା ହେଲା- ଏହାର ଉଦ୍ଦେଶ୍ୟର ସ୍ପଷ୍ଟତା। ଆତଙ୍କବାଦ ପ୍ରତି ନୀତିଗତ ଅସ୍ପଷ୍ଟତା ରହିଥିବା ପରିବେଶରେ ଆତଙ୍କବାଦ ଉଧେଇଥାଏ। ଶୂନ୍ୟ ସହନଶୀଳତା ବିଧିବଦ୍ଧ ଭାବରେ ରାଷ୍ଟ୍ରର ନୀତିରେ ପରିଣତ ହେଲେ ଯେତେବେଳେ ସେଇ ଅସ୍ପଷ୍ଟତା ଦୂର ହୋଇଯାଏ, ସେତେବେଳେ ନିଶ୍ଚିତ ପରିଣାମର ଆଶଙ୍କା ଆତଙ୍କବାଦୀମାନଙ୍କୁ ଆକ୍ରମଣ ରଚନା କରିବାକୁ ନିରୁତ୍ସାହିତ କରିଥାଏ। ଏଇ ନୂତନ ନୀତି ସ୍ପଷ୍ଟ କରିଥାଏ ଯେ ଏଣିକି କୌଣସି ଆତଙ୍କବାଦୀ ଆକ୍ରମଣ କିମ୍ବା ଆତଙ୍କବାଦକୁ ସହାୟତା ପ୍ରଦାନ କରୁଥିବା ଭିତିଭୂମି ବିରୋଧରେ କଠୋର ତଥା ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମିତ ସରକାର କୌଣସି ପ୍ରକାର କୁଣ୍ଠା ପ୍ରଦର୍ଶନ କରିବେ ନାହିଁ, ଯାହା ଅନେକ ସମୟରେ କୂଟନୈତିକ କିମ୍ବା ରାଜନୈତିକ କାରଣରୁ ଘଟିବା ଦେଖାଯାଇଥାଏ। ପେସାଦାର ଭାଷାରେ ଏଇ ନୂତନ ନୀତି ମାଧ୍ୟମରେ ସରକାର ଆତଙ୍କବାଦ ପ୍ରତିହତ କରିବା ନିମିତ ତାଙ୍କର ଦୃଢ଼ ସଂକଳ୍ପ ସମ୍ବନ୍ଧରେ ବିଶ୍ୱସନୀୟତା (‘ଡେଟରେନ୍ସ କ୍ରେଡିବିଲିଟି’) ସୃଷ୍ଟି କରିବାକୁ ଚାହାନ୍ତି।
ସରକାରଙ୍କର ଏହି ନୀତିଗତ ପଦକ୍ଷେପ ଆମର ଅତୀତର ଅନୁଭୂତି ଦ୍ୱାରା ପ୍ରଭାବିତ ହୋଇଛି। ୨୦୦୮ରେ ମୁମ୍ବାଇରେ ରଚିତ ଇସଲାମୀୟ ଆତଙ୍କବାଦୀ ଆକ୍ରମଣରୁ ଆମେ ଶିକ୍ଷା ଲାଭ କରିଥିଲୁ ଯେ କେବଳ ଆନ୍ତର୍ଜାତିକ କୂଟନୈତିକ ଚାପ ଉପରେ ନିର୍ଭର କରି ଏଭଳି ବହିରାଗତ ଆତଙ୍କବାଦୀ ଆକ୍ରମଣକୁ ଅଟକା ଯାଇପାରିବ ନାହିଁ କିମ୍ବା କେବଳ ପ୍ରତିକ୍ରିୟାଭିତିକ ସୁରକ୍ଷା କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହାର ମୁକାବିଲା କରାଯାଇ ପାରିବ ନାହିଁ। ଏଇ ଶିକ୍ଷା ହିଁ ଭାରତକୁ ୨୦୧୬ରେ ଉରି ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ଓ ୨୦୧୯ରେ ବାଲାକୋଟ ବାୟୁ ଆକ୍ରମଣ ରଚନା କରିବାକୁ ପ୍ରବୃତ କରିଥିଲା, ଯାହା ପାରମ୍ପରିକ ଆତଙ୍କବାଦ ମୁକାବିଲା ଧାରାଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା।
‘ପ୍ରହାର’ ଏଇ ନୂତନ ଧାରାକୁ ଏବେ ଏକ ବିଧିବଦ୍ଧ ନୀତିରେ ପରିଣତ କରିଛି, ଯାହା ଆଉ ଏକ ବ୍ୟତିକ୍ରମ ନ ହୋଇ ଏକ ନିୟମରେ ପରିଣତ ହୋଇଯିବ। ଭାରତ ଏଣିକି ଆଉ ଆତଙ୍କବାଦୀ ଆକ୍ରମଣ ଘଟିବାକୁ ଅପେକ୍ଷା ନ କରି, ତା’ ପୂର୍ବରୁ ସେ ଆକ୍ରମଣର ପ୍ରସ୍ତୁତିସ୍ଥଳୀ ଓ ନେତୃମଣ୍ଡଳୀ ଉପରେ ପ୍ରଚଣ୍ଡ ‘ପ୍ରହାର’ କରିବାକୁ ନିଜର ବିଧିବଦ୍ଧ ଦାୟିତ୍ୱ ରୂପେ ବିଚାର କରିବ।