ଘନକୁହୁଡିରେ ରାସ୍ତା ଠିକ୍ରେ ଦେଖାଯାଏନି ବା ଶୀତଳ ପବନ ସହିତ ପାଉଁଶ ଭଳି ଆସି ଆଖିରେ ପଡିଲେ ସାଇକେଲ ବା ମଟରସାଇକେଲ ଚଲାଉଥିବା ଲୋକ ଏପାଖସେପାଖ ହେଇଯାଆନ୍ତି। ହଠାତ୍ ପଛରୁ ଆସୁଥିବା ଗାଡି ମାଡ ହେଇଯାଏ। ଯାଉ ଯାଉ କୁକୁରଟିଏ ବା ବାଛୁରୀଟିଏ ହଠାତ୍ ଗାଡି ଆଗକୁ ଆସିଯାଏ। ଭଲରେ ଦେଖାଯାଉ ନଥିବାରୁ ଦୁର୍ଘଟଣା ହେବାର ସମ୍ଭାବନା ବଢ଼ିଯାଏ। ପରିବାରମାନଙ୍କ ଉପରେ ଏସବୁର ପ୍ରଭାବ କିଭଳି ଭାବରେ ପଡେ, ନଭୋଗିଲା ଲୋକ ବୁଝିବେନି। ନିତିଆ ମା’ ଦୁଃଖ କେହି ନେବେନି।
ଓଡିଶାରେ ଆଗରୁ ଏ ପ୍ରକାରର ପାଳପୋଡା ବ୍ୟାପକ ନଥିଲା। ଦୁଃଖ ଓ ବିରକ୍ତିର ବିଷୟ ଯେ ଖବରକାଗଜ, ମୋବାଇଲ ତଥା ଟିଭିରୁ ଚାରିଆଡ ପାଳପୋଡା ଯୋଗୁଁ ବିଶେଷକରି ପଞ୍ଜାବ, ହରିଆନା, ଦିଲ୍ଲୀ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ତାନ ଆଦିରେ କ’ଣ ଅବସ୍ଥା ହେଉଛି ଜାଣିବା ପରେ ଆମର ଏ ପ୍ରକାର କାମ ବଢ଼ିଛି ସିନା କମିନାହିଁ। ପଞ୍ଜାବ, ହରିଆନାର ପାଳପୋଡା ଯୋଗୁଁ ଦିଲ୍ଲୀ ପ୍ରଦୂଷଣ ବଢ଼ୁଛି ବୋଲି କେସ୍ ସୁପ୍ରିମକୋର୍ଟ ଯାଏଁ ଗଲା, ତାଙ୍କ ଆସେମ୍ବଲୀ, ପାର୍ଲିଆମେଂଟ୍, ଚାଷୀ ଆନ୍ଦୋଳନ ପର୍ଯ୍ୟନ୍ତ କଥା ଗଲା। ଚାଷୀଙ୍କୁ ବନ୍ଦୀ କରାଗଲା। ୨୦୨୦ ମସିହାରେ ଯେତେବେଳେ କରୋନା ତାଣ୍ଡବରେ ସମଗ୍ର ପୃଥିବୀ ତଥା ଆମ ଦେଶ କଲବଲ ହେଉଥିଲା, ସେତେବେଳେ ପଞ୍ଜାବ, ହରିଆନାର ପାଳପୋଡା ସବୁଠୁ ଅଧିକ ସ୍ତରରେ ପହଂଚିଥିଲା। ବିଭିନ୍ନ ସଚେତନତା ତଥା ସରକାରୀ କାର୍ଯ୍ୟକ୍ରମ ଓ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାଳପୋଡା ଏହି ରାଜ୍ୟର ୯୦% କମିଛି। କିନ୍ତୁ ରାଜସ୍ତାନ, ଉତର ପ୍ରଦେଶ, ମଧ୍ୟପ୍ରଦେଶରେ ଏହି ପାଳପୋଡା ସାଂଘାତିକ ଭାବରେ ବଢ଼ିଯାଇଛି। ଏହି ୩ଟି ରାଜ୍ୟରେ ଦେଶର ୭୫% ଏପରି ଘଟଣା ହେଉଛି। ଅନ୍ୟର ତ ଯାହା କ୍ଷତି ହେଲା, କିନ୍ତୁ ଚାଷୀଙ୍କର ବି କିଛି କମ୍ କ୍ଷତି ହୁଏନି। ନିଜର ଜମି ନଷ୍ଟହୁଏ। ଜମି ନଷ୍ଟ ହେଲେ ପୁଣି ଅଧିକା ରାସାୟନିକ ସାର ଆଣି ପକାନ୍ତି। ସେଥିରେ ମାଟିର ଅଧିକ କ୍ଷତି ହୁଏ ଓ ପକେଟରୁ ପଇସା ବି ଯାଏ। ସବସିଡି ସାର ଉପରେ ସରକାର ଦେଉଥିବାରୁ ସରକାର ଉପରେ ବୋଝ ବଢେ଼। କିନ୍ତୁ ସେଇ ପାଳରେ ଜମିର ଉପକାର ହେଇଥାଆନ୍ତା। କିଛି ନକଲେ ମଧ୍ୟ ସେ ଖତ ହେଇଯିବ। ଗାଈଗୋରୁ ତ ମରିଗଲେ, ଚାଳଘର ରହିଲାନି, ତେଣୁ ଚାଷୀ ଏଗୁଡାକ ଅଦରକାରୀ ଭାବି ନିଆଁ ଲଗାଇଦେଲେ। ଯଦି ଧାନ ପରେ ମୁଗ ଆଦି ବୁଣିବାର ଅଛି, ବାଙ୍କ ଜାଗା ଚାଷ କରି ମୁଗ ଇତ୍ୟାଦି ବୁଣିଲା ପରେ ତା’ ଉପରେ ପାଳ ଘୋଡାଇ ରଖିଲେ ମୁଗ ଭଲ ଗଜା ହେବ, ଜମିରେ ଓଦା ଅଂଶ ଅଧିକ ଦିନ ରହିବ, ଜମିର ତାପମାତ୍ରା ନିୟନ୍ତ୍ରଣରେ ରହିବ। ସେସବୁ ପରେ ମାଟିରେ ମିଶି ସଢ଼ିବ, ଜିଆ ଆଦି ଆଖିକୁ ଦିଶୁଥିବା ଓ ନ ଦିଶୁଥିବା ଅନେକ ଉପକାରୀ ପ୍ରାଣୀଙ୍କ ସଂଖ୍ୟା ବଢ଼ି ମାଟିର ଗୁଣ ଭଲ ହେବ। ଗୋଟିଏ କଣେ ସେସବୁ ଗଦେଇ ରଖିଲେ ବି ବର୍ଷାଦିନେ ସେଥିରେ ପାଳଛତୁ ଫୁଟିପାରେ।
ନିଜ ବିଲ ଭିତରେ ତା’ ଉପରେ ଗୋବରପାଣି, ଅନ୍ନଦା ବା ବାୟୋଡିକମ୍ପୋଜର ଆଦି ପାଣିରେ ମିଶାଇ ସିଂଚନ କଲେ ଖତ ହେଇଯାଇପାରେ। (ଅନ୍ନଦା ନିଜ ଘରେ କରିପାରିବେ। ୧ ଭାଗ ଚାଉଳଧୁଆ ପାଣି, ୧ ଭାଗ ପେଜ ଓ ୧ ଭାଗ ତୋରାଣି ସାଙ୍ଗରେ ୧ ଭାଗ ଗୁଡ ମିଶାଇ ଗୋଟିଏ ପ୍ଲାଷ୍ଟିକ ବାଲଟି ବା ମାଟିହାଣ୍ଡିରେ ରଖି ତା’ ଉପରେ କନା ଘୋଡାଇ ମୁହଁ ବାନ୍ଧିଦେବେ। ଏମିତି ୭ରୁ ୧୦ଦିନ ରଖିଲା ପରେ ସେଥିରେ ୧୦ରୁ ୧୫ଭାଗ ପାଣି ମିଶାଇ ଘାଂଟି ପାଳଗଦାରେ ମଝିରେ ମଝିରେ ସିଂଚନ କରିପାରିବେ। ବାୟୋ ଡିକମ୍ପୋଜର ବିଷୟରେ କୃଷି ବିଭାଗ କର୍ମକର୍ତାମାନେ ସଠିକ୍ ମାର୍ଗଦର୍ଶନ ଦେଇପାରିବେ। ଏଥିରେ ପାଳ ସଅଳ ସଢ଼ିବା ବା ଗୁଣ୍ଡ ହେଇଯିବାରେ ସୁବିଧା ହୁଏ) ।
ନିଜର ଗାଈଗୋରୁ ନଥିଲେ ଅନ୍ୟମାନଙ୍କୁ ଯାହାର ଗାଈଗୋରୁ ଅଛନ୍ତି, ସେହି ପାଳଦାନ କରିପାରିବେ। ପାଖରେ ଗୋଶାଳା ଥିଲେ ଦାନ କରିପାରିବେ। ପରିବା ବଗିଚାରେ ମାଟିକୁ ଘୋଡାଇ ରଖିବାରେ ବ୍ୟବହାର କରିପାରିବେ। ଆହୁରି ଅନେକ କଥା ହେଇପାରିବ। ଟ୍ରାକ୍ଟରରେ ‘ହାପି ସିଡର’ ଯନ୍ତ୍ର ଲଗାଇ ପାଳକୁ ଛୋଟ ଛୋଟ କାଟି ଜମିରେ ପକାଇହେବ। କିଛି ନକଲେ ନାହିଁ, ପୋଡିବେ କାହିଁକି? ଯଦି ବୁଦ୍ଧି ଦିଶୁନି, ବୁଦ୍ଧି ଖର୍ଚ୍ଚ କରି କିଛି କରିବା। କିନ୍ତୁ ନିର୍ବୁଦ୍ଧିଆ ହୋଇ ଶେଷରେ ପାଳ ପୋଡିବା? ଏ ଲେଖାଟି ପଢୁଥିବା ଭଦ୍ରଲୋକଙ୍କୁ ମୋର ଅନୁରୋଧ, ଦୟାକରି ଚାଷୀମାନଙ୍କ ପାଖରେ ପହଂଚି ପାଳ ନପୋଡ଼ିବା ପାଇଁ ବୁଝାନ୍ତୁ। ପାଳ ପୋଡ଼ିଲେ ଭାଗ୍ୟ ପୋଡ଼ିଯିବ, କୁହନ୍ତୁ। ଚାଷୀଙ୍କୁ ସଚେତନ କରିବା ଆମ କାମ।