ଭାରତୀୟ ସେନାବାହିନୀର ସର୍ବୋଚ୍ଚ ଉପାଧି ପରମବୀର ଚକ୍ର ସମ୍ମାନୀତ ମେଜର ସୋମନାଥ ଶର୍ମାଙ୍କର ଆଜି ଜନ୍ମତିଥି। ଭାରତୀୟ ସୈନ୍ୟବାହିନୀର ଏହି ଅଦମ୍ୟ ଯୋଦ୍ଧା ୧୯୪୨ ମସିହାରେ ୧୯ ହାଇଦ୍ରାବାଦ ରେଜିମେଂଟ ଚତୁର୍ଥ ବାଟାଲିୟନରେ କାମ କରୁଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମେଜର ଶର୍ମା ଆରାକାନ ଅଭିଯାନରେ ସାମିଲ ହୋଇ ବର୍ମା ସୀମାନ୍ତରେ ଲଢ଼ିଥିଲେ। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଭାରତ ନିକଟରୁ ଅଲଗା ହୋଇଗଲା, ମାତ୍ର ଜମ୍ମୁ-କଶ୍ମୀର ହାସଲ କରିବା ମସୁଧାରେ ଲାଗିପଡ଼ିଲା।
ଫଳସ୍ୱରୂପ ଜମ୍ମୁ-କଶ୍ମୀର ପାହାଡ଼ିଆ ଜନଜାତିଙ୍କୁ ଭାରତ ବିରୋଧରେ ମତାଇଲା। ପରିଣାମ ସ୍ୱରୂପ ୧୯୪୭ ନଭେମ୍ବରରେ ଭାରତ-ପାକିସ୍ତାନ ଯୁଦ୍ଧ ଆରମ୍ଭ ହୋଇଗଲା। ପାକିସ୍ତାନ ସେନାବାହିନୀର ଗୋଟିଏ ଦଳ ଶ୍ରୀନଗର ବିମାନ ଘାଟିକୁ କବ୍ଜା କରିବା ମତଲବରେ ଥିଲା। ସେମାନଙ୍କୁ ଠିକଣା ଜବାବ ଦେବାର ଦାୟିତ୍ୱ ଥିଲା ମେଜର ସୋମନାଥ ଶର୍ମାଙ୍କ ଉପରେ। ସେଦିନ ଥିଲା ନଭେମ୍ବର ୩ ତାରିଖ। ବଦଗାମ ନିକଟରେ ଭାରତ-ପାକିସ୍ତାନ ଘମାଘୋଟ ଲଢେ଼ଇ ଲାଗିଗଲା। ଜୀବନକୁ ବାଜି ଲଗାଇ ମେଜର ସୋମନାଥ ପାକିସ୍ତାନ ସେନା କବଳରୁ ଶ୍ରୀନଗର ବିମାନ ଘାଟିକୁ ମୁକ୍ତ କଲେ, ମାତ୍ର ଶତ୍ରୁଗୁଳିରେ ଗୁରୁତର ଆହତ ହୋଇ ବୀରଗତି ପ୍ରାପ୍ତ ହେଲେ। ମରଣୋତର ଭାବେ ତାଙ୍କୁ ପରମବୀର ଚକ୍ର ମିଳିଲା। ୧୯୨୩ ମସିହା ଜାନୁଆରୀ ୩୧ ତାରିଖରେ କାଂଗ୍ରା (ଏବେ ହିମାଚଳ ପ୍ରଦେଶ) ଅନ୍ତର୍ଗତ ଦାଢ଼ ଅଂଚଳରେ ଗୋଟିଏ ଡୋଗ୍ରା ବ୍ରାହ୍ମଣ ପରିବାରରେ ମେଜର ସୋମନାଥ ଶର୍ମା ଜନ୍ମଗ୍ରହଣ କରିଥିଲେ। ବ୍ରାହ୍ମଣ ପରିବାର ହୋଇଥିଲେ ମଧ୍ୟ ସୋମନାଥଙ୍କ ପରିବାର ଦେଶମାତୃକାର ସେବା ପ୍ରତି ବ୍ରତୀ ଥିଲେ। ସୋମନାଥଙ୍କ ବାପା ଅମରନାଥ ଶର୍ମା ଜଣେ ସେନା ଅଧିକାରୀ ଥିଲେ। ସୋମନାଥଙ୍କ ସାନଭାଇ ବିଶ୍ୱନାଥ ଶର୍ମା ମଧ୍ୟ ଜଣେ ସେନା ଅଧିକାରୀ ଥିଲେ।