ପଦ୍ମଭୂଷଣ ଶର୍ମିଲା ଟାଗୋର

୧୯୪୪ ମସିହା ଡିସେମ୍ବର ୮ ତାରିଖ ଦିନ ଶର୍ମିଳା ଟାଗୋର …

୧୯୪୪ ମସିହା ଡିସେମ୍ବର ୮ ତାରିଖ ଦିନ ଶର୍ମିଳା ଟାଗୋର ଜନ୍ମଗ୍ରହଣ କରିଥିଲେ। ଶର୍ମିଳା ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ବିଜୟୀ ରବିନ୍ଦ୍ରନାଥ ଟାଗୋରଙ୍କ ବଂଶଜ। ବିବାହ ପରେ ବେଗମ୍‌ ଆୟେଶା ସୁଲତାନା ନାମରେ ପରିଚିତ। ଭାରତୀୟ ସିନେମା ଜଗତରେ ଦୀର୍ଘ ୬ ଦଶନ୍ଧି ଧରି ସକ୍ରିୟ ଅଛନ୍ତି। ଉଭୟ ହିନ୍ଦି ଓ ବେଙ୍ଗଲୀ ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳେ। ଚଳଚ୍ଚିତ୍ର ଜଗତକୁ ତାଙ୍କର ଅବଦାନକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାର ତାଙ୍କୁ ୨୦୧୩ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ଶର୍ମିଳା ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ଓ ତିନିଥର ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି।

ଶର୍ମିଳା ମାତ୍ର ୧୪ ବର୍ଷ ବୟସରେ ସତ୍ୟଜିତ ରାୟଙ୍କ ନିର୍ଦ୍ଦେଶିତ ‘ଦ ୱାର୍ଲଡ୍‌ ଅଫ୍‌ ଆପୁ’ ଜରିଆରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ସତ୍ୟଜିତଙ୍କ ନିର୍ଦ୍ଦେଶିତ ୧୯୬୦ରେ ‘ଦେବୀ’, ୧୯୬୬ରେ ‘ନାୟକ’, ୧୯୭୦ରେ ‘ଅରଣ୍ୟେର ଦିନ ରାତ୍ରି’, ୧୯୭୧ରେ ‘ସୀମାବଦ୍ଧ’ ଚଳଚ୍ଚିତ୍ରରେ ଶର୍ମିଳାଙ୍କ ଅଭିନୟ ଯାଦୁ ଦେଖିବାକୁ ମିଳିଥିଲା। ବେଙ୍ଗଲୀ ଭାଷାରେ ନିର୍ମିତ ତାଙ୍କର ଅନ୍ୟ ଚଳଚ୍ଚିତ୍ରଗୁଡ଼ିକ ଭିତରେ ବର୍ଣ୍ଣାଳୀ (୧୯୬୩), ‘ଶେଷ ଅଙ୍କ’ (୧୯୬୩), ନିର୍ଜନ ସୈକାତେ (୧୯୬୫), ଅମାନୁଷ (୧୯୭୫), ଆନନ୍ଦ ଆଶ୍ରମ (୧୯୭୭), କଳଙ୍କିନୀ କଙ୍କବତୀ(୧୯୮୧) ଉଚ୍ଚକୋଟୀର ଥିଲା।
୧୯୬୪ ମସିହାରେ ଶକ୍ତି ସାମନ୍ତଙ୍କ ହିନ୍ଦି ଚଳଚ୍ଚିତ୍ର ‘କଶ୍ମୀର କି କଲୀ’ ଜରିଆରେ ଶର୍ମିଳା ବଲିଉଡ୍‌ରେ ଅଭିନୟ ଜୀବନ ଆରମ୍ଭ କଲେ। ଚଳଚ୍ଚିତ୍ରଟି ତାଙ୍କୁ ରାତାରାତି ଷ୍ଟାର ମାନ୍ୟତା ପ୍ରଦାନ କଲା। ୱକ୍ତ, ଅନୁପମା, ଦେବାର, ଆନ୍‌ ଇଭିନିଂ ଇନ୍‌ ପ୍ୟାରିସ୍‌, ଆମ୍‌ନେ ସାମ୍‌ନେ, ମେରେ ହମ୍‌ଦମ୍‌ ମେରେ ଦୋସ୍ତ, ସତ୍ୟକାମ, ଆରାଧନା, ସଫର, ଅମରପ୍ରେମ, ଦାଗ୍‌, ଆ ଗଲେ ଲଗ୍‌ ଯା, ଆବିଷ୍କାର, ଚୁପ୍‌କେ ଚୁପ୍‌କେ, ମୌସୁମ, ଏକ୍‌ ମହଲ୍‌ ହୋ ସପ୍ନୋ କା ଓ ନମ୍‌କିନ୍‌ ଭଳି ଚଳଚ୍ଚିତ୍ର ତାଙ୍କର ଅଭିନୟ କଳାକୁ ଜୀବନ୍ତ କରିଛି।

ଆରାଧନା’ରେ ନିଖୁଣ ଅଭିନୟ କରି ଶର୍ମିଳା ଫିଲ୍ମଫେୟାର ପକ୍ଷରୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଲେ। ‘ମୌସୁମ’ ଜରିଆରେ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଲେ। ସନ୍ନି, ସ୍ୱାତୀ, ନ୍ୟୁ ଦିଲ୍ଲୀ ଟାଇମ୍‌ସ, ମିରା ନାୟାରଙ୍କ ‘ମିସିସିପି ମସଲା’, ଗୌତମ ଘୋଷଙ୍କର ‘ଆବାର ଅରଣ୍ୟେ’ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହକ୍‌ଦାର କରିଥିଲା।
‘ଶୁଭ ମହୁରତ୍‌’, ‘ଆଶିକ ଆୱାରା’, ‘ମନ୍‌’, ‘ବିରୁଦ୍ଧ’, ‘ଏକଲବ୍ୟ’, ‘ବ୍ରେକ୍‌ କେ ବାଦ୍‌’ ଭଳି ଚଳଚ୍ଚିତ୍ରରେ ଶର୍ମିଳା ଅତିଥି କଳାକାର ଭାବେ ଅଭିନୟ କରିଥିଲେ। ୧୩ ବର୍ଷ ବ୍ୟବଧାନ ପରେ ଶର୍ମିଳାଙ୍କୁ ‘ଗୁଲ୍‌ମୋହର(୨୦୨୩)’ ଓ ‘ପୁରାତନ୍‌(୨୦୨୫)’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି।
୨୦୦୪ ଅକ୍ଟୋବରରୁ ୨୦୧୧ ମାର୍ଚ୍ଚ ପର୍ଯ୍ୟନ୍ତ ଶର୍ମିଳା ଟାଗୋର କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ୨୦୦୫ ଡିସେମ୍ବରରେ ଶର୍ମିଳା ୟୁନିସେଫ୍‌ ଗୁଡ୍‌ୱିଲ୍‌ ଆମ୍ବାସାଡାର ଭାବେ ନିଯୁକ୍ତ ପାଇଥିଲେ।