ପିୟୁସିସି ବାବଦ ଜରିମାନା ଆଦାୟ କରିଦେଲେ ପ୍ରଦୂଷଣଜନିତ ବିଷାକ୍ତ ପୃଥିବୀଟା ଅମୃତମୟ ଦୁନିଆରେ ପରିଣତ ହୋଇଯିବ ବୋଲି କିଛି କ୍ଷମତାସୀନ ରାଜନୈତିକ ମେଂଟ ବିଚାର କରନ୍ତି । ମାତ୍ର ପିୟୁସିସି ବଦଳରେ ସବୁଜ ବଳୟ ସୃଷ୍ଟି କରିବାର ଦାୟିତ୍ୱଟା ଯଦି ସବୁ ନାଗରିକଙ୍କ ମୁଣ୍ଡରେ ଅଜାଡ଼ି ଦିଆଯାଆନ୍ତା, ତା’ ହେଲେ କେମିତି ହୁଅନ୍ତା?
ଧାଁ ଧପଡରେ ବନ୍ଧା ସହରୀ ଜୀବନରେ ବଣ ପାହାଡଘେରା ପ୍ରକୃତି ମାଆଠୁଁ ଯେତେବେଳେ ବି ମତେ ଡାକରାଟିଏ ମିଳିଛି ତା’ ସହ ମିଶି ଯିବାର ସୁଯୋଗକୁ କେବେ ହାତଛଡା ହେବାକୁ ଦେଇନି । ଉଭିଦ ବିଜ୍ଞାନ ପାଠ ପଢ଼ିଲା ବେଳଠୁଁ ଗଛଲତାର ମୋହ ଆହୁରି ଜକେଇ କରି ଧରିନେଇଛି ମତେ । ଜୀବନ ଜଞ୍ଜାଳର ଅସ୍ତାବଳରୁ ପଘା ଫିଟାଇ ଏବେବି କ୍ୱଚିତ୍ ଧାଇଁଯାଏ ରହୁଥିବା ଛୋଟିଆ ସହରଟିକୁ ବେଢ଼ି ରହିଥିବା ସେଇ ଅନୁଚ୍ଚ ପାହାଡଗୁଡିକର ପାଦଦେଶକୁ । ପାହାଡଟି ସହ ରାଶି ରାଶି ଦିନ ବିତାଇଥିବା ଏବେକାର ବିକଟ ସ୍ଥିତିରେ ନିଜ ଅସ୍ତିତ୍ୱ ନେଇ ସନ୍ଦିହାନ ଥିବା ନିପଟ ନଣ୍ଡା ପଥରଟିଏ ଉପରେ ବସିଯାଇ ମନେମନେ ହିସାବ କରୁଥାଏ ଦିନୁଦିନ ଅପସରି ଯାଉଥିବା ସେଇ ଦରଛିଣ୍ଡା ଶାଗୁଆ ଆବରଣର ପରିସୀମାକୁ । ସେଇଠି ମୋର ମନକୁ ଅନେକ ସମୟରେ କିନ୍ତୁ ଚାଲିଆସିଥାଏ ଅଙ୍ଗେନିଭା କଥା ଗୋଟିଏ । ଥରେ ଢେଙ୍କାନାଳର ଏକ ଇଞ୍ଜିନିୟରିଂ କଲେଜରୁ ନୂଆ ହେଇ ଆସିଥିବା ପିଲାଙ୍କୁ ସମ୍ବୋଧିତ କରିବାକୁ ଡାକରାଟି ପାଇ ବଡିସକାଳୁ ଗାଡି ନେଇ ବଲାଙ୍ଗିରରୁ ବାହାରିଲି । ପାଖାପାଖି ଛଅଘଂଟାର ବାଟ । ସେଇଠୁ କାମ ସାରି ଫେରୁ ଫେରୁ ଛାଇ ଲମ୍ବିବାର ବେଳ ହେଲାଣି ।
ଗାଡିରେ କେବଳ ଡ୍ରାଇଭର ଆଉ ମୁଁ । କଲେଜରୁ ବାହାରି ଆସି ରାସ୍ତାକାମ ଚାଲିଥିବା ଧୂମାଭ୍ର ଜାତୀୟ ରାଜପଥରେ କିଛି ବାଟ ଆସିବା ପରେ ଦେଖିଲୁ ଯେ ଭୟଙ୍କର ଟ୍ରାଫିକ୍-ଜାମ୍ । ବିକଳରେ ଓହ୍ଲାଇପଡି ବୁଝାବୁଝି କରିବାରୁ ଜଣାପଡିଲା ଯେ, ଗଲା ଦୁଇଘଂଟା ଧରି ଏ ଅବସ୍ଥା । ଅଗତ୍ୟା ବିକଳ୍ପ ଚିନ୍ତା କରୁ କରୁ ପାଖାପାଖି ଦୁଇ କିଲୋମିଟର ପରେ ବୋଇଣ୍ଡା ଛକରୁ ଜଙ୍ଗଲ ମଧ୍ୟ ଦେଇ ଏକ ରାସ୍ତା ବୁଲି ବୁଲି ଯାଇ ଆଠମଲ୍ଲିକ ନିକଟରେ ପୁଣି ଆସି ଆମେ ଆସିଥିବା ରାସ୍ତାରେ ମିଶିଥିବା କଥାଟି ଜଣାପଡିଲା । ଅନ୍ୟ ଏକ ଗାଡିର ଡ୍ରାଇଭର ଭରସାରେ ଏକାଥରକେ ଚାରିଟି ଗାଡି ସେଇ ବାଟଟି ଧଇଲୁ ବେଳାବେଳି ଘରକୁ ଫେରିବାର ଆଶା ନେଇ । କଳା ମଚମଚ ପିଚୁରାସ୍ତାର ଦୁଇଧାରକୁ ଲାଗି ବେଶ୍ ଘଂଚଜଙ୍ଗଲ, କାଁ ଭାଁ ଝୁପୁଡିଘର ଗୋଟିଏ କି ଦି’ଟାକୁ ବାଦ୍ ଦେଇ । ରାସ୍ତା ସରିବାର ନାମ ନେଉ ନଥାଏ । ମୋ କ୍ଷୁଦ୍ର ମସ୍ତିଷ୍କର ଗୋଟିଏ ପଟକୁ ଅଳସ ଅପରାହ୍ନର ଆଶ୍ଳେଷରେ ଶୟନ-ଉଦ୍ୟତ କମନୀୟ ଅରଣ୍ୟର ଶୋଭା ମୋହିନେଉଥିବା ବେଳେ ଅନ୍ୟ ପଟଟି କିନ୍ତୁ ଛଟପଟ ହେଉଥାଏ ନିଘଂଚ ବନ ଛାତି ଉପରେ ଧାଉଁଥିବା ସର୍ପିଳ ରାସ୍ତା ଆଢୁଆଳରେ ଚାଲିଥିବା ବନ-ଦୋହନର ମୂକସାକ୍ଷୀଗୁଡିକୁ ଆଖିସାମ୍ନାରେ ପାଇ । କଥାଟି ମନକୁ ଚାଲିଆସିବା ମାତ୍ରକେ ଆପେ ଆପେ ହେତୁ ହୋଇଯାଏ ଯେ, ଏ ଭୂଖଣ୍ଡରେ ଏତେ ଅରଣ୍ୟ ଥାଇ ଆମେ ହୁଏତ ତାକୁ ହେପାଜତରେ ରଖିବା ଦାୟିତ୍ୱଟି ଏକବାରେ ଭୁଲିଯାଉଛେ ସିନା, ମରୁଦେଶ ଗୁଡିକରେ ଯେଉଁଠି ଏ ଅମୂଲ୍ୟ ସଂପଦଟି କେବଳ ସପନର ଅଧୀନରେ ଥାଏ, ସେଇଠି ବନ ଖଣ୍ଡିଏ ଆପଣେଇବା ପାଇଁ ଲୋକେ କେତେ ବିକଳ ହୁଅନ୍ତି ସତରେ!
ଏହି ପରିପ୍ରେକ୍ଷୀରେ ‘ସାଉଦି ଗ୍ରୀନ୍ ଇନିସିଏଟିଭ୍’ ନାମରେ ନାମିତ ଏକ ଅନନ୍ୟ ପ୍ରଚେଷ୍ଟା ସଂପର୍କରେ କିଛି ଜାଣିନେଇ ଏ ଆଲୋଚନାକୁ ଆରମ୍ଭ କରିବା । ସାଉଦି ଆରବ ସରକାର ତଥା ବିଭିନ୍ନ ୱେବ୍ ସାଇଟ୍ରେ ଦିଆଯାଇଥିବା ତଥ୍ୟରୁ ଏହି ବିଶାଳ ପ୍ରକଳ୍ପ ସମ୍ବନ୍ଧରେ ଅନେକ କଥା ଜଣାପଡେ । ଏହି ପ୍ରକଳ୍ପ ମାଧ୍ୟମରେ ନିର୍ଦ୍ଧାରିତ ରୀତିରେ ବନୀକରଣର ସାହାଯ୍ୟ ନେଇ ମରୁଭୂମିକରଣକୁ ମାତ୍ ଦେବାର ଚେଷ୍ଟା କରାଯାଉଛି ବୋଲି କହିଲେ ଭୁଲ୍ ହେବନାହିଁ । ଯାହା ବିଚାର କରାଯାଇଅଛି ଯେ ଦେଶର ବିଭିନ୍ନ ଜାଗାରେ ପାଖାପାଖି ୧୦ ବିଲିଅନ ଗଛ ଲଗାଯିବ । ଏହା ହୁଏତ ୭୪ ମିଲିୟନ ହେକ୍ଟର ମରୁଜର୍ଜରିତ ଜମିକୁ ବ୍ୟବସ୍ଥିତ କରିଦେବ । ପୁଣି ଏହି ସାମଗ୍ରିକ ପ୍ରଚେଷ୍ଟାରେ ତାତିଲା ପରିବେଶୀୟ ଏକକଟିର ବାୟୁର ମାନ ସୁଧୁରିଯାଇ ଧୂଳିଝଡର ମାତ୍ରା ବି କମ୍ ହୋଇଯିବ ବୋଲି ଆକଳନ କରାଯାଇଅଛି ବିଶେଷଜ୍ଞ ମହଲରେ । ପୁଙ୍ଖାନୁପୁଙ୍ଖ ବିଚାର କରି ଅଙ୍ଗାରକ ନିର୍ଗମନ, ଭୂ-ଭାଗ ଓ ସାମୁଦ୍ରିକ ଅଂଶର ପରିବେଶାନୁକୂଳ ବିକାଶ, ଜୈବବିବିଧତା, ସ୍ୱଚ୍ଛ ବା ସବୁଜ ଶକ୍ତି ପରି ଆହୁରି କେତେ ବିଷୟକୁ ବି ଏଥିରେ ସାମିଲ କରାଯାଇଅଛି । ୨୦୧୬ ମସିହାରେ ‘ଭିଜନ୍ ୨୦୩୦’ ନାମରେ ପ୍ରସ୍ତାବିତ ଏହି ପ୍ରକଳ୍ପଟି ୨୦୨୧ ମସିହାରେ ଆରମ୍ଭ ହୋଇଥିବା କଥାଟି ବି ଏଥିରେ ଉଲ୍ଲେଖ ଅଛି । ଏଠାରେ ସାଉଦି ଆରବର ଜଳବାୟୁକୁ ନେଇ କିଛି ନକହିଲେ ପାଠକ ପ୍ରତି ଅବିଚାର ହେବ ବୋଲି ମୋର ଧାରଣା । ବ୍ରିଟାନିକାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ସେଠାରେ ମୁଖ୍ୟତଃ ତିନିପ୍ରକାର ଜଳବାୟୁ ଦେଖାଯାଏ, ପ୍ରାୟ ଦେଶଟିଯାକ ଖେଳେଇ ହୋଇ ରହିଥିବା ଉଷ୍ଣ ମରୁଭୂମି, ପଶ୍ଚିମ ପାଶ୍ୱର୍ରେ ଅବସ୍ଥିତ ‘ଷ୍ଟେପ୍’ ବା ଖଣ୍ଡିତ ଚୃଣଭୂମି ଏବଂ ୟେମେନ୍ ନିକଟବର୍ତୀ ଅଳ୍ପକିଛି ଆର୍ଦ୍ର ଉଚ୍ଚଭୂମି । ଦେଶଟିର ପ୍ରାୟ ଅଧିକାଂଶ ଅଂଚଳ ବର୍ଷା ଅଭାବ ହେତୁ ଚରମ ଉଷ୍ଣ ଜଳବାୟୁ ଦ୍ୱାରା କବଳିତ ।
ପୁନଶ୍ଚ ‘କ୍ଲାଇମେଟ୍ ଚେଞ୍ଜ ପର୍ଫର୍ମେନ୍ସ ଇଣ୍ଡେକ୍ସ’ ନାମକ ୱେବ୍ ସାଇଟ୍ ସୂଚାଇଦିଏ ଯେ, ଏହି ଦେଶ ଜଳବାୟୁ ପରିବର୍ତନ ମାନକରେ ୬୭ତମ ସ୍ଥାନରେ ରହି ଏ ଦିଗରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ତଥା ୨୦୬୦ ମସିହା ସୁଦ୍ଧା କାର୍ବନ ନିର୍ଗମନର ହାରକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ ଆଣିବାକୁ ସାଉଦି ଆରବର ଘୋଷଣାକୁ ମଧ୍ୟ ଏଥିରେ ସନେ୍ଦହ ଚକ୍ଷୁରେ ଦେଖାଯାଇଅଛି । ସେ ଯା’ ହେଉ, ଏ କଥା ଶହେ ପ୍ରତିଶତ ସତ ଯେ ଏମିତି ବେଶି ନିର୍ଗମନ ଜାରି ରହିଲେ ଖଣିଜ ତୈଳ ବଳରେ ବଳୀୟାନ ଏହି ଧନୀ ରାଷ୍ଟ୍ର ଯେ, ଆଗକୁ ଜଳବାୟୁ ପରିବର୍ତନର କୋପରୁ ବର୍ତିବା ଅସମ୍ଭବ ହୋଇପଡିବ ବୋଲି ପରିବେଶ ବିଶେଷଜ୍ଞମାନେ ବାରମ୍ବାର ତାଗିଦ କରୁଛନ୍ତି । ‘ଜି-୨୦ କ୍ଲାଇମେଟ୍ ରିକ୍ସ ଏଟ୍ଲାସ୍’ରୁ ମଧ୍ୟ ଏ ନେଇ ଅନେକ ତଥ୍ୟ ମିଳିଥାଏ । ସେଥିପାଇଁ ହୋଇପାରେ ଏହି ‘ସାଉଦି ଗ୍ରୀନ୍ ଇନିସିଏଟିଭ୍’ ଉପରେ ଜୋର୍ଦାର୍ କାମ ଚାଲିଛି । ଅନ୍ୟାନ୍ୟ ଅନେକ ବିଷୟ ସହ ଏହି କ୍ରମରେ ୨୦୩୦ ମସିହା ବେଳକୁ ଅତି କମ୍ରେ ୬୦୦ ମିଲିୟନ ବୃକ୍ଷରୋପଣ କରିବାର ଯୋଜନା କରାଯାଇଅଛି ଏ ପ୍ରକଳ୍ପଟିରେ । ଏ ତ ଗଲା ଗୋଟିଏ । ଆଉ ଏକ ଖୁବ୍ ସୁନ୍ଦର ଉଦାହରଣ ହେଉଛି ଭିନ୍ନ ଏକ ମରୁ ପ୍ରଦେଶ ଇସ୍ରାଏଲ୍ର ସବୁଜ ବିକାଶ । ପରିବେଶକୁ ବିଚାରକୁ ନେଲେ ଇସ୍ରାଏଲ୍ ଏକ ବିଚିତ୍ର ଦେଶ । ଭୂମଧ୍ୟସାଗରୀୟ ଜଳବାୟୁର ଅନ୍ତର୍ଭୁକ୍ତ ଏ ଦେଶର ଖରାବେଳ (ମେ-ସେପ୍ଟେମ୍ବର) ଭାରି ଗରମ ଓ ଶୁଖିଲା ହୋଇଥିବାବେଳେ ଶୀତକାଳ (ଅକ୍ଟୋବର-ଏପ୍ରିଲ) ଥଣ୍ଡା ଓ ଭିଜା ଭିଜା । ହେଲେ ଏଠାରେ ସବୁଠୁ ଜାଣିବାର କଥାଟି ହେଉଛି ଏହାର ଦକ୍ଷିଣରେ ଥିବା ‘ନେଗେଭ୍’ ନାମକ ବିରାଟ ମରୁ ଅଂଚଳ, ଯାହାକି ଇସ୍ରାଏଲର ପାଖାପାଖି ୬୦ ପ୍ରତିଶତ ସ୍ଥଳଭାଗକୁ ଅକ୍ତିଆର କରି ରହିଛି । ନେଗେଭ ବିକାଶ ସହ ଜଡିତ ‘କେକେଏଲ୍-ଜେଏନ୍ଏଫ୍’ ନାମକ ଏକ ସଂସ୍ଥା ପ୍ରଦାନ କରିଥିବା ତଥ୍ୟରୁ ଜଣାଯାଏ, ଆସ୍ଡଡ୍ ରୁ ଇଲାଟ୍ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ମରୁଭୂମିଟି ପ୍ରାୟ ୧୪୪୭୫ ବର୍ଗକିଲୋମିଟର ଅଂଚଳରେ ରହିଥିବାବେଳେ ଏଠାରେ କେବଳ ଗୋଟିଏ ବର୍ଗକିଲୋମିଟର ଭିତରେ ୭୮ ଜଣ ଲୋକ ବାସ କରିଥାନ୍ତି । କାହିଁକି ନା, ଏହାର ବାର୍ଷିକ ହାରାହାରି ବୃଷ୍ଟିପାତ ମାତ୍ର ୨୫ ମି.ମି.ରୁ ୨୫୦ମି. ମି. ଭିତରେ ହିଁ ସୀମିତ ହୋଇଥାଏ । ଏହିପରି ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ ଭାବରେ ମୁକାବିଲା କରିବା ପାଇଁ ସେ ଦେଶର ସରକାର ଏ ଅଂଚଳରେ ବନୀକରଣ ମାଧ୍ୟମରେ ମରୁଭୂମିକରଣକୁ ରୋକିବାର ଏକ ଆଶ୍ଚର୍ଯ୍ୟଜନକ ପ୍ରଚେଷ୍ଟା ଆରମ୍ଭ କଲେ । ଏ ସଂକ୍ରାନ୍ତରେ ମାସାଚୁ୍ୟସେଟ୍ ଇଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି ତରଫରୁ ୨୦୧୪ ମସିହାରେ ପ୍ରକାଶିତ ‘ଦ ନେଚର୍ ଅଫ୍ ନେଗେଭ୍’ ନାମକ ଏକ ବିସ୍ତୃତ ରିପୋର୍ଟ ଦର୍ଶାଇଦିଏ ୧୯୦୧ ମସିହାରେ ଆରମ୍ଭ ହୋଇଥିବା ‘କେରେନ୍ କାଏମେଟ୍ ଏଲ’ ଇସ୍ରାଏଲ୍ ବା ଜିଉଇସ୍ ନ୍ୟାସନାଲ୍ ଫଣ୍ଡ୍ ହେଉଛି ସେଇ ଦେଶର ଏକ ପ୍ରଧାନ ବେସରକାରୀ ସଂସ୍ଥା, ଯାହାକି ଉଭୟ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବାରେ ତଥା ଅଂଚଳର ବିକାଶଧାରାକୁ ପ୍ରବହମାନ ରଖିବାରେ ନିରନ୍ତର ଭାବରେ କାର୍ଯ୍ୟ କରିଆସିଛି, ଏକାଦିକ୍ରମେ ଦଶନ୍ଧି ଦଶନ୍ଧି ଧରି । ଏହି ସଂସ୍ଥା ମାଧ୍ୟମରେ ଏକଶତାବ୍ଦୀ ମଧ୍ୟରେ ୨୪୦ ମିଲିୟନ ଗଛ ରୋପଣ କରାଯାଇ ପ୍ରାୟ ଏକଲକ୍ଷ ଏକର ଜମିରେ ସବୁଜିମା ଫେରାଇ ଅଣାଗଲାଣି । ଅନ୍ୟାନ୍ୟ ସୂତ୍ରରୁ ଜଣାଯାଏ, ସଂସ୍ଥାର ବନୀକରଣ ବିଭାଗର ଡାଇରେକ୍ଟର ୟୋସେଫ୍ ୱିଜ୍ଙ୍କ ତତ୍ୱାବଧାନରେ ୧୯୬୪ ମସିହାରେ ‘ୟାତିର୍ ବନ’ର ପ୍ରଥମ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରକଳ୍ପଟିରେ ଏଲେପୋ ପାଇନ୍ ବା ଭୂମଧ୍ୟସାଗରୀୟ ସାଏପ୍ରେସ୍ ପରି କୋଣାକାର ବୃକ୍ଷସମୂହ ମୁଖ୍ୟ ହୋଇଥିଲେ ହେଁ ଓଲିଭ୍, ଡିମିରି, ଇଉକାଲିପଟ୍ସ ତଥା ଆକାଶିଆ ପରି ଗଛ ସାଙ୍ଗକୁ ଅଙ୍ଗୁର ଓ ବୁଦାଜାତୀୟ ଗଛସବୁକୁ ବୁଝି ବିଚାରି ଲଗାଯାଇଛି । ଅକ୍ଳାନ୍ତ ଚେଷ୍ଟାର ଫଳସ୍ୱରୂପ ଏହି ୟାତିର୍ ଜଙ୍ଗଲଟି ଉତର ନେଗେଭ୍ ମରୁ ଅଂଚଳଟିକୁ ଏମିତି ରୂପାନ୍ତରିତ କରିଦେଇଛି ଯେ, ଏହା ବିଶ୍ୱର ଅନ୍ୟ ପ୍ରାନ୍ତର ଲୋକଙ୍କ ପାଇଁ ଶିକ୍ଷାଲାଭ କରିବାର ଏକ ପ୍ରକୃଷ୍ଟ ଉଦାହରଣ ରୂପରେ ବର୍ତମାନ ଉଭା ହୋଇଛି ।
ଏକ ମରୁଭୂମିର ସବୁଜ ରୂପାନ୍ତରଣର ଭିନ୍ନ ଏକ ଦିଗ ଆମେ ଜୋଡାନ ଦେଶର ‘ଡେଡ୍ ସି ଉପତ୍ୟକା’ରେ ଥିବା ଅଲ୍ ଜଫା ଅଂଚଳରେ ଦେଖିପାରିବା । ‘ପର୍ମାକଲ୍ଚର୍’ ବା ପ୍ରାକୃତିକ ଢାଂଚାରେ ବିକଶିତ ସଂସ୍ଥାନର ମୂଳମନ୍ତ୍ର ନେଇ ଗଢି ଉଠିଥିବା ମରୁ ଖାଦ୍ୟ ଜଙ୍ଗଲଟି ଜଳଧାରଣ ଶକ୍ତିକୁ ମଧ୍ୟ ବେଶ୍ ବଢ଼ାଇ ଦେଇଥିବାର ନଜିର ରହିଛି । ଏକ୍ସନ୍ ଇକୋଲୋଜି ତରଫରୁ ପ୍ରକାଶିତ ଏକ ଆଲେଖ୍ୟରୁ ଏହା ସ୍ପଷ୍ଟ ଯେ, ଏକ ମରୁ ଉପତ୍ୟକା ଯେଉଁଠାରେ କି ବର୍ଷ ଭିତରେ ମାତ୍ର ୧୦୦ରୁ ୧୫୦ମି. ମି. ବର୍ଷା ହୋଇଥାଏ ସେଇ ଅଂଚଳରୁ ଦଶ ଏକର ମାତ୍ର ନିଜ ହାତକୁ ନେଇ ଜିଓଫ୍ ଲଟନ୍ ନାମକ ଜଣେ ଉସôାହୀ ମଣିଷ ବର୍ଷାରେ ପ୍ରତି ବୁନ୍ଦା ଜଳକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରି ଅସମ୍ଭବ ସଫଳତା ହାସଲ କରିଥିଲେ । ଏହିପରି ମରୁ ଅଂଚଳଗୁଡିକୁ ପୁନଃ ଶସ୍ୟଶ୍ୟାମଳା କରିବାକୁ ବିଶ୍ୱସ୍ତରରେ ଅନେକ ପ୍ରୟାସ କରାଯାଇଛି । ଗୋବି ଭଳି ମରୁଭୂମିକୁ ବାନ୍ଧି ରଖିବା ପାଇଁ ସତୁରି ଦଶକରୁ ଆରମ୍ଭ ହୋଇଥିବା ଚୀନ ଦେଶର ଥ୍ରୀ ନର୍ଥ ସେଲ୍ଟର୍ ଫରେଷ୍ଟ ପ୍ରୋଗ୍ରାମ ହେଉ, କି ଆଫ୍ରିକାର ସାହିଲ୍ ମରୁଭୂମିର କ୍ରମାଗତ ପ୍ରସାରକୁ ରୋକିବା ପାଇଁ ୧୫ କି. ମି. ଚଉଡା ତଥା ୭୦୦୦ କି.ମି. ଲମ୍ବର ସେ ଗଛଲଗା କାର୍ଯ୍ୟକ୍ରମ ଅବା ହେଉ, ଭାରତର ଥର୍ ମରୁଭୂମିରେ ବନୀକରଣ ପ୍ରକଳ୍ପ, ସବୁ ଭିତରେ ଯେଉଁ କଥାଟି ବାରି ହୋଇଯାଉଛି, ସିଏ ହେଉଛି ଜୀବରହିତ ଏକ ଅତି ଶୁଷ୍କ ପରିବେଶରୁ ଅନ୍ତତଃ ଚଳି ହେଉଥିବା ଏକ ଅନୁକୂଳ ବାତାବରଣର ସୃଷ୍ଟି କରିବାର ଅଭିନବ ପ୍ରୟାସ ହିଁ ଏ ଅଦମ୍ୟ ଚେଷ୍ଟା ।
ଆମ ବିଶାଳ ଦେଶ ଭାରତରେ ଏହିପରି ଅନେକ ସ୍ୱଳ୍ପ ବୃଷ୍ଟି ଅଂଚଳ ସବୁ ରହିଥିଲେ ହେଁ କ୍ରମାଗତ ଭାବରେ ମରୁଭୂମିକରଣ ଜାରି ରହିଥିବା ପଶ୍ଚିମ-ଓଡିଶା ପରିପ୍ରେକ୍ଷୀରେ ଏହାର ମହତ୍ୱ ଯେ କାହିଁରୁ କେତେ, ଏକଥାକୁ ଅସ୍ୱୀକାର କରିହେବ ନାହିଁ ।