ଅସ୍ତିତ୍ୱ ହରାଇବ ମିଳିତ ଜାତିସଂଘ!

ମିଳିତ ଜାତିସଂଘରୁ ବାହାରି ଯିବା ପାଇଁ ଏକପ୍ରକାର ଧମକ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକା । ତା’ ସହିତ ନାଟୋ ସଂଗଠନକୁ ‘ଗୁଡ୍‌ ବାଏ’ କରିବ ଯୁକ୍ତରାଷ୍ଟ୍ର ଆମେରିକା । ମିଳିତ ଜାତିସଂଘ ପରିଚାଳନା କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପକେଟରୁ ବିପୁଳ ଅର୍ଥ ଚାଲିଯାଉଛି । ବିଶ୍ୱ ଦରବାରରେ ବଡ଼ଭାଇ ପଣିଆ ବଜାୟ ରଖିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାକୁ ମିଳିତ ଜାତିସଂଘ ପରିଚାଳନା ଖର୍ଚ୍ଚ ତୁଲାଇବାକୁ ପଡ଼ିବ । ଯୋଉ ମହତ୍‌ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ଗଠନ କରାଯାଇଥିଲା, ତାହା ସଂପୂର୍ଣ୍ଣ ଫଳବତୀ ହୋଇ ନଥିଲେ ମଧ୍ୟ ଆଂଶିକ କାମ କରିଛି । ୟୁକ୍ରେନ ଭଳି ଦୁର୍ବଳ ରାଷ୍ଟ୍ର ଉପରେ ରୁଷିଆର ହମ୍‌ଲା ପ୍ରସଙ୍ଗରେ ମିଳିତ ଜାତିସଂଘ ରୁଷିଆ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି । ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋଏ ବାଇଡେନ୍‌ ଓ ତାଙ୍କ ପ୍ରଶାସନ ଟିମ୍‌ ରୁଷିଆର ଆକ୍ରମଣକୁ ଠିକଣା ଜବାବ ଦେବା ପାଇଁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଖାଦ୍ୟପେୟଠାରୁ ଆରମ୍ଭ କରି ଯାବତୀୟ ସହାୟତା ପ୍ରଦାନ କରିଥିଲା ।

ମାତ୍ର ରାଷ୍ଟ୍ରପତି ବଦଳିଯିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ମନୋଭାବ ବଦଳିଗଲା । ଟ୍ରମ୍ପଙ୍କ ମର୍ଜି ନିକଟରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନର କୌଣସି ଟାଣପଣ ରହିଲାନି । ଆକ୍ରମଣକାରୀ ରୁଷିଆ ପ୍ରତି ଉଦାରତା ଦେଖାଇ ରାଷ୍ଟ୍ରପତି ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନ୍‌ସ୍କିଙ୍କୁ କଦର୍ଯ୍ୟ ବ୍ୟବହାର ଦେଖାଇବା ସହ ସମସ୍ତ ସହାୟତା ବନ୍ଦ କରି ଦେଇଛନ୍ତି । ଟ୍ରମ୍ପଙ୍କ ଏତାଦୃଶ ଆଚରଣରେ ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ ଭଳି ଦେଶଗୁଡ଼ିକ ହତବାକ୍‌ ହୋଇ ଯାଇଛନ୍ତି । ଚୀନର ମିତ୍ର ରୁଷିଆ ପ୍ରତି ଟ୍ରମ୍ପଙ୍କ ଉଦାର ମନୋଭାବ ଏବେ ଅନେକ ଦେଶକୁ ଚିନ୍ତାରେ ପକାଇଛି । ଏକ ସମୟରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରତିହତ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ଓ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ ହାତ ମିଳାଇଥିଲେ, ସେଇ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏବେ ରୁଷିଆର ୟୁକ୍ରେନ ବିରୋଧୀ ଆଭିମୁଖ୍ୟକୁ ଦୃଢ଼ ସମର୍ଥନ ବହୁ ୟୁରୋପୀୟ ଦେଶଗୁଡ଼ିକୁ ହତଚକିତ କରିଛି ।

ୟୁକ୍ରେନ ପ୍ରତି ୟୁରୋପୀୟ ଦେଶଗୁଡ଼ିକର ଉଦାରତାର ଫଳସ୍ୱରୂପ ଟ୍ରମ୍ପ ୟୁକ୍ରେନକୁ ଯାବତୀୟ ସହାୟତାରୁ ବଂଚିତ କରିଛନ୍ତି । ତା’ ସହିତ ମିଳିତ ଜାତିସଂଘ ଓ ନାଟୋ ସଭ୍ୟପଦ ଛାଡ଼ିବା ପାଇଁ ଟ୍ରମ୍ପ ପ୍ରଶାସନ ରୋକଠୋକ୍‌ ମତ ପ୍ରକାଶ କରିଛି । ଏପରି କଲେ, ୟୁରୋପୀୟ ଦେଶଗୁଡ଼ିକ ୟୁକ୍ରେନ୍‌ ପଛରୁ ହଟିଯିବେ ବୋଲି ଟ୍ରମ୍ପ ଭାବୁଛନ୍ତି । ଯଦି ୟୁରୋପୀୟ ଦେଶଗୁଡ଼ିକ ୟୁକ୍ରେନ ପଛରୁ ନହଟନ୍ତି, ତା’ ହେଲେ କ’ଣ ଯୁକ୍ତରାଷ୍ଟ୍ର ଆମେରିକା ସତରେ ମିଳିତ ଜାତିସଂଘ ଓ ନାଟୋ ସଭ୍ୟପଦରୁ ହଟିଯିବ । ସେପରି ହେଲେ ମିଳିତ ଜାତିସଂଘ ତା’ର ଅସ୍ତିତ୍ୱ ବଜାୟ ରଖିପାରିବ ତ? ନାଟୋ ତିଷ୍ଠି ରହିବ ତ? ଯୁକ୍ତରାଷ୍ଟ୍ର ଆମେରିକା ବିନା ମିଳିତ ଜାତିସଂଘ ତିଷ୍ଠି ପାରିବନି ବୋଲି ଅଧିକାଂଶ ଦୁର୍ବଳ ଦେଶ ବିଚାର କରୁଛନ୍ତି । ମିଳିତ ଜାତିସଂଘ ଖଣ୍ଡ ଖଣ୍ଡ ହୋଇଗଲେ, ତୃତୀୟ ବିଶ୍ୱଯୁଦ୍ଧ ସୁନିଶ୍ଚିତ ବୋଲି ଧରି ନିଆଯିବ କି? ଏହିଭଳି ଅନେକ ପ୍ରଶ୍ନ ବିଶ୍ୱବାସୀଙ୍କୁ ଆଚ୍ଛନ୍ନ କରିଛି ।