ଅତି ପଣ୍ଡିତରେ ବାଇ

ଆମେରିକା ଭଳି ସାମ୍ରାଜ୍ୟବାଦୀ ଦେଶର କେହି ଶତ୍ରୁ ବା ମିତ୍ର ନୁହନ୍ତି। …..

ଆମେରିକା ଭଳି ସାମ୍ରାଜ୍ୟବାଦୀ ଦେଶର କେହି ଶତ୍ରୁ ବା ମିତ୍ର ନୁହନ୍ତି। ସର୍ବଦା ଆଧିପତ୍ୟ ଓ ପ୍ରଭୁତ୍ୱ ଜାହିର କରିବା ପାଇଁ ପ୍ରୟାସରତ ଆମେରିକା। ଯିଏ ତା’ ନିକଟରେ ମୁଣ୍ଡ ନ ନୁଅାଁଇଲା ତାକୁ ମାରିବାକୁ ପଛାଏନା। କାହାକୁ ହତ୍ୟା କରିବା, ବନ୍ଦୀ ବନାଇବା ବା କେଉଁ ଦେଶ ଉପରେ ଆକ୍ରମଣ କରିବା ଏହା ଅମେରିକାର ଅଭ୍ୟାସ। କିନ୍ତୁ ଆମେରିକାର ଯେତିକି ରାଷ୍ଟ୍ରପତି ରହିଛନ୍ତି, ଯଦି ସବୁଠାରୁ କିଏ ଅଧିକ ପ୍ରତିଶୋଧପରାୟଣ, ଅଯୌକ୍ତିକ, ଏକଛତ୍ରବାଦୀ, ମନମୁଖୀ , ଅଗଣତାନ୍ତ୍ରିକ, ଅନୈତିକ… ତେବେ ଡୋନାଲ୍ଡ ଟ୍ରମ୍ପ ସର୍ବାଗ୍ରେ ରହିବେ। ମନରେ ପ୍ରଶ୍ନ ଉଠେ, କିପରି ଶିକ୍ଷିତ ଆମେରିକାବାସୀ ଏହିପରି ଲୋକଙ୍କୁ ରାଷ୍ଟ୍ରପତି ଆସନରେ ବସାଇଛନ୍ତି। କିଛି ଅମେରିକାବାସୀ ଏପରିକି ତାଙ୍କ ଦଳର ଲୋକ ଟ୍ରମ୍ପଙ୍କୁ ପାଗଳ କହିବାକୁ ପଛାଉ ନାହାନ୍ତି।

ଇରାନ ଉପରେ ଆମେରିକା ଆକ୍ରମଣ କରିବାର ଲକ୍ଷ୍ୟ; ଇରାନରେ ଶାସନ ପରିବର୍ତନ, ଆଣବିକ କ୍ଷମତା ଓ ତୈଳସମ୍ପଦ ଉପରେ ନିୟନ୍ତ୍ରଣ। ଆମେରିକା ଏବଂ ଇସ୍ରାଏଲ ୨୮ ଫେବ୍ରୁଆରୀରେ ଇରାନ ଉପରେ ମିଳିତ ଭାବେ ଆକ୍ରମଣ କରିବା କିଛି ଆଶ୍ଚର୍ଯ୍ୟଜନକ ନଥିଲା। ଇରାନ ଏହାର ଜବାବରେ ନିଜର ପ୍ରତି ଆକ୍ରମଣ କରି ମାର୍ଚ୍ଚ ୨ରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଲା। ସମୁଦ୍ରର ବିସ୍ତୀର୍ଣ୍ଣ ଜଳରାଶିରେ ଏହି ପ୍ରଣାଳୀ ଏ ବିଶ୍ୱ ବାଣିଜ୍ୟକୁ ବେଶ୍‌ ପ୍ରଭାବିତ କରିଥାଏ। ବିଶ୍ୱର ପ୍ରାୟ ୨୦% ତୈଳପ୍ରବାହ (ପ୍ରାୟ ୨୦ ନିୟୁତ ବ୍ୟାରେଲ ପ୍ରତିଦିନ), ଏହି ପ୍ରଣାଳୀ ଦେଇ ଗତି କରେ । ଏହି ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ଯୋଗୁଁ ଦୈନିକ ଜାହାଜ ପରିବହନ, ଯାହା ସଂଘର୍ଷ ପୂର୍ବରୁ ହାରାହାରି ୧୨୦ ଥିଲା ତାହା ହ୍ରାସ ପାଇ ୫ରୁ କମ୍‌ ହୋଇଗଲା। ଏହି ପ୍ରଣାଳୀ ଦେଇ ସେମାନଙ୍କର ତେଲ ରପ୍ତାନି କରୁଥିବା ଅନେକ ଆରବ ତୈଳ କମ୍ପାନୀ ଉତ୍ପାଦନ ହ୍ରାସ କଲେ । ଏହି ହର୍ମୁଜ ପ୍ରଣାଳୀ ଯେପର୍ଯ୍ୟନ୍ତ ନ ଖୋଲିଛି ଓ ଯୁଦ୍ଧ ବନ୍ଦ ନହୋଇଛି। ଆମେରିକା, ଇରାନ, ଭାରତ ଓ ସାମଗ୍ରିକ ଭାବେ ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବ।

ଏହି ଯୁଦ୍ଧର ସବୁଠାରୁ କୁପ୍ରଭାବ ପଡିବ ଭାରତ ସମେତ ବିଶ୍ୱର ତୈଳ ଅର୍ଥନୀତି ଉପରେ। ଏମିତି ସାମଗ୍ରିକ ଭାବେ ବିଶ୍ୱ ଓ ଭାରତୀୟ ଅର୍ଥନୀତି ଉପରେ କୁପ୍ରଭାବ ପଡିବା ସ୍ୱାଭାବିକ। ଉଭୟ ଆମେରିକା ଓ ଇରାନ ପ୍ରଭାବିତ ହେବା ସ୍ୱାଭାବିକ। ଇରାନର ଭିତିଭୂମି ଉପରେ ଆକ୍ରମଣ ପୂର୍ବରୁ ୨୭ ଫେବ୍ରୁଆରୀ ୨୦୨୬ରେ ବ୍ରେଂଟ୍‌ ଅଶୋଧିତ ତୈଳ ମୂଲ୍ୟ ପ୍ରାୟ ପ୍ରତି ବ୍ୟାରେଲ ପିଛା ୭୨.୯୪ ଡଲାର ଥିଲା ।

ଏପ୍ରିଲ ୨୦୨୬ ଆରମ୍ଭରେ ବ୍ରେଂଟ୍‌ ଅଶୋଧିତ ତୈଳମୂଲ୍ୟ ପ୍ରାୟ ୫୦% ବୃଦ୍ଧି ପାଇଛି। ପ୍ରତି ବ୍ୟାରେଲ ମୂଲ୍ୟ ୧୦୯ରୁ ୧୧୧ ଡଲାର ପାଖାପାଖି କିମ୍ବା ତା’ଠାରୁ ଅଧିକ ସ୍ତରରେ ରହିଛି। କିଛି ବିଶ୍ଳେଷକଙ୍କ ମତରେ, ଯଦି ଯୋଗାଣ ବାଧା ଜାରି ରହେ, ବିଶେଷ କରି ହର୍ମୁଜ୍‌ ପ୍ରଣାଳୀ ପରି ପ୍ରମୁଖ ରାସ୍ତା ପାଖରେ ମୂଲ୍ୟ ଆହୁରି ୧୫୦ କିମ୍ବା ୨୦୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଭାରତ ପାଇଁ ତୈଳମୂଲ୍ୟ ବୃଦ୍ଧି ଅତ୍ୟନ୍ତ ଚିନ୍ତାଜନକ, କାରଣ ୮୫% ତେଲ ଆମଦାନୀ କରେ । ତାହା ନିଶ୍ଚିତ ଭାବରେ ତୈଳ ଯୋଗାଣକୁ ପ୍ରଭାବିତ କରିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ଏହି ଯୁଦ୍ଧ କେତେଦିନ ଲାଗିରହିବ? ୨୦୨୬ ଏପ୍ରିଲ ଆରମ୍ଭରେ ଯୁଦ୍ଧଜନିତ ଅଶୋଧିତ ତୈଳ ମୂଲ୍ୟବୃଦ୍ଧି ଯୋଗୁଁ, ତୈଳ ଆମଦାନୀ ପାଇଁ ଅଧିକ ଆମେରିକୀୟ ଡଲାର ଆବଶ୍ୟକ ହେବାରୁ ଭାରତୀୟ ଟଙ୍କାର ମୂଲ୍ୟ ଡଲାର ଅନୁସାରେ ରେକର୍ଡ ସର୍ବନିମ୍ନ ସ୍ତରରେ ପହଂଚିଛି। କାରଣ ଯୋଗାଣ ଅନୁସାରେ ଡଲାରର ଚାହିଦା ଅଧିକ ହେଲେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସପାଏ। ଏହା ଫେବ୍ରୁଆରୀ ୨୦୨୨ରେ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ସମୟରେ ୧ ଡଲାରର ବିନିମୟ ମୂଲ୍ୟ ୭୫-୭୬ ଟଙ୍କା ଥିଲା। ୨୦୨୬ ଫେବ୍ରୁଆରୀ ୨୮ରେ ପ୍ରାୟ ୯୧.୦ରୁ ୯୧.୦୮ଟଙ୍କା ଥିଲାବେଳେ, ମାର୍ଚ୍ଚ ୩୦ରେ ୯୫ ଟଙ୍କାକୁ ହ୍ରାସ ପାଇଥିଲା। ରିଜର୍ଭ ବ୍ୟାଙ୍କ ଡଲାର ବିକ୍ରୟ କରି ଡଲାର ଯୋଗାଣ ବୃଦ୍ଧି କରିବାରୁ ୫ ଏପ୍ରିଲ ୨୦୨୬ରେ ପ୍ରତି ଆମେରିକୀୟ ଡଲାର ମୂଲ୍ୟ ପ୍ରାୟ ୯୩.୨ରୁ ୯୪.୮୬ ଥିଲା। କିନ୍ତୁ ଡଲାର ଯୋଗାଣ ବୃଦ୍ଧି କରି ଟଙ୍କାର ମୂଲ୍ୟ ହ୍ରାସ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଡଲାର ବିକ୍ରୟ କରିବାରୁ ବୈଦେଶିକ ବିନିମୟ ମୁଦ୍ରା ହ୍ରାସ ପାଇଛି। ଟଙ୍କା ବର୍ତମାନ ଦକ୍ଷିଣ ଏସିଆର ସବୁଠାରୁ ଦୁର୍ବଳ ମୁଦ୍ରା। ଯଦି ଇରାନ ଯୁଦ୍ଧ ଜାରି ରହେ, ତେବେ ଟଙ୍କା ଆହୁରି ଦୁର୍ବଳ ହୋଇପାରେ ଏବଂ ଆମେରିକୀୟ ଡଲାର ତୁଳନାରେ ୧୦୦ ଛୁଇଁପାରେ। ଯୁଦ୍ଧ ଯୋଗୁଁ ଷ୍ଟକ୍‌ ମାର୍କେଟ ମଧ୍ୟ ଦ୍ରୁତଗତିରେ ପ୍ରଭାବିତ ହୋଇଛି।

ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଫେବ୍ରୁଆରୀ ୨୭ରେ ସେନ୍‌ସେକ୍ସ ୮୧,୧୫୯.୧୫ ଥିଲା। ୫ ଏପ୍ରିଲ ୨୦୨୬ ସୁଦ୍ଧା ଏହା ୭୪,୨୪୮କୁ ହ୍ରାସ ପାଇଛି। ଅର୍ଥାତ୍‌ ୩୭ ଦିନରେ ୬୯୧୧.୧୫ ଅଙ୍କ ହ୍ରାସ ପାଇଛି। ସେହି ସମୟ ମଧ୍ୟରେ ନିଫ୍ଟି ୨୫,୧୭୮.୬ରୁ ୨୨,୫୨୭କୁ ହ୍ରାସ ପାଇଛି । ଅର୍ଥାତ୍‌ ୩୭ ଦିନରେ ନିଫ୍ଟି ୬୯୧୧.୧୫ ଅଙ୍କ ହ୍ରାସ ପାଇଛି। ମାର୍ଚ୍ଚ ମାସରେ ବିଦେଶୀ ନିବେଶକ ଭାରତୀୟ ଇକ୍ୱିଟିରୁ ପ୍ରାୟ ୧୨.୩ ବିଲିୟନ ବା ୧.୧୪ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି । ଏପ୍ରିଲରେ ଏହି ଧାରା ଜାରି ରହିଛି କେବଳ ପ୍ରଥମ ଦୁଇଟି ବାଣିଜ୍ୟ ଅଧିବେଶନରେ ୧୯,୮୩୭କୋଟି ଟଙ୍କା ଅପସାରିତ ହୋଇଥିଲା । ଏପ୍ରିଲ ୨୦୨୬ ଆରମ୍ଭ ସୁଦ୍ଧା ଭାରତୀୟ ଇକ୍ୱିଟିରୁ ମୋଟ୍‌ ବିଦେଶୀ ନିବେଶକ ୧.୫ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି ।

ଏହି ପ୍ରତ୍ୟାହାର ୧୯୯୨ ପରେ ସର୍ବାଧିକ । ଅଂଶଧନ ବା ଇକ୍ୱିଟି ବିପୁଳ ବହିସ୍‌ରୋତ ଦେଖିଥିଲେ ମଧ୍ୟ ଋଣ ବଜାରରେ ସାମାନ୍ୟ ପ୍ରବାହ କିମ୍ବା ମିଶ୍ରିତ ଗତିବିଧି ଦେଖାଯାଇଥିଲା। ଘରୋଇ ସଂସ୍ଥାଗତ ନିବେଶକମାନେ (ଡିଆଇଆଇ) ରେକର୍ଡ କ୍ରୟ ସହିତ ସ୍ଥିର ଭୂମିକା ଗ୍ରହଣ କରିଛନ୍ତି, ଯେଉଁଥିରେ ମାର୍ଚ୍ଚ ମାସରେ ରେକର୍ଡ ୧.୪୩ଲକ୍ଷ କୋଟି ଟଙ୍କା ସାମିଲ ଅଛି ।

ଭାରତର ତୈଳ ଆମଦାନୀ ବିଲ୍‌ ବହୁ ପରିମାଣରେ ବୃଦ୍ଧିପାଇଛି । ଅଶୋଧିତ ତେଲ ମୂଲ୍ୟରେ ପ୍ରତ୍ୟେକ ୧୦ ଡଲାର ବୃଦ୍ଧି ଘଟିଲେ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ୦.୩% ବୃଦ୍ଧି ପାଏ । ମୁଦ୍ରାସ୍ଫୀତି ୪.୮%କୁ ବୃଦ୍ଧିପାଇବ ବୋଲି ଆଶଙ୍କା ଦେଖାଦେଇଛି । ଏହାଫଳରେ ଷ୍ଟାଗଫ୍‌ଲେସନ୍‌ (ମୁଦ୍ରାସ୍ଫୀତି ବୃଦ୍ଧି ସହିତ ଅର୍ଥନୈତିକ ବୃଦ୍ଧି ହ୍ରାସ)ର ଆଶଙ୍କା ବ?ୁଛି। କେନ୍ଦ୍ର ବଜେଟରେ ସରକାର ୨୦୨୬-୨୭ରେ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୭.୪% ହେବ ବୋଲି ଆକଳନ କରିଛନ୍ତି । ମୁଡି ରେଟିଂ ସଂସ୍ଥା ଏହି ପଶ୍ଚିମ ଏସିଆ ସଂଘର୍ଷର ଅର୍ଥନୈତିକ ପ୍ରଭାବକୁ ସମୀକ୍ଷା କରି ୨୦୨୬-୨୭ରେ ଭାରତର ପୂର୍ବ ଜିଡିପି ବୃଦ୍ଧି ଆକଳନ ୬.୮%କୁ କମାଇ ୬% କରିଛି।

ଅନ୍ୟ ସଂସ୍ଥାମାନେ ମଧ୍ୟ ସମାନ ଅନୁମାନ ଦେଇଛନ୍ତି- ଓଇସିଡି ଭାରତର ଅଭିବୃଦ୍ଧିକୁ ୬.୧% ଏବଂ ନିବେଶ ସୂଚନା ଏବଂ କ୍ରେଡିଟ୍‌ ରେଟିଂ ଏଜେନ୍ସି (ଆଇସିଆରଏ) ଏହାକୁ ୫.୫% ଏବଂ ଏକ ବିଶ୍ୱସ୍ତରୀୟ ବୃତିଗତ ସେବାସଂସ୍ଥା ଏର୍ନଷ୍ଟ ଆଣ୍ଡ ୟଙ୍ଗ, ଅଭିବୃଦ୍ଧି ୬.୫%କୁ ହ୍ରାସ ପାଇବ ବୋଲି ଅନୁମାନ କରିଛି । ମୁଡି ରେଟିଂ ସଂସ୍ଥା ଅନୁସାରେ, ବିଶେଷ କରି ରନ୍ଧନ ଗ୍ୟାସ ଯୋଗାଣରେ ବିଘ୍ନ ଘଟିଲେ ଘରୋଇ ସ୍ତରରେ ଅଭାବ ସୃଷ୍ଟି ହେବ। ଏହାଫଳରେ ଇନ୍ଧନ ଓ ପରିବହନ ଖର୍ଚ୍ଚ ବଢ଼ିବ। ପୁନଶ୍ଚ ସାର ଆମଦାନୀ ଉପରେ ଭାରତ ନିର୍ଭର କରୁଥିବାରୁ ଖାଦ୍ୟ ମୂଲ୍ୟରେ ମଧ୍ୟ ବୃଦ୍ଧି ହେବ। ଏହି ପରିସ୍ଥିତିରେ ସୁଧହାର ଧୀରେ ଧୀରେ ବଢ଼ିପାରେ, ଯାହା ଋଣ ପରିବ୍ୟୟକୁ ଅଧିକ ବ୍ୟୟସାପେକ୍ଷ କରିବ।

ଯୁଦ୍ଧ ପରେ ସାଧାରଣତଃ ଅର୍ଥନୀତିର ପୁନରୁଦ୍ଧାର ହୁଏ, କିନ୍ତୁ ଏଥିରେ ବ୍ୟାପକ ସରକାରୀ ବ୍ୟୟ ଦରକାର। ବର୍ତମାନ ଯୁଗରେ ଏହା ସମ୍ଭବ ହେବା କଷ୍ଟକର, କାରଣ ସମସ୍ତ ଦେଶ ଋଣ ସମସ୍ୟା ଦ୍ୱାରା ପ୍ରଭାବିତ। ବିଶ୍ୱରେ ଋଣ ପରିମାଣ ବୃଦ୍ଧିପାଉଛି ଏବଂ ଡି-ଡଲାରାଇଜେସନ୍‌ ଭଳି ପ୍ରକ୍ରିୟା ଏହାକୁ ଆଉ ଜଟିଳ କରୁଛି। ଉଚ୍ଚ ଋଣରେ ଡୁବିଥିବା ଦେଶମାନଙ୍କୁ ବଣ୍ଡ ବଜାରରେ ଅଧିକ ସୁଧ ଦେବାକୁ ପଡୁଛି । ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଇଂଟରନ୍ୟାସନାଲ୍‌ ଫାଇନାନ୍ସ ଅନୁସାରେ, ୨୦୨୫ରେ ବିଶ୍ୱ ଋଣ ୨୯ ଟ୍ରିଲିୟନ ଡଲାର ବଢ଼ି ୩୪୮ ଟ୍ରିଲିୟନ ଡଲାରକୁ ପହଂଚିଛି। ଏଥିରେ ବଡ ଅଂଶ ଉନ୍ନତ ଅର୍ଥନୀତିର ସରକାରମାନଙ୍କ ଦ୍ୱାରା ସୃଷ୍ଟି। ଏହା ଚିନ୍ତାଜନକ।

ଆମେରିକାର ଋଣ ଜିଡିପି ଅନୁପାତ ପ୍ରାୟ ୧୨୦%କୁ ପହଂଚିଛି। ୨୦୨୬ ପ୍ରାରମ୍ଭରେ ଆମେରିକା ସରକାରଙ୍କ ଋଣ ୩୯ ଟ୍ରିଲିୟନ ଡଲାର ଅତିକ୍ରମ କରିଛି, ଯାହା ୨୦୨୫ ଶେଷଭାଗରେ ପ୍ରତି ତିନିମାସରେ ପ୍ରାୟ ୧ ଟ୍ରିଲିୟନ ଡଲାର ହାରରେ ବୃଦ୍ଧି ପାଇଥିଲା। ୟୁରୋଜୋନ, ଗ୍ରେଟ୍‌ ବ୍ରିଟେନ୍‌ ଓ ଜାପାନରେ ମଧ୍ୟ ଏହି ସମସ୍ୟା ଗମ୍ଭୀର। ଜାପାନରେ ଏହା ଜିଡିପି ୨୫୦% ଠାରୁ ଅଧିକ। ଯଦି ତୈଳମୂଲ୍ୟ ୯୦-୧୦୦ ଡଲାର ମଧ୍ୟରେ ରହେ, ଭାରତ ସରକାର ସବ୍ସିଡି ଓ ସାମାଜିକ ସୁରକ୍ଷା ବ୍ୟୟକୁ ହ୍ରାସକରିବେ । ଏହା ସହିତ ଗଲ୍ଫ ଅଂଚଳରୁ ଆସୁଥିବା ରେମିଟ୍ଟାନ୍ସ (ଯାହା ପ୍ରାୟ ୪୦%) ମଧ୍ୟ ହ୍ରାସ ପାଇପାରେ । ମୁଡି ଏହା ମଧ୍ୟ କହିଛି ଯେ, ବଢ଼ୁଥିବା ଖର୍ଚ୍ଚ ଓ କମୁଥିବା ଆୟ ଫଳରେ ବିତୀୟ ଶୃଙ୍ଖଳା ବଜାୟ ରଖିବା କଷ୍ଟକର ହୋଇପାରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ମାସିକ ଅର୍ଥନୈତିକ ସମୀକ୍ଷାରେ କୁହାଯାଇଛି ଯେ, ୨୦୨୬-୨୭ରେ ବାଣିଜ୍ୟ ନିଅଂଟ ଏବଂ ଚଳନ୍ତି ଆକାଉଂଟ ନିଅଂଟ ଅଧିକ ରହିବ। ଯଦି ସଙ୍କଟ କମି ନଯାଏ ଏବଂ ଏହି ଧାରା ଜାରି ରହିପାରେ। ତେବେ ଏକ ଭୟଙ୍କର ପରିସ୍ଥିତି ଉପୁଜିବ। ଯଦି ତୈଳମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାରରୁ ଅଧିକ ରୁହେ, ଛଅମାସ ପାଇଁ ତୈଳ ଆମଦାନୀ ଉପରେ ପ୍ରାୟ ୪୫ ବିଲିୟନ ଡଲାର ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ, ଯାହା ଟଙ୍କା ଉପରେ ଚାପ ପକାଇବ ଏବଂ ଯୋଗାଣ ଏବଂ ଚାହିଦା ଉଭୟକୁ କ୍ଷତି ପହଂଚାଇ ପାରେ। ତଥାପି, ଏହି କ୍ଷତିଗୁଡିକୁ ବହନ କରିବା ପାଇଁ ସରକାରଙ୍କ ପାଖରେ ବହୁତ ଆର୍ଥିକ ସମ୍ବଳ ନାହିଁ, କାରଣ କେନ୍ଦ୍ର ଏବଂ ରାଜ୍ୟଗୁଡିକର ମୋଟ୍‌ ଋଣ ଜିଡିପିର ପ୍ରାୟ ୮୫% । କେବଳ କେନ୍ଦ୍ର ଋଣ ୨୦୨୪-୨୫ରେ ଜିଡିପିର ୫୭% ରୁ ୨୦୩୦-୩୧ ସୁଦ୍ଧା ୫୦% ପର୍ଯ୍ୟନ୍ତ କମେଇବା ଯେଉଁ ଲକ୍ଷ୍ୟ ରହିଛି ତାହା ସମ୍ଭବ ହେବନି।

ଏଣୁ ଯଦି ଏହି ସଙ୍କଟ କିଛି ମାସ ଲାଗି ରୁହେ, ତେବେ ଚାରିଟି ଗୁରୁତ୍ୱପୂର୍ଣ୍ଣ ସାମୂହିକ ସୂଚକାଙ୍କ ଯଥା- ବାଣିଜ୍ୟ ନିଅଂଟ, ଚଳନ୍ତି ଆକାଉଂଟ ନିଅଂଟ, ମୁଦ୍ରାସ୍ଫୀତି, ଋଣ ବୃଦ୍ଧି ପାଇବ ଏବଂ ଅଭିବୃଦ୍ଧି ହ୍ରାସ ପାଇବ। ଉଚ୍ଚମୂଲ୍ୟ ଓ ଇନପୁଟ୍‌ ଖର୍ଚ୍ଚ ବୃଦ୍ଧି ଫଳରେ ବ୍ୟକ୍ତିଗତ ଖର୍ଚ୍ଚ ବ୍ୟୟସାପେକ୍ଷ ହେବ ଏବଂ ଔଦ୍ୟୋଗିକ କାର୍ଯ୍ୟକଳାପ ମାନ୍ଦା ହେବା ସହିତ ପୁଞ୍ଜି ବିନିଯୋଗ ହ୍ରାସ ପାଇବ, ଯାହା ଅର୍ଥନୈତିକ ବୃଦ୍ଧିକୁ ପ୍ରଭାବିତ କରିବ। ଯାହା ଫଳରେ ଚାକିରିର ଅଭାବ, ପ୍ରକୃତ ମଜୁରି ହ୍ରାସ ପାଇବ। ପୁନଶ୍ଚ ମାର୍ଚ୍ଚ ୨୦୨୬ରେ ଭାରତର ମାନ୍ୟୁଫାକ୍‌ଚରିଂ ବା ଉତ୍ପାଦନ ଅଭିବୃଦ୍ଧି ୪୫ ମାସର ସର୍ବନିମ୍ନ ସ୍ତରରେ ପହଂଚିଛି। ବୃଦ୍ଧି ପାଉଥିବା ଇନପୁଟ୍‌ ଖର୍ଚ୍ଚ, ପଶ୍ଚିମ ଏସିଆରେ ଭୂ-ରାଜନୈତିକ ଉତେଜନା ଏବଂ ଚାହିଦା ହ୍ରାସ ଯୋଗୁଁ ଅଭିବୃଦ୍ଧି ମନ୍ଥର ହୋଇଛି। ଭାରତର ଆର୍ଥିକ ଉନ୍ନତି ପାଇଁ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଅତ୍ୟନ୍ତ ଜରୁରି, କାରଣ ଏଠାରୁ ଭାରତର ପ୍ରାୟ ୫୫% ଅଶୋଧିତ ତୈଳ ଓ ୯୦%ଠାରୁ ଅଧିକ ରନ୍ଧନ ଗ୍ୟାସ୍‌ ଆସିଥାଏ। ଏହି ଅଂଚଳରେ ଅସ୍ଥିରତା ଲାଗିରହିଲେ ତାହାର ପ୍ରଭାବ ସିଧାସଳଖ ଭାବେ ଭାରତର ଅର୍ଥନୀତି ଉପରେ ପଡିବ।

ସଂକ୍ଷେପରେ କହିଲେ, ବିଶ୍ୱ ଅର୍ଥନୀତି ଏକ ଅନିଶ୍ଚିତ ଓ ସଙ୍କଟପୂର୍ଣ୍ଣ ପର୍ଯ୍ୟାୟକୁ ପ୍ରବେଶ କରୁଛି, ଯେଉଁଠାରେ ଭୂରାଜନୈତିକ ସଙ୍କଟ, ଋଣ ବୃଦ୍ଧି, ଓ ଷ୍ଟାଗଫ୍‌ଲେସନ୍‌ ବା ସ୍ଥାଣୁତ୍ୱଯୁକ୍ତ ମୁଦ୍ରାସ୍ଫୀତି ସଙ୍କଟ ଦେଖାଦେଇଛି । ରାଷ୍ଟ୍ରମୁଖ୍ୟମାନେ ବୁଝିବା ଉଚିତ ଯେ, ଯୁଦ୍ଧ କୌଣସି ସମସ୍ୟା ସମାଧାନ କରେନାହିଁ । ଯୁଦ୍ଧ କେବଳ ଧନଜୀବନର କ୍ଷୟକ୍ଷତି ନୁହେଁ, ବରଂ ଏହା ମାନବିକତା ଏବଂ ଜୀବନର ବିକାଶ ପଥରେ ବଡ ପ୍ରତିବନ୍ଧକ ସୃଷ୍ଟିକରେ। କେଉଁ ଦେଶ ଜିତିବ ବା ହାରିବ ପ୍ରଶ୍ନ ନୁହେଁ, ଉଭୟ ଜିତିବା ଓ ହାରିବା ଦେଶ କ୍ଷତିଗ୍ରସ୍ତ ହୁଅନ୍ତି । ଯୁଦ୍ଧରେ ସେନା ଏବଂ ସାଧାରଣ ନାଗରିକଙ୍କ ଜୀବନ ଯିବା ସହ ଦେଶର ଅର୍ଥନୀତି ନିମ୍ନଗାମୀ ହୁଏ, ଯାହାକୁ ପୁନରୁଦ୍ଧାର କରିବାକୁ ବର୍ଷ ବର୍ଷ ଲାଗିଯାଏ ।