ଶହ ଶହ ବର୍ଷ ଧରି ରାଜାରାଜୁଡ଼ା ଶାସନକୁ ଆଦରି ନେଇଥିବା ଜନତା ନିଜକୁ ଗୋଲାମ ମଣିଥିଲେ । ରାଜାଙ୍କ ଆଦେଶକୁ ମଥା ନୁଆଁଇ ପାଳନ କରିବା ସେମାନଙ୍କର ଧର୍ମ ବୋଲି ଧରି ନେଇଥିଲେ । ପ୍ରଜାବତ୍ସଳ ରାଜାଙ୍କ ଗୁଣଗାନ କରି ରାଜ ଅନୁଗ୍ରହ ଲାଭ କରିବା ଓ ରାଜ ଦରବାରରେ ସମ୍ମାନିତ ହେବା ଯେ କୌଣସି ପ୍ରଜା ପାଇଁ ମହାଭାଗ୍ୟର କଥା । ଅତ୍ୟାଚାରୀ ରାଜାଙ୍କ ଶାସନ ନୀତିକୁ ପ୍ରତିବାଦ କରି ରାଜଦଣ୍ଡ ଲାଭ କରିବା ଯେକୌଣସି ପ୍ରଜା ପକ୍ଷେ ଏକ ଅଭିଶାପ ।
ଏମିତି ଏକ ରାଜନୈତିକ ପରିବେଶ ଭିତରକୁ ପଶିଆସିଲେ କିଛି ବିଦେଶୀ ଶକ୍ତି । ସେହି ବିଦେଶୀ ଶକ୍ତିଗୁଡ଼ିକ ଭିତରୁ ଇଂଲଣ୍ଡରୁ ଭାରତକୁ ଆସିଥିବା ବିଦେଶୀ କମ୍ପାନୀ କଳବଳ କୌଶଳ ପ୍ରୟୋଗ କରି ଭାରତର ରାଜବଂଶକୁ କବଳିତ କଲା । ବିଦେଶୀ କମ୍ପାନୀର ସୈନ୍ୟବାହିନୀ ହାତରେ ଥିବା ବନ୍ଧୁକ, କମାଣ, ଗୁଳିଗୋଳା ଓ ସେଗୁଡ଼ିକର କରାମତି ଦେଖି ଭାରତର ବହୁ ରାଜାରାଜୁଡ଼ା ବିଦେଶୀ କମ୍ପାନୀ ସହିତ ବୁଝାମଣା କରିବାକୁ ବାଧ୍ୟ ହେଲେ ।
ଇଂରେଜ ସରକାର ଓ ଭାରତର ରାଜବଂଶ ମଧ୍ୟରେ ହୋଇଥିବା ବୁଝାମଣାର କୁପରିଣାମ ସାରା ଭାରତର ଗରିବ ଅଶିକ୍ଷିତ ଜନତାଙ୍କୁ ଭୋଗିବାକୁ ପଡ଼ିଲା । ଭାରତର ଅଧିକାଂଶ ରାଜ ପରିବାରଙ୍କ ସ୍ୱାର୍ଥଯଜ୍ଞରେ ବଳି ପଡ଼ିଗଲେ କୋଟି କୋଟି ନିରୀହ ପ୍ରଜା ।
ସମୟ ସୁଅରେ ଭାରତର ୩୫ କୋଟି ଗୋଲାମଙ୍କୁ ହଠାତ୍ ସ୍ୱାଧିନ କରି ଦିଆଗଲା । ଲୁହା ପଞ୍ଜୁରୀ ଭିତରେ ବର୍ଷ ବର୍ଷ ଧରି ରହିଥିବା ଶୁଆଟିକୁ ହଠାତ୍ ପଞ୍ଜୁରୀ ବାହାରକୁ କାଢ଼ି ଆଣି ମୁକ୍ତ ଆକାଶରେ ଛାଡ଼ି ଦେଲେ ସିଏ କ’ଣ ମୁକ୍ତ ଆକାଶର ବିହଙ୍ଗ ଭଳି ଉଡ଼ି ପାରିବ?
୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତକୁ ସ୍ୱାଧିନ କରି ଦିଆଗଲା । ସ୍ୱାଧିନ ଭାରତର ତତ୍କାଳୀନ ଭାଗ୍ୟବିଧାତା ଭାରତର ୩୫ କୋଟି ଗରିବ ଅଶିକ୍ଷିତ ଜନତାଙ୍କୁ ଯାହା ଆଦେଶ ଦେଲେ, ନିରୀହ ଜନତା ତାକୁ ଭଗବାନଙ୍କ ଆଦେଶ ମଣି ପାଳନ କରି ଆସୁଛନ୍ତି । ଆଜି ଭାରତର ଲୋକସଂଖ୍ୟା ପ୍ରାୟ ୧୪୫ କୋଟି ।
ଆମ ଭାଗ୍ୟ ବିଧାତାମାନେ ଆମ ହାତକୁ ଯେଉଁ ସମ୍ବିଧାନ ଟେକି ଦେଇଛନ୍ତି । ସେହି ସମ୍ବିଧାନରେ ରାଜାରାଜୁଡ଼ା ଶାସନ ପରମ୍ପରାକୁ ସ୍ଥାନ ଦିଆଯାଇନି । ସମ୍ବିଧାନରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ନିର୍ବାଚନ ଆୟୋଗ ଗଠନ କରାଯାଇଛି । ନିର୍ବାଚନ କମିଶନ ନିକଟରେ ପଞ୍ଜୀକୃତ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି ।
ଲୋକସଭା ଅବା ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ରାଜନୈତିକ ଦଳ ବା ମେଂଟ ଶାସନ ପରିଚାଳନା କରନ୍ତି ।
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଓ ରାଜାରାଜୁଡ଼ାଙ୍କ ଶାସନ ବ୍ୟବସ୍ଥା ସଂପୂର୍ଣ୍ଣ ଅଲଗା । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଅନୁସାରେ ସାଧାରଣ ଖଟିଖିଆ ଓ ମେହେନତି ମଣିଷ ଦେଶର ଅସଲ ଶାସକ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଗଣ ୧୪୫ କୋଟି ଜନତାଙ୍କ ସେବକ । ଆଇଏଏସ୍ ଆଇପିଏସ୍ ଆଇ ଏଫ୍ ଏସ୍ ଅଧିକାରୀମାନେ ଜନତାଙ୍କ ସେବକ ।
ଭାରତର ସମ୍ବିଧାନରେ ଯାହା ଲେଖାଯାଇଛି, ବାସ୍ତବ କ୍ଷେତ୍ରରେ ତା’ର ଓଲଟା ଶାସନ ଚାଲିଛି । ଏଠି ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କୁ କ୍ଷମତାସୀନ ଦଳ ବା ମେଂଟ ମର୍ଜିରେ ଚଳିବାକୁ ପଡୁଛି । ପ୍ରଧାନମନ୍ତ୍ରୀଙ୍କ ମର୍ଜିରେ ଉଠିବାକୁ ପଡୁଛି, ବସିବାକୁ ପଡୁଛି ।
ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଭିତରେ ରାଜତନ୍ତ୍ର ପରମ୍ପରାକୁ ଫେନ୍ଟି ଦେଇଛନ୍ତି । ଭାରତର ସାମ୍ବିଧାନିକ ଶାସନ ବ୍ୟବସ୍ଥା ଭିତରେ ବାପ-ପୁଅ, ବାପ-ଝିଅ, ରାଜା-ରାଣୀ, ସ୍ୱାମୀ-ସ୍ତ୍ରୀ ଶାସନ ପରମ୍ପରାକୁ ଖଞ୍ଜି ଦେଇଛନ୍ତି । ସମାଜବାଦୀ ପାର୍ଟି, ବିଜୁ ଜନତା ଦଳ ଭଳି ଆଂଚଳିକ ଦଳଗୁଡ଼ିକ ବଂଶ ପରମ୍ପରା ଶାସନ ପଦ୍ଧତିକୁ ସାମ୍ବିଧାନିକ ଶାସନ ଛାଂଚରେ ପକାଇ ଦେଇଛନ୍ତି । ଗଣତାନ୍ତ୍ରିକ ଶାସନ ଓ ରାଜତନ୍ତ୍ର ଶାସନ ସଂପୂର୍ଣ୍ଣ ବିପରୀତ ମୁଖୀ ।
ଏସବୁ ଆପଣଙ୍କୁ କହିବାର ମାନେ ହେଉଛି ଆପଣମାନେ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ପ୍ରକୃତ ଚେହେରା ଜାଣନ୍ତୁ । ଚିହ୍ନନ୍ତୁ । ଅନ୍ୟଙ୍କୁ କୁହନ୍ତୁ । ବାପ ମରିଗଲେ ପୁଅକୁ ଭୋଟ ଦେଇ ବିଧାନସଭାକୁ ପଠାଇବା ବନ୍ଦ କରନ୍ତୁ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅନୁକମ୍ପା ଭୋଟ୍ ର ସ୍ଥାନ ନାହିଁ ।