ବନ୍ଦ ହୋଇଯିବ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ରେସ୍ତୋରାଁ ‘ବସ୍ତିଆନ୍ ବାନ୍ଦ୍ରା’ !
ବୁଧବାର ଦିନ ରାତି ସୁଦ୍ଧା ବନ୍ଦ ହୋଇଯାଉଛି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ହାତଗଢ଼ା ରେସ୍ତୋରାଁ ‘ବସ୍ତିଆନ୍ ବାନ୍ଦ୍ରା’ । ରେସ୍ତୋରାଁ ପ୍ରତିଷ୍ଠା ହେବା ଦିନଠାରୁ ବହୁ ଜଣାଶୁଣା ନାମୀଦାମୀ ଲୋକଙ୍କ ପ୍ରତି ସମର୍ପିତ ଥିଲା । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରତିଷ୍ଠିତ ଲୋକଙ୍କ ମୁହଁରେ ‘ବସ୍ତିଆନ ବାନ୍ଦ୍ରା’ ପ୍ରତି ଏକ ମମତା ଫୁଟି ଉଠୁଥିଲା ।
ସତେ ଯେମିତି କାହାର ଅଶୁଭ ଦୃଷ୍ଟି ପଡ଼ିଗଲା ରେସ୍ତୋରାଁ ଉପରେ । ପାପାରାଜିଙ୍କ ପ୍ରିୟ ରେସ୍ତୋରାଁ ସବୁଦିନ ପାଇଁ ବନ୍ଦ ହୋଇଯାଉଛି । ସହର ଭିତରେ ଶିଳ୍ପାଙ୍କର ବହୁତ ରେସ୍ତୋରାଁ ରହିଛି । ମାତ୍ର ଆମେ ଯେଉଁ ରେସ୍ତୋରାଁ କଥା କହୁଛୁ, ତା’ର ଗୋଟିଏ ସ୍ୱତନ୍ତ୍ର ପରିଚୟ ଅଛି ।
ପାପାରାଜିଙ୍କ ମହଲରେ ‘ବସ୍ତିଆନ୍ ବାନ୍ଦ୍ରା’ ଏକ ସୁନା ଈଲିଶି ଧରା କେନ୍ଦ୍ର । କୋଉ ସେଲିବ୍ରିଟିଙ୍କ ଗୁମର ଖୋଲିଲେ ସାମ୍ବାଦିକତା କ୍ଷେତ୍ରରେ ରାତାରାତି ଷ୍ଟାର ହୋଇଯିବ, ତାହା ପାପାରାଜିଙ୍କୁ ମାଲୁମ ।
କିଛି ଦିନ ହେଲା ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପୁଣି ୬୦ କୋଟି ଟଙ୍କା ଠକେଇ ମାମଲାରେ ଫସି ଯାଇଛନ୍ତି । ଏଥର ଠକେଇର ଶିକାର ହୋଇଛନ୍ତି ବ୍ୟବସାୟୀ ଦୀପକ କୋଠାରୀ । ଦୀପକ ହେଉଛନ୍ତି ଲୋଟସ୍ କ୍ୟାପିଟାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ନିର୍ଦ୍ଦେଶକ ।
ଅବଶ୍ୟ ଶିଳ୍ପା ଓ ରାଜଙ୍କ ମୁଣ୍ଡରେ ଲଗା ଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଓକିଲ ପ୍ରଶାନ୍ତ ପାଟିଲ ।
ଆଇନଜୀବୀ ପ୍ରଶାନ୍ତ ପାଟିଲ କହନ୍ତି, ଆମକୁ ଏ ପର୍ଯ୍ୟନ୍ତ ଏଫ୍ ଆଇ ଆର୍ କପି ଦିଆଯାଇନି । କପି ପାଇଲା ପରେ ଆମେ ପରବର୍ତୀ ପଦକ୍ଷେପ ଗ୍ରହଣ କରିବୁ । ମାମଲା ୭-୮ ବର୍ଷ ତଳର କଥା । ଯଦି କେହି ଠକାମିର ଶିକାର ହୋଇଚନ୍ତି, ସେ ଥାନାରେ ଅଭିଯୋଗ କରିବା ପାଇଁ ୮-୧୦ ବର୍ଷ ବିଳମ୍ବ କରିବ? ୭-୮ ବର୍ଷ ତଳର ମାମଲା ଅର୍ଥ ବଳିଷ୍ଠ କାଗଜପତ୍ର ନିଶ୍ଚିତ ଥିବ ।
ବିନା କାଗଜପତ୍ରରେ କେହି ପୁଲିସ ନିକଟରେ ଅଭିଯୋଗ କରି ପାରିବେନି । କୋଠାରୀ ଅଭିଯୋଗ କରିଛନ୍ତି ଯେ ଆଜକୁ ୮-୧୦ ବର୍ଷ ତଳେ ବ୍ୟବସାୟ ବଢ଼ାଇବା ପାଇଁ ଶିଳ୍ପା ଓ ରାଜ ଟଙ୍କା ନେଇଥିଲେ, କିନ୍ତୁ ବ୍ୟବସାୟ ବାଟରେ ଟଙ୍କା ଖର୍ଚ୍ଚ ନକରି ବ୍ୟକ୍ତିଗତ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିଛନ୍ତି ।