ନୂଆଦିଲ୍ଲୀ: ବାସ୍ତବ ଅବାସ୍ତବ ଭିତରେ ଭିନ୍ନତାର ସ୍ୱାଦ ଅନୁଭବ କରିବା ଏବେ ଆମ ପାଇଁ ଏକ ଚାଲେଂଜ ହେବାକୁ ଯାଉଛି । ସମୟ ସହିତ ତାଳ ଦେଇ ପ୍ରକୃତ କଳାକାରଙ୍କ ସହିତ ମୁକାବିଲା କରିବା ପାଇଁ ମନୋରଂଜନ କ୍ଷେତ୍ରକୁ ଓହ୍ଲାଇ ଆସିଛନ୍ତି ଦୁଇଟି କାଳ୍ପନିକ ଚରିତ୍ର ‘ଐଶାନ ଓ ରୁହି’ ।
ଭାରତର ଏକ ଜଣାଶୁଣା ମିଡିଆ ଗ୍ରୁପ ପକ୍ଷରୁ ଏପରି ଉଦ୍ୟମ ଆରମ୍ଭ କରାଯାଇଛି । ଏକ ମନୋଜ୍ଞ ପରିବେଶରେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ ଆର୍ଟିଫିସିଆଲ ଇଂଲେଲିଜେନ୍ସ (ଏଆଇ) ଶକ୍ତିବିଶିଷ୍ଟ କଳାକାର ଐଶାନ ଓ ରୁହି । ମନୋରଂଜନ ଦୁନିଆ ପାଇଁ ଏହା ଏକ ଚମକ୍ରାର ନିଶ୍ଚିତ । ଆଗାମୀ ଦିନରେ ଏମିତି ଅନେକ ଚମକ୍ରାର ଦେଖିବାକୁ ମିଳିବ । ଏହା ପୂର୍ବରୁ କାର୍ଟୁନ ଦୁନିଆ ଥିଲା ସଂପୂର୍ଣ୍ଣ ଅଲଗା । ସେଥିରେ ମଧ୍ୟ ନାୟକ ନାୟିକାଙ୍କ ମଧ୍ୟରେ ରହୁଥିଲା ଭରପୁର ଭଲ ପାଇବା, ସମୁଦ୍ରତଟରେ ହାତ ଧରି ବୁଲିବା, ମଉଜ କରିବା ଓ ଖଳନାୟକ ଫାଶରେ ପଡ଼ି କଲବଲ ହେବା ଓ ପରିଶେଷରେ ନାୟକ ନାୟିକାଙ୍କ ପୁନର୍ମିଳନ ।
ଶନିବାର ଦିନ ପାରମ୍ପରିକ ଲୋକକଳାକୁ ବଜାୟ ରଖିଥିବା କଳାକାରଙ୍କ ବାଦ୍ୟଯନ୍ତ୍ରର ତାଳ ସହିତ ପାଦ ମିଳାଇ ଦୁଇଜଣ ଡିଜିଟାଲ କଳାକାର ଐଶାନ ଓ ରୁହି ନୃତ୍ୟ ପରିବେଷଣ କରି ଉପସ୍ଥିତ ଜନତାଙ୍କ ମନକୁ କିଛିକ୍ଷଣ ପାଇଁ ମୋହିତ କରିଥିଲେ । କେବଳ ସେତିକି କରି ନଥିଲେ, କିଛି ଦର୍ଶକଙ୍କ ପ୍ରଶ୍ନର ଜବାବ ଦେଇ ପରିବେଶକୁ ଭୌତିକ ଦୁନିଆକୁ ନେଇ ଯାଇଥିଲେ । ସଂକ୍ଷେପରେ କହିଲେ, ଏଣିକି କଳାକାରମାନେ ସୁଟିଂ ପାଇଁ ଡେଟ୍ ନଦେଇପାରିଲେ, ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ଏଆଇ କଳାକାରଙ୍କ ଜରିଆରେ ସବୁ କାମ ସମ୍ଭାଳି ନେବେ । ନା’ କ’ଣ?