ନଭେମ୍ବର ୯ରେ ରିଲିଜ ହେବ ‘ଲକ୍ଷ୍ମୀ ବମ୍ବ୍’

ମୁମ୍ବାଇ: ଖିଲାଡ଼ି ଅକ୍ଷୟ କୁମାରଙ୍କର ଚର୍ଚ୍ଚିତ ଫିଲ୍ମ ‘ଲକ୍ଷ୍ମୀ ବମ୍ବ୍’ର ରିଲିଜ ଡେଟ୍ ଘୋଷଣା ହୋଇଛି। ଚଳିତ ବର୍ଷ ନଭେମ୍ବର ୯ରେ ଏହା ମୁକ୍ତିଲାଭ କରିବ। ଏନେଇ ନିଜେ ଅକ୍ଷୟ କୁମାର ସୂଚନା ଦେଇଛନ୍ତି।

‘ଲକ୍ଷ୍ମୀ ବମ୍ବ୍’ ହେଉଛି ତାମିଲ୍ ଫିଲ୍ମ ‘କଞ୍ଚନା’ର ହିନ୍ଦୀ ରିମେକ୍। ଏହି ହରର ଫିଲ୍ମରେ ଅକ୍ଷୟ ଜଣେ କିନ୍ନର ଭୁମିକାରେ ନଜର ଆସିବେ। କଞ୍ଚନାରେ ଅଭିନୟ କରିସାରିଥିବା ତାମିଲ୍ ଅଭିନେତା ରାଘବ ଲରେନ୍ସ ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ଫିଲ୍ମରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ କିଆରା ଆଡ଼ଭାନୀ। ଯିଏ କି ଅକ୍ଷୟଙ୍କ ଠାରୁ ବୟସରେ ୨୫ ବର୍ଷ ସାନ।

କୋଭିଡ଼ କଟକଣା ଭିତରେ ପୂର୍ବରୁ ଥରେ ସିନେମାର ରିଲିଜ ଡେଟ୍ ଘୁଞ୍ଚି ସାରିଛି। ପ୍ରଥମେ ଏହା ମେ ୨୨ ତାରିଖରେ ରିଲିଜ ହେବାର ଥିଲା। ସେବେ ସେତେବେଳକୁ ସିନେମା ହଲ୍ ବନ୍ଦ ହୋଇସାରିଥିଲା ଏବଂ ସୁଟିଂ କିଛି ବାକି ଥିଲା। ପରେ ଏହାକୁ ଓଟିଟି(ଅନ ଲାଇନ) ପ୍ଲାଟଫର୍ମରେ ରିଲିଜ କରାଯିବା ନେଇ ଘୋଷଣା ହୋଇଥିଲା। ଏବେ ତାହା ଡିସନୀ ପ୍ଲସ ହଟଷ୍ଟାର ଭିଆଇପିରେ ମୁକ୍ତିଲାଭ କରିବ।

ନିକଟରେ ଅଙ୍ଗ୍ରେଜି ମିଡ଼ିୟମ୍, ଧୂମକେତୁ, ଶକୁନ୍ତଳା ଦେବୀ, ଗୁଞ୍ଜନ ସକ୍ସେନା ଭଳି ସିନେମା ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି। ଏଗୁଡ଼ିକ ମଧ୍ୟରୁ କିଛି ଫିଲ୍ମ ଭଲ ବ୍ୟବସାୟ କରିଛନ୍ତି। ତେବେ ଅକ୍ଷୟଙ୍କ ସିନେମା ୧୨୫ କୋଟି ଟଙ୍କାରେ ଓଟିଟି ପ୍ଲାଟଫର୍ମରେ ବିକ୍ରି ହେବାକୁ ଚୂଡ଼ାନ୍ତ ହୋଇଛି।