ନୂଆଦିଲ୍ଲୀ: ସିନେପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲିଠାରୁ ଦେଶରେ ସିନେମା ହଲ୍ ଖୋଲାହେବ । ତେବେ ସିନେମା ହଲ୍ ଖୋଲିବା ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ହଲଗୁଡ଼ିକ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ସିନେମା ହଲ୍ ଖୋଲିବା ସହ ଲୋକେ ଏବେ ନିଜର ମନପସନ୍ଦର ଫିଲ୍ମକୁ ବଡ଼ ସ୍କ୍ରିନରେ ଦେଖିବାକୁ ପାଇବେ ଦର୍ଶକ।
ମହାମାରୀ କରୋନା ଯୋଗୁ ଗତ ୬ ମାସ ଧରି ସିନେମା ହଲ୍ ଓ ଥିଏଟର୍ ବନ୍ଦ ରହିଥିଲା। ତେବେ ଆସନ୍ତାକାଲିଠାରୁ ସିନେମା ହଲ୍ ଖୋଲିବା ମାତ୍ରକେ କୌଣସି ନୂଆ ଫିଲ୍ମ ରିଲିଜ୍ ହେବ ନାହିଁ। ଏ ନେଇ ଟ୍ରେଡ୍ ଆନାଲିଷ୍ଟ୍ ତରନ ଆଦର୍ଶ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଲେଖିଛନ୍ତି, ଚଳିତ ସପ୍ତାହରେ ସିନେମା ହଲ୍ ଖୋଲିବାକୁ ଯାଉଛି। ଚଳିତ ସପ୍ତାହରେ ୬ ହିନ୍ଦୀ ଫିଲ୍ମର ପ୍ରି-ରିଲିଜ୍ ପାଇଁ ଘୋଷଣା କରାଯାଇଛି। ଏଥିରେ ତାନାଜୀ, ୱାର୍, ଶୁଭ ମଙ୍ଗଲ ଜ୍ୟାଦା ସାବଧାନ୍, ମଲଙ୍ଗ, ଥପ୍ପଡ ଓ କେଦାରନାଥ ସାମିଲ୍ ଅଛି। ଆଗାମୀ ଦିନରେ ଆଉ କିଛି ଫିଲ୍ମ ପାଇଁ ସିଡ୍ୟୁଲ୍ ଜାରି କରାଯିବ। ଯେପରିକି ରଣବୀର ସିଂହଙ୍କ ‘୮୩ ଦି ଫିଲ୍ମ’ ଓ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ର ରିଲିଜ୍ ହେବାର ସମ୍ଭାବନା ରହିଛି।
ଏହି ସବୁ ଫିଲ୍ମ ମଧ୍ୟରେ କେଦାରନାଥ ୨୦୧୯ରେ ରିଲିଜ୍ ହୋଇଥିଲା। ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଏବେବି ସସପେନ୍ସ ରହିଛି। ଯେହେତୁ ଏବେ ସୁଶାନ୍ତଙ୍କ ମାମଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି, ତେଣୁ ତାଙ୍କର ଫିଲ୍ମର ‘କେଦାରନାଥ’କୁ ଆଉଥରେ ରିଲିଜ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ଚଳିତବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ମଧ୍ୟରୁ ଅଜୟ ଦେବଗନଙ୍କ ‘ତାନାଜୀ’ ବକ୍ସ ଅଫିସରେ ଧମାଲ୍ କରିଥିଲା। ଏହି ଫିଲ୍ମ ଜାନୁଆରୀରେ ରିଲିଜ୍ ହୋଇଥିଲା। ତାନାଜୀ ମଧ୍ୟ ଚଳିତ ବର୍ଷର ସବୁଠାରୁ ଅଧିକ ଆୟକାରୀ ଫିଲ୍ମ ହୋଇଛି। ତେବେ କରୋନା କାରଣରୁ କିଛି ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଇଥିଲା। ସୂଚନା ଅନୁସାରେ , ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ମୁତାବକ ଗୁରୁବାର ଅର୍ଥାତ୍ ଅକ୍ଟୋବର ୧୫ ତାରିଖରୁ ୫୦ ପ୍ରତିଶତ କ୍ଷମତା ସହ ସବୁ ସିନେମାହଲ୍, ଥିଏଟର ଓ ମଲ୍ଟି ପ୍ଲେକ୍ସ ଖୋଲାଯିବ।