‘ପଠାନ୍’ରେ ଏକାଠି ନଜର ଆସିବେ ଜନ୍ ଓ ଶାହରୁଖ

ମୁମ୍ବାଇ: ବଲିଉଡରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବାକୁ ଯାଉଛନ୍ତି କିଙ୍ଗ୍ ଖାନ ଶାହରୁଖ ଓ ଜନ ଆବ୍ରାହମ୍। ୟସରାଜ ଫିଲ୍ମ୍ସ ବ୍ୟାନରରେ ନିର୍ମାଣ ହେବାକୁ ଥିବା ନୂଆ ସିନେମା ‘ପଠାନ୍’ରେ ଏହି ଦୁଇ ସୁପରଷ୍ଟାର କାମ କରିବେ। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱରେ ସିଦ୍ଧାର୍ଥ ଆନନ୍ଦ ଥିବାବେଳେ ଦୀର୍ଘ ୨ ବର୍ଷ ପରେ ପରଦାକୁ ଫେରୁଛନ୍ତି ଶାହରୁଖ।

ଫିଲ୍ମଟିରେ ଶାହରୁଖ ହିରୋ ଭୂମିକାରେ ନଜର ଆସିବାକୁ ଥିବାବେଳେ ଭିଲେନ୍ ସାଜିବେ ଜନ୍। ଏହି ଆକ୍ସନ ଥ୍ରିଲର ଫିଲ୍ମରେ ଉଭୟଙ୍କ ମଧ୍ୟରେ ମୁଷା- ବିଲେଇ ଲଢ଼େଇ ଦେଖିବାକୁ ମିଳିବ। ଭାରତ ସମେତେ ବିଦେଶର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବ। ଆସନ୍ତା ବର୍ଷ ଜାନୁଆରୀରୁ ସୁଟିଂ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ ସୁଦ୍ଧା ସାରିବାକୁ ଲକ୍ଷ ରଖାଯାଇଛି। ବର୍ଷର ଶେଷ ଆଡ଼କୁ ଏହା ପରଦାରେ ରିଲିଜ ହୋଇପାରେ। ତେବେ ଶାହରୁଖ ପ୍ରଥମେ ସୁଟିଂରେ ଯୋଗଦେବେ ବୋଲି ଜଣାପଡ଼ିଛି। ଜନ୍ ସତ୍ୟମେବ ଜୟତେ -୨ର ସୁଟିଂ ସାରି ମାର୍ଚ୍ଚ କିମ୍ବା ଏପ୍ରିଲ୍ ସୁଦ୍ଧା ଶାହରୁଖଙ୍କ ସହ ଯୋଗଦେବେ।

ଶୁଣାଯାଉଛି କି ଲିଡ଼୍ ହିରୋଇନ୍ ଭାବେ ଦୀପିକା ପାଦୁକୋନଙ୍କୁ ନିଆଯାଇପାରେ। ଏପରି ହେଲେ ଓମ୍ ଶାନ୍ତି ଓମ୍, ହ୍ୟାପି ନ୍ୟୁ ଇୟର ଏବଂ ଚେନ୍ନାଇ ଏକ୍ସପ୍ରେସ ପରେ ଚତୁର୍ଥ ଥର ପାଇଁ ପ୍ରଶଂସକ ଶାହରୁଖ -ଦୀପିକାଙ୍କ ଯୋଡ଼ିକୁ ରୁପେଲି ପରଦାରେ ଦେଖିବାକୁ ପାଇବେ। ଆସନ୍ତା ୨୭ ସେପ୍ଟେମ୍ବରରେ ନିଜର ୫୦ ତମ ପ୍ରତିଷ୍ଠା ଉତ୍ସବ ତଥା ୟଶ ଚୋପଡ଼ାଙ୍କ ଜନ୍ମଦିନ ଅବସରରେ ଏହି ବଡ଼ ପ୍ରୋଜେକ୍ଟର ଘୋଷଣା କରିବ ୟସରାଜ ଫିଲ୍ମ୍ସ।

ପଠାନ୍ ସହ ଦୁଇ ବର୍ଷ ପରେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି କିଙ୍ଗ ଖାନ୍ ଶାହରୁଖ। ୨୦୧୮ ତାଙ୍କ ଫିଲ୍ମ ‘ଜିରୋ’ ଫ୍ଲପ୍ ହେବାପରେ ସେ ଆଉ କୌଣସିଥିରେ ନଜର ଆସିନଥିଲେ। ଜନଙ୍କ ସହ ସେ ପ୍ରଥମ ଥର ନଜର ଆସୁଥିବାରୁ ପ୍ରଶଂସକ ବେଶ ଉତ୍ସାହିତ ଅଛନ୍ତି। ପୂର୍ବରୁ ମଧ୍ୟ ୟସରାଜ ଫିଲ୍ମ୍ସ ଅମିତାଭ ବଚ୍ଚନ- ଆମିର ଖାନଙ୍କୁ ଥଗ୍ସ ଅଫ୍ ହିନ୍ଦୁସ୍ଥାନରେ, ହ୍ରିତିକ୍ ରୋଶନ୍-ଟାଇଗର ସ୍ରଫଙ୍କୁ ବ୍ଲକବଷ୍ଟର ଫିଲ୍ମ ୱାରରେ ଏକାଠି ଆଣି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଛି। ଏବେ ପଠାନର ରିଲିଜ ଅପେକ୍ଷାରେ ପ୍ରଶଂସକ।