ଗ୍ୟାଙ୍ଗଷ୍ଟର ହସିନାଙ୍କୁ ଦେଖି ଥଣ୍ଡା ପଡ଼ିଯାଇଥିଲେ ନିର୍ଦ୍ଦେଶକ ଅପୂର୍ବ ଲାଖିଆ

‘ସୁଟ୍‌ ଆଉଟ୍‌ ଆଟ୍‌ ଲୋଖଣ୍ଡୱାଲା’, ‘ଜଂଜିର’, ‘ହସିନା ପାର୍କର’ ନିର୍ମାତା ଅପୂର୍ବ ଲାଖିଆ ନିକଟରେ ଏକ ସାକ୍ଷାତ ଆଲୋଚନାରେ ଭାଗ ନେଇ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦାଉଦ୍‌ ଇବ୍ରାହିମର ଭଉଣୀ ହସିନା ପାର୍କରଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ମନେ ପକାଇଥିଲେ ।

ମହିଳା ଗ୍ୟାଙ୍ଗଷ୍ଟର ହସିନାଙ୍କ ଆଖିର ଈଶାରା ଓ ସାଙ୍କେତିକ କଥାକୁ ତାଙ୍କର ଅନୁଚରମାନେ ନିରବରେ ପାଳନ କରୁଥିଲେ ଯାହା ଅପୂର୍ବଙ୍କୁ ପ୍ରଭାବିତ କରୁଥିଲା । ପରଦା ଆଢୁଆଳରେ ରହି ଦୁର୍ଦ୍ଦାନ୍ତ ଅନ୍ଧାରୀ ମୁଲକକୁ ସମ୍ଭାଳିବା ହସିନା ପାର୍କରଙ୍କ ଭଳି ଦୃଢ଼ମନା ମହିଳା ହିଁ କରିପାରନ୍ତି ବୋଲି ଅପୂର୍ବଙ୍କ ହୃଦବୋଧ ହୋଇଥିଲା ।
ହସିନାଙ୍କର ବ୍ୟକ୍ତିତ୍ୱ ପ୍ରତି ଖୁବ୍‌ ପ୍ରଭାବିତ ହୋଇ ଯାଇଥିଲେ ଅପୂର୍ବ । ହସିନାଙ୍କ ମୁହଁର ତେଜ ନିକଟରେ ପ୍ରତିପକ୍ଷ ନଇଁବାକୁ ବାଧ୍ୟ ହେଉଥିଲେ ।

ଅପୂର୍ବ କହନ୍ତି, ସମୀର ନାମକ ଜଣେ ଯୁବକ (ଦାଉଦ୍‌ର ଦୂର ସଂପର୍କୀୟ) ତାଙ୍କୁ ଭେଟି ଦାଉଦ୍‌ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲା । ବହୁ ଗ୍ୟାଙ୍ଗଷ୍ଟରଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିଥିବା ଅପୂର୍ବ ସମୀରଙ୍କ ପ୍ରସ୍ତାବକୁ ସଂପୂର୍ଣ୍ଣ ଏଡାଇ ଦେଇ ନଥିଲେ । ଆଲୋଚନା ଛଳରେ ଅପୂର୍ବ ଗ୍ୟାଙ୍ଗଷ୍ଟର ଦାଉଦ୍‌ ଓ ହସିନା ମଧ୍ୟରେ ଥିବା ସଂପର୍କକୁ ଗମ୍ଭୀରତାର ସହ ଅନୁଧ୍ୟାନ କରିଥିଲେ । ସବୁକିଛି ଶୁଣିବା ପରେ ସେ ଦାଉଦ୍‌ ବଦଳରେ ହସିନାଙ୍କ ସଂଘର୍ଷଭରା ଜୀବନୀକୁ କେନ୍ଦ୍ର କରି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
ହସିନାଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ପୂର୍ବରୁ ଅନ୍ତତଃପକ୍ଷେ ତାଙ୍କୁ ଥରେ ସାକ୍ଷାତ କରିବା ଜରୁରୀ ବୋଲି ଅପୂର୍ବ ଅନୁଭବ କରିଥିଲେ । ମାତ୍ର ହସିନାଙ୍କ ସହ କିପରି ଓ କୋଉଠି

ଭେଟିବା ଉଚିତ ହେବ, ସେ ସଂପର୍କରେ କିଛି ସ୍ଥିର କରିପାରିଲେନି ।
ହସିନାଙ୍କୁ ଭେଟିବା ପାଇଁ ଆଗ୍ରହୀ ଥିଲେ ମଧ୍ୟ ମନେମନେ ଡରୁଥିଲେ ଅପୂର୍ବ । ଗ୍ୟାଙ୍ଗଷ୍ଟରଙ୍କ ମୁଣ୍ଡ, ଟିକିଏ ଟିକିଏ କଥାରେ ବନ୍ଧୁକ ଚଲାଇବାର ଝୁଙ୍କ ।
ମାଲାଡର କୌଣସି ଏକ ଅଜଣା ସ୍ଥାନରେ ହସିନାଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା ରାତି ପ୍ରାୟ ସାଢେ଼ ୮ଟାରେ । ଠିକଣା ସମୟରେ ମାଲାଡ ଅଂଚଳର ଜନଗହଳିପୂର୍ଣ୍ଣ ସଡ଼କରେ ଅପୂର୍ବଙ୍କ ଗାଡ଼ିକୁ ଠଉରାଇ ପାରିଥିଲେ ହସିନାଙ୍କ ଅନୁଚର ।

ଆଖି ପିଛୁଳାକେ ଟ୍ରାଫିକ୍‌ ଜାମ୍‌ ହଟାଇ ଦିଆଗଲା ଖାସ୍‌ କରି ଅପୂର୍ବଙ୍କ ଗାଡ଼ି ପାଇଁ । ଅପୂର୍ବଙ୍କୁ ସାଙ୍ଗରେ ଧରି ବାଟ କଢ଼ାଇ ଚାଲିଥିଲା ସମୀର । ଠିକଣା ଜାଗାକୁ ହସିନା ଆସିଲେ, ମାତ୍ର ଦୁଇଘଂଟା ବିଳମ୍ବରେ । ତା’ର କାରଣ ବଡ଼ ବିଚିତ୍ର । ହସିନାଙ୍କୁ ଦୁଇଘଂଟା ଅପେକ୍ଷା କରାଇ ଥିବାରୁ ଅପୂର୍ବଙ୍କୁ ତା’ର ପରିଣାମ ଭୋଗିବାକୁ ପଡ଼ିଲା ।
ହସିନା ପାର୍କର’ ଚଳଚ୍ଚିତ୍ରଟି ଶୁଭମୁକ୍ତି ଲାଭ କରିଥିଲା । ମାତ୍ର ଖୋଦ୍‌ ହସିନା ଉକ୍ତ ଚଳଚ୍ଚିତ୍ରଟିକୁ ଦେଖି ପାରିଲେନି । ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ହସିନା ଇହଧାମରୁ ବିଦାୟ ନେଇଥିଲେ ।
ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ହୋଇ ନଥିଲା । ନିର୍ଦ୍ଦେଶକ ଅପୂର୍ବ ଲାଖିଆ ଉକ୍ତ ଚଳଚ୍ଚିତ୍ର ନିର୍ମାଣ ବାବଦକୁ ଚୁକ୍ତି ମୁତାବକ ପାରିଶ୍ରମିକ ପାଇ ନଥିଲେ ।
ଚଳଚ୍ଚିତ୍ରଟିକୁ ନିର୍ମାଣ କରିବା ନିଷ୍ପତି ଠିକ ନଥିଲା ବୋଲି କହିଥିଲେ ଅପୂର୍ବ । ତାଙ୍କ ମତରେ ଚଳଚ୍ଚିତ୍ରଟି ବିଦେଶରେ ମୁକ୍ତିଲାଭ କରି ପାରିଲାନି । ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାର କିଛିଦିନ ଭିତରେ ତା’ର ପ୍ରଯୋଜକଙ୍କ ନିଧନ ଘଟିଥିଲା ।