ବଲିଉଡ୍ ଓ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଚର୍ଚ୍ଚିତ ଅଭିନେତ୍ରୀ ହଂସିକା ମତୱାନୀ । ଇତି ମଧ୍ୟରେ ତାଙ୍କର ବୈବାହିକ ଜୀବନକୁ ତିନିବର୍ଷ ବିତିଗଲାଣି । ସ୍ୱାମୀ ସୋହେଲ କାଠୁରିଆଙ୍କ ସହିତ ବେଶ ଖୁସିର ସହିତ ବସବାସ କରୁଛନ୍ତି ହଂସିକା । ଗତ କିଛି ମାସ ଧରି ହଂସିକା ତାଙ୍କ ମା’ଙ୍କ ସହିତ ରହୁଛନ୍ତି ।
ସ୍ୱାମୀଙ୍କୁ ଛାଡ଼ି ମା’ଙ୍କ ପାଖରେ କ’ଣ ପାଇଁ ରହୁଛନ୍ତି ? ସେ ବିଷୟରେ ଉଭୟ ହଂସିକା ଓ ସୋହେଲ ନିରବତା ରକ୍ଷା କରୁଛନ୍ତି । ସୋସିଆଲ ମିଡିଆରେ ଆଉ ଦେଖିବାକୁ ମିଳୁନି ହଂସିକା-ସୋହେଲଙ୍କ ଯୁଗଳ ଫଟୋ । ପ୍ରିୟ ଅଭିନେତ୍ରୀଙ୍କ ବୈବାହିକ ଜୀବନ ଉପରେ କାହାର ଖରାପ ଦୃଷ୍ଟି ପଡ଼ିଗଲା କି ?
ପ୍ରଶଂସକଙ୍କ ମହଲରେ ଏପରି ନାନା ଆଲୋଚନା ଚାଲିଛି । କିନ୍ତୁ ଅସଲ କଥା ହେଉଛି, ହଂସିକାଙ୍କ ବୈବାହିକ ଜୀବନରେ କାହାରି ଖରାପ ଦୃଷ୍ଟି ପଡ଼ିନି । ବରଂ କୃତକର୍ମର ପରିଣାମ ଭୋଗୁଛନ୍ତି ହଂସିକା । ଏ ପ୍ରକାର ମନ୍ତବ୍ୟ ହଂସିକାଙ୍କର କିଛି ଘନିଷ୍ଠ ବାନ୍ଧବୀଙ୍କ ନିକଟରୁ ଶୁଣିବାକୁ ମିଳିଛି ।
କଥାଟି ହେଉଛି, ସୋହେଲ କାଠୁରିଆଙ୍କ ପ୍ରଥମ ପତ୍ନୀ ରିଙ୍କି ବଜାଜ ଏକଦା ହଂସିକାଙ୍କର ପ୍ରିୟ ବାନ୍ଧବୀ ଥିଲେ । ୨୦୧୬ ମସିହାରେ ସୋହେଲ ଓ ରିଂକି ବୈବାହିକ ବନ୍ଧନରେ ଆବଦ୍ଧ ହୋଇଥିଲେ । ସୋହେଲ-ରିଙ୍କିଙ୍କ ବୈବାହିକ ଜୀବନରେ ଝଡ଼ ଭଳି ପଶିଲେ ହଂସିକା ।
ରିଂକିଙ୍କ ନିକଟରୁ ଛାଡ଼ପତ୍ର ନେଇ ସୋହେଲ ବିବାହ କଲେ ହଂସିକାଙ୍କୁ । ଜୟପୁରରେ ଏକ ରାଜକୀୟ ଥାଟବାଟରେ ଉଭୟଙ୍କର ବିବାହ ସଂପନ୍ନ ହୋଇଥିଲା । ବହୁ ଚର୍ଚ୍ଚିତ ଚେହେରାଙ୍କୁ ସେହି ବିବାହରେ ଦେଖିବାକୁ ମିଳିଥିଲା ।
ବଲିଉଡ୍ ଦୁନିଆର ନାମୀଦାମୀ କଳାକାର, ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ହଂସିକାଙ୍କ ବାହାଘରକୁ ଏକ ରିଆଲିଟି ସୋ’ କରି ଦେଇଥିଲେ । ଏତେ ଆଡମ୍ବରପୂର୍ଣ୍ଣ ବିବାହର ସମୟ ମାତ୍ର ତିନିବର୍ଷ!