ମୁମ୍ବାଇ: ପୁଣି ଥରେ ବିବାଦ ଘେରରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ। ଏବେ ତାଙ୍କ ନାଁ ରେ ଅଭିଯୋଗ କରିଛନ୍ତି ପ୍ରସିଦ୍ଧ ସଙ୍ଗୀତକାର ଜାବେଦ ଅଖତର । ଜାବେଦ ଅଭିଯୋଗ କରିଛନ୍ତି ଯେ କଙ୍ଗନା ଟେଲିଭିଜନ୍ର ଏକ ସାକ୍ଷାତକାରରେ ତାଙ୍କ ବିରୁଦ୍ଧରେ ଅପମାନଜନକ ଓ ଭିତ୍ତିହୀନ ମନ୍ତବ୍ୟ ଦେଇଛନ୍ତି। ଯାହା ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି। ଜାଭେଦ୍ ମୁମ୍ବାଇର ଅନ୍ଧେରିସ୍ଥିତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ ଆଣି ମାନହାନି ବିଭାଗରେ କଙ୍ଗନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏପଟେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ହୋଇଥିବା ବିବାଦରେ କଙ୍ଗନା ଅଯଥା ତାଙ୍କ ନାଁକୁ ଟାଣିଥିବା କହିଛନ୍ତି ।
ଅନ୍ୟପଟେ କିଛି ଦିନ ପୂର୍ବରୁ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କ ବିରୋଧରେ ଧାର୍ମିକ ଭାବନାକୁ ଭଡ଼କେଇବା ଭଳି ବୟାନବାଜି ଦେବା ମାମଲାରେ ମୁମ୍ବାଇ ପୁଲିସ୍ ପକ୍ଷରୁ ଏକ ଏଫଆଇଆର ଦାଖଲ କରାଯାଇଥିଲା। ଆସନ୍ତା ୧୦ରେ ମୁମ୍ବାଇ ପୁଲିସ୍ ଉଭୟ ଭଉଣୀଙ୍କୁ ଏ ବାବଦରେ ପଚରାଉଚରା ପାଇଁ ଡକାଇଛି।
ଶିବସେନା ନେତା ସଞ୍ଜୟ ରାଉତ ଏକ ଟ୍ୱିଟ୍ କରି ଏହି ସୂଚନା ଦେବା ପରେ କଙ୍ଗନା ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ସଞ୍ଜୟ ରାଉତଙ୍କ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି, ‘ଗୋଟେ ଥିଲା ସିଂହୀ ଏବଂ ଗୋଟିଏ ଥିଲା ବିଲୁଆଙ୍କ ପଲ’। ଲୋକମାନେ କଙ୍ଗନା ରାନାୱତଙ୍କ ଟ୍ୱିଟରେ ଅନେକ ମନ୍ତବ୍ୟ ଦେଉଛନ୍ତି ଏବଂ ସେମାନଙ୍କ ମତାମତ ଦେଉଛନ୍ତି। କିଛିଲୋକ ତାଙ୍କୁ ସମର୍ଥନ କରିଥିବାବେଳେ କିଛି ତାଙ୍କୁ ସମାଲୋଚନା କରିଛନ୍ତି।