ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ୟୁଏଇରେ ରିଲିଜ ହେବ ‘ଲକ୍ଷ୍ମୀ ବମ୍ବ୍’

ମୁମ୍ବାଇ: ଆସନ୍ତା ନଭେମ୍ବର ୯ ତାରିଖରେ ଡିସନୀ ପ୍ଲସ୍ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ଖିଲାଡ଼ି ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ହରର୍ ଫିଲ୍ମ ‘ଲକ୍ଷ୍ମୀ ବମ୍ବ୍’। ସମାନ ତାରିଖରେ ଏହା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ୟୁଏଇର ଥିଏଟର ପରଦାରେ ମଧ୍ୟ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଫିଲ୍ମର ପ୍ରଯୋଜକ ତଥା ବିଲିଉଡ଼୍ ଅଭିନେତା ତୁଷାର କପୁର।

ଲକ୍ଷ୍ମୀ ବମ୍ବର ନୂଆ ପୋଷ୍ଟର ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ତୁଷାର। ପୂର୍ବରୁ ଏହି ଫିଲ୍ମର ମୋଶନ୍ ପୋଷ୍ଟରକୁ ରିଲିଜର ୨୪ ଘଣ୍ଟା ଭିତରେ ୨୧ ମିଲିଅନ୍ ଲୋକ ଦେଖିଥିଲେ ଯାହାକି ରେକର୍ଡ଼ ସୃଷ୍ଟି କରିଥିଲା।

‘ଲକ୍ଷ୍ମୀ ବମ୍ବ୍’ ହେଉଛି ତାମିଲ୍ ଫିଲ୍ମ ‘କଞ୍ଚନା’ର ହିନ୍ଦୀ ରିମେକ୍। ଏହି ହରର ଫିଲ୍ମରେ ଅକ୍ଷୟ ଜଣେ କିନ୍ନର ଭୁମିକାରେ ନଜର ଆସିବେ। କଞ୍ଚନାରେ ଅଭିନୟ କରିସାରିଥିବା ତାମିଲ୍ ଅଭିନେତା ରାଘବ ଲରେନ୍ସ ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ଫିଲ୍ମରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ କିଆରା ଆଡ଼ଭାନୀ। ଯିଏ କି ଅକ୍ଷୟଙ୍କ ଠାରୁ ବୟସରେ ୨୫ ବର୍ଷ ସାନ।

କୋଭିଡ଼ କଟକଣା ଭିତରେ ପୂର୍ବରୁ ଥରେ ସିନେମାର ରିଲିଜ ଡେଟ୍ ଘୁଞ୍ଚି ସାରିଛି। ପ୍ରଥମେ ଏହା ମେ ୨୨ ତାରିଖରେ ରିଲିଜ ହେବାର ଥିଲା। ସେବେ ସେତେବେଳକୁ ସିନେମା ହଲ୍ ବନ୍ଦ ହୋଇସାରିଥିଲା ଏବଂ ସୁଟିଂ କିଛି ବାକି ଥିଲା। ପରେ ଏହାକୁ ଓଟିଟି(ଅନ ଲାଇନ) ପ୍ଲାଟଫର୍ମରେ ରିଲିଜ କରାଯିବା ନେଇ ଘୋଷଣା ହୋଇଥିଲା। ଏବେ ତାହା ଡିସନୀ ପ୍ଲସ ହଟଷ୍ଟାର ଭିଆଇପିରେ ମୁକ୍ତିଲାଭ କରିବ।

ନିକଟରେ ଅଙ୍ଗ୍ରେଜି ମିଡ଼ିୟମ୍, ଧୂମକେତୁ, ଶକୁନ୍ତଳା ଦେବୀ, ଗୁଞ୍ଜନ ସକ୍ସେନା ଭଳି ସିନେମା ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି। ଏଗୁଡ଼ିକ ମଧ୍ୟରୁ କିଛି ଫିଲ୍ମ ଭଲ ବ୍ୟବସାୟ କରିଛନ୍ତି। ତେବେ ଅକ୍ଷୟଙ୍କ ସିନେମା ୧୨୫ କୋଟି ଟଙ୍କାରେ ଓଟିଟି ପ୍ଲାଟଫର୍ମରେ ବିକ୍ରି ହେବାକୁ ଚୂଡ଼ାନ୍ତ ହୋଇଛି।