କଙ୍ଗନା-ରଙ୍ଗୋଲିଙ୍କୁ ମୁମ୍ବାଇ ପୋଲିସର ସମନ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣୌତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ସମନ ପଠାଇଛି ମୁମ୍ବାଇ ପୋଲିସ୍ । କିଛି ଦିନ ତଳେ ଉଭୟଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ମାମଲାରେ ମୁମ୍ବାଇ ପୋଲିସ୍ ଏକ ମାମଲା ରୁଜୁ କରିଥିଲା। ଏବେ ଏହି ମାମଲାରେ ପଚରାଉଚୁରା ପାଇଁ ମୁମ୍ବାଇ ପୋଲିସ୍ ୨ଭଉଣୀଙ୍କୁ ସମନ ପଠାଇଛି।

ସୂଚନା ଅନୁସାରେ, ମୁମ୍ବାଇ ପୋଲିସ୍ ୨ଭଉଣୀଙ୍କୁ ନଭେମ୍ବର ୧୦ତାରିଖରେ ପଚରାଉଚୁରା ପାଇଁ ଡକାଇଛି। ଏହା ପୂର୍ବରୁ ମଧ୍ୟ ୨ଜଣଙ୍କୁ ନୋଟିସ୍ ପଠାଯାଇଥିଲା । ହେଲେ ଘରେ ବିବାହ ହେବା କାରଣରୁ ସେ ଉପସ୍ଥିତ ହୋଇ ପାରିବେ ନାହିଁ ବୋଲି କଙ୍ଗନା କହିଥିଲେ। ଏବେ ଅଭିନେତ୍ରୀଙ୍କୁ ପଚରାଉଚୁରା ପାଇଁ ବାନ୍ଦ୍ରା ପୋଲିସ୍ ନୂଆ ତାରିଖ ପଠାଇଛି। ଆବେଦନରେ କଙ୍ଗନାଙ୍କ ବିରୋଧରେ ଧାର୍ମିକ ଭାବନାକୁ କୁଠାରଘାତ,କଳାକାରଙ୍କୁ ହିନ୍ଦୁ-ମୁସଲିମ୍ ମଧ୍ୟରେ ବାଣ୍ଟିବା ଏବଂ ସାମାଜିକ ଏକତା ଭଙ୍ଗ କରିବାର ଅଭିଯୋଗ ଲଗାଯାଇଛି। ଅନ୍ୟପଟେ କିଛି ଦିନ ତଳେ କଙ୍ଗନାଙ୍କ ଭାଇ କରଣଙ୍କ ବିବାହ ହୋଇଛି ଏବଂ ଖୁବ୍ ଶୀଘ୍ର କଙ୍ଗନାଙ୍କ ଭାଇ ଅକ୍ଷତଙ୍କ ମଧ୍ୟ ବିବାହ ହେବାକୁ ଯାଉଛି।