ଏନଏସଡିର ନୂଆ ଅଧ୍ୟକ୍ଷ ପରେଶ ରାୱଲ

ନୂଆଦିଲ୍ଲୀ: ବରିଷ୍ଠ ବଲିଉଡ଼୍ ଅଭିନେତା ପରେଶ ରାୱଲ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା(ଏନଏସଡି)ର ନୂତନ ଅଧ୍ୟକ୍ଷ ହୋଇଛନ୍ତି। ତାଙ୍କୁ ମହାମହିମ ରାଷ୍ଟ୍ରପତି ଏହି ନୂତନ ପଦବୀରେ ନିଯୁକ୍ତି ଦେଇଛନ୍ତି। ୨୦୧୭ ମସିହାରୁ ଏହି ପଦବୀ ଖାଲି ପଡ଼ିଥିଲା।

ଦେଶର ଏହି ପ୍ରମୁଖ ତଥା ସୁନାମଧନ୍ୟ ନାଟ୍ୟ ଶିକ୍ଷାନୁଷ୍ଠାନରୁ ଉତୀର୍ଣ୍ଣ ହୋଇ ବହୁ ପ୍ରତିଭା ଆଜି ଦେଶବ୍ୟାପୀ ଲୋକପ୍ରିୟ। ପରେଶ ରାୱଲଙ୍କ ଭଳି ଜଣେ ଅଭିଜ୍ଞ କଳାକାର ଏହାର ଅଧ୍ୟକ୍ଷ ହେବାଦ୍ବାରା ତାଙ୍କ ମାର୍ଗଦର୍ଶନରେ ଏନଏସଡି ଆହୁରି ଉପରକୁ ଉଠିବ ବୋଲି ସଂସ୍ଥା ପକ୍ଷରୁ ଟ୍ୱିଟକରି ଦର୍ଶାଯାଇଛି।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମଧ୍ୟ ପରେଶଙ୍କ ନିଯୁକ୍ତି ଯୋଗୁଁ ଛାତ୍ରଛାତ୍ରୀ ତାଙ୍କ ପ୍ରତିଭାର ଭରପୁର ଲାଭ ଉଠାଇବେ ବୋଲି କହିଛନ୍ତି। ଏହି ଅବସରରରେ ସେ ପରେଶ ରାୱଲଙ୍କୁ ଶୁଭେଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ବିଶିଷ୍ଠ ନାଟ୍ୟକାର ରତନ୍ ଥିୟାମ ୨୦୧୩ ରୁ ୨୦୧୭ ଯାଏଁ ଏନଏସଡିର ଅଧ୍ୟକ୍ଷ ଭାର ତୁଲାଇଥିଲେ। ହେଲେ ତାଙ୍କ ପରେ ମୂଳ ପଦବୀଟି ଖାଲି ପଡ଼ିଥିଲା। ଏବେ ନାଟ୍ୟକାର ଅର୍ଜୁନ ଦେଓ ଚରଣ ସଂସ୍ଥାର କାମଚଳା ଅଧ୍ୟକ୍ଷ ଦାୟିତ୍ୱ ମୁଣ୍ଡାଇଛନ୍ତି।