ଖୁବ୍‌ଶୀଘ୍ର ବାହା ହେବେ ପ୍ରଭୁ ଦେବା !

ମୁମ୍ବାଇ : ଖୁବ୍‌ଶୀଘ୍ର ବାହା ହେବେ ପ୍ରଭୁ ଦେବା । ଉଭୟ ବଲିଉଡ୍ ଓ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକାଧାରରେ ଜଣେ ଡ୍ୟାନ୍ସ କୋରିଓଗ୍ରାଫର, ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ପ୍ରଭୁ ଦେବା ପରିଚିତ । ୨୦୧୧ରେ ପତ୍ନୀ ରାମଲତାଙ୍କ ଠାରୁ ସେ ଅଲଗା ହୋଇଯାଇଥିଲେ ପ୍ରଭୁ ଦେବା। ଅଭିନେତ୍ରୀ ନୟନତାରାଙ୍କ ସହିତ ପ୍ରଭୁ ଦେବାଙ୍କ ସଂପର୍କ ବଢ଼ିବା ପରେ ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଦେଖାଯାଇଥିଲା। ଶେଷରେ ଏହା ଛାଡ଼ପତ୍ରରେ ଶେଷ ହୋଇଥିଲା। କିନ୍ତୁ ନୟନତାରାଙ୍କ ସହିତ ବି ପ୍ରଭୁଙ୍କ ସଂପର୍କ ତିଷ୍ଠି ପାରିଲା ନାହିଁ। ୨୦୧୨ରେ ନୟନତାରା ବି ପ୍ରଭୁଙ୍କଠାରୁ ଦୂରେଇ ଯାଇଥିଲେ।

ତେବେ ଇ-ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରଭୁ ତାଙ୍କର ଜଣେ ଭାଣିଜୀଙ୍କୁ ଡେଟ୍ କରୁଛନ୍ତି । ସେମାନେ ଖୁବ୍‌ଶୀଘ୍ର ବାହା ହେବେ ବୋଲି କୁହାଯାଉଛି। କିନ୍ତୁ ପ୍ରଭୁ ଦେବା କିମ୍ବା ତାଙ୍କ ଅଫିସ୍ ପକ୍ଷରୁ ଏ ସଂପର୍କରେ କିଛି କୁହାଯାଇନାହିଁ। ପ୍ରଭୁ ଦେବା ଏବେ ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ରାଧେ’ରେ କାମ କରୁଛନ୍ତି। ସେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ସଲମାନ ଖାନ୍‌ଙ୍କ ଫିଲ୍ମ ‘ଦବଙ୍ଗ-୩’ର ନିର୍ଦ୍ଦେଶନା ମଧ୍ୟ ପ୍ରଭୁ ଦେବା ଦେଇଥିଲେ। ସେହିପରି ଆଗକୁ ସାଉଥ୍‌ର କିଛି ଫିଲ୍ମରେ ପ୍ରଭୁଙ୍କୁ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିବ।