ଆର୍ଯ୍ୟନଙ୍କ ଗିରଫ ରୋକିବା ପାଇଁ ଦିଆଯାଇଥିଲା ୫୦ ଲକ୍ଷ!

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଆର୍ଯ୍ୟନଙ୍କ ଗିରଫ ରୋକିବା ପାଇଁ ଶାହରୁଖଙ୍କ ମ୍ୟାନେଜର ୫୦ ଲକ୍ଷ ଟଙ୍କାର ଡିଲ କରିଥିଲେ । ଏନ୍‌ସିବିର ସାକ୍ଷୀ ତଥା ଆର୍ଯ୍ୟନଙ୍କ ସହ ସେଲ୍ଫି ନେଇଥିବା ବ୍ୟକ୍ତି କିରଣ ଗୋସାଭିଙ୍କୁ ଦେଇଥିଲେ । କିନ୍ତୁ ଏହା ଅସମ୍ଭବ ଅନୁଭବ କରିବା ପରେ ସେ ଟଙ୍କା ଫେରାଇ ନେଇଥିଲେ । ଏନେଇ ସାମ ଡି’ସୁଜା ଏକ ସାକ୍ଷାତକାରରେ କହିଛନ୍ତି ।

ସାମ୍‌ ଡି’ସୁଜା କହିଛନ୍ତି ଯେ, ଦାଦଲାନି ଡ୍ରଗ୍ସ ମାମଲାରେ କେ ପି ଗୋସାଭି ନାମକ ସାକ୍ଷୀଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଗୋସାଭି ଜଣେ ଠକ ବୋଲି ଜାଣିବା ପରେ ଦାଦଲାନି ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ । ସୂଚନା ଅନୁସାରେ ଏନ୍‌ସିବିର ସାକ୍ଷୀ ପ୍ରଭାକର ସେଲ ନିକଟରେ ଦାଖଲ କରିଥିବା ନିଜର ଏକ ଆଫିଡେଭିଟ୍‌ରେ ସାମ୍‌ ଡି’ସୁଜାଙ୍କ ନାଁ ଉଠାଇଥିଲେ । ଜଣେ ବ୍ୟକ୍ତି କାର ଭିତରକୁ ଯାଇ ଦୁଇଟି ବ୍ୟାଗ ସେଲଙ୍କୁ ଦେଇଥିଲେ, ଯାହାକୁ ନେଇ ସେ ଟ୍ରାଇଡେଣ୍ଟ ହୋଟେଲରେ ଡି’ସୁଜାକୁ ଦେଇଥିଲେ । ଏହି ପ୍ରମାଣପତ୍ରରେ ଦର୍ଶାଯାଇଛି ଯେ ଡି’ସୁଜା ଏହି ଟଙ୍କା ଗଣିବା ପରେ ଏହା ମାତ୍ର ୩୮ ଲକ୍ଷ ଟଙ୍କା ବୋଲି କହିଥିଲେ । କିନ୍ତୁ ସେଲ୍‌ ଦାବି କରିଥିଲେ ଯେ, ଗୋସାଭି ଏବଂ ଅନ୍ୟମାନେ ୨୫ କୋଟି ଟଙ୍କାର ଡିଲ ଉପରେ ଚର୍ଚ୍ଚା କରିଥିଲେ, ଯେଉଁଥିରୁ ୮ କୋଟି ଟଙ୍କା ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଦିଆଯାଇଥାନ୍ତା ।