ବିବାହର ସାତବର୍ଷ ପରେ ସ୍ୱାମୀଙ୍କ ନିକଟରୁ ଅଲଗା ହେଲେ ସାଇନା ନେହୱାଲ

ଅଲିମ୍ପିକ କ୍ରୀଡ଼ାରେ କାଂସ୍ୟ ପଦକ ବିଜୟିନୀ ବ୍ୟାଡ୍‌ମିଂଟନ ତାରକା ସାଇନା ନେହୱାଲ ଅବଶେଷରେ ତାଙ୍କ ସ୍ୱାମୀ ପାରୁପଲ୍ଲୀ କାଶ୍ୟପଙ୍କ ନିକଟରୁ ଛାଡ଼ପତ୍ର ଗ୍ରହଣ କରିଛନ୍ତି । ୨୦୧୮ ଡିସେମ୍ବର ୧୪ ତାରିଖରେ ସାଇନା ପାରୁପଲ୍ଲୀଙ୍କୁ ଜୀବନ ସାଥି ରୂପେ ଗ୍ରହଣ କରିଥିଲେ ।

ରବିବାର ଦିନ ସାଇନା ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ବିବାହ ବିଚ୍ଛେଦ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଉଭୟଙ୍କ ସାକ୍ଷାତ ହାଇଦ୍ରାବାଦସ୍ଥିତ ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ହୋଇଥିଲା । ସାଇନାଙ୍କ ସ୍ୱାମୀ ପାରୁପଲ୍ଲୀ ମଧ୍ୟ ଜଣେ ବ୍ୟାଡ୍‌ମିଂଟନ ତାରକା ।

ସାଇନା ବିଶ୍ୱର ଏକ ନମ୍ବର ତାରକା ଭାବେ ପ୍ରସିଦ୍ଧି ଲାଭ କରିଥିଲେ । ସେ ଅଲିମ୍ପିକ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ କାଂସ୍ୟ ପଦକ ଜିତିଥିଲେ । କାଶ୍ୟପ ୨୦୧୪ ରାଷ୍ଟ୍ରଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।