ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଫରାହ ଖାନ । ସୁପରଷ୍ଟାର ଶାହରୁଖ ଖାନଙ୍କୁ ନେଇ ସେ ତିନୋଟି ଚଳଚ୍ଚିତ୍ର ତିଆରି କରିଥିଲେ । ତା’ ଭିତରୁ ଗୋଟିଏ ଚଳଚ୍ଚିତ୍ର ୪୦୦ କୋଟି ଟଙ୍କା ବ୍ୟବସାୟ କରିଥିଲା । ଷାଠିଏ ଦଶକ ଓ ସତୁରି ଦଶକରେ ବି’ ଗ୍ରେଡ୍ ଚଳଚ୍ଚିତ୍ର ତିଆରି କରୁଥିଲେ ଫରାହଙ୍କ ବାପା କାମରାନ୍ । ବଲିଉଡରେ ପ୍ରଥମେ ଷ୍ଟଂଟମ୍ୟାନ୍ ଓ ପରେ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଦାରା ସିଂଙ୍କୁ ନେଇ ସେ ବେକସୁର, ୱତନ୍ ସେ ଦୂର, ଇଲଜାମ ଓ ପାଂଚ ରତନ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ତାଙ୍କ ନିର୍ମିତ ଚଳଚ୍ଚିତ୍ର ଗୁଡ଼ିକ ଦର୍ଶକଙ୍କ ମନକୁ ଛୁଇଁଥିଲା । କାମରାନ ବଡ଼ ବଜେଟର ଚଳଚ୍ଚିତ୍ର ତିଆରି କରିବାକୁ ଆଗଭର ହେଲେ ।
ସାଇତି ରଖିଥିବା ସବୁ ଧନକୁ ନେଇ ଗୋଟିଏ ବ୍ୟବସାୟିକ ଚଳଚ୍ଚିତ୍ର ନିର୍ମାଣ କଲେ । ଚଳଚ୍ଚିତ୍ରଟିର ନାୟକ ଭୂମିକାରେ ଥିଲେ ସଞ୍ଜୀବ କୁମାର । ମାତ୍ର ଚଳଚ୍ଚିତ୍ରଟି ପୂର୍ଣ୍ଣାଙ୍ଗ ହୋଇପାରିଲାନି । କାମରାନଙ୍କ ଭବିଷ୍ୟତ ଅନ୍ଧାର ହୋଇଗଲା । ଲକ୍ଷ ଲକ୍ଷ ଟଙ୍କା କରଜ ଶୁଝିବା ଚିନ୍ତାରେ ନିଶାପାଣିକୁ ଆଦରି ନେଲେ । ମାନସିକ ଦୁଶ୍ଚିନ୍ତାରେ ବୁଡ଼ି ରହିଲେ । କୌଣସି ନିର୍ଦ୍ଦେଶକ ତାଙ୍କୁ କାମ ଦେଲେନି । ଦୀର୍ଘ ୧୩ ବର୍ଷ କାଳ ଦାରିଦ୍ର୍ୟ ଅନଟନ ଭିତରେ ରହି କାମରାନ୍ ଆଖି ବୁଜିଲେ । କାମରାନ୍ ମଲାବେଳକୁ ତାଙ୍କ ପକେଟରେ ଥିଲା ମାତ୍ର ୩୦ ଟଙ୍କା ।
ମାତ୍ର ପରିବାର ମୁଣ୍ଡରେ ରଖି ଦେଇଗଲେ ଲକ୍ଷାଧିକ ଟଙ୍କାର କରଜ । କାମରାନଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ପରିବାର ନିକଟରେ ଟଙ୍କାଟିଏ ନଥିଲା । ଚଳଚ୍ଚିତ୍ର କାହାଣୀକାର ସଲିମ ଖାନଙ୍କ ନିକଟରୁ କିଛି ଟଙ୍କା ନେଇ ତାଙ୍କ ପରିବାର କାମରାନଙ୍କ ଅନ୍ତ୍ୟେଷ୍ଟି ସମାପନ କରିଥିଲେ । କାମରାନଙ୍କ ଝିଅ ଫରାହ ଓ ପୁଅ ସାଜିଦ ସେତେବେଳେ ବହୁତ ସାନ ଥିଲେ । ବହୁତ କମ୍ ବୟସରୁ ତାଙ୍କୁ ପରିବାର ବୋଝ ମୁଣ୍ଡାଇବାକୁ ପଡ଼ିଥିଲା । ଦୁଇ ଭାଇଭଉଣୀ ବହୁତ ସଂଘର୍ଷ କରି ଚଳଚ୍ଚିତ୍ର ଜଗତରେ ତିଷ୍ଠି ରହିଲେ । ବାପାଙ୍କ କରଜକୁ ପରିଶୋଧ କଲେ ଓ ନିଜେ ଦୁନିଆ ଦରବାରରେ ଠିଆ ହେଲେ ।
ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବେ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଇଥିଲେ ଫରାହ । ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ହେଉଛି ଶାହରୁଖ ଅଭିନୀତ ‘ମେଁ ହୁଁ ନା’, ଶାହରୁଖଙ୍କୁ ନେଇ ସେ ପୁଣି ତିଆରି କଲେ ‘ଓମ୍ ଶାନ୍ତି ଓମ୍’ । ଏହି ଚଳଚ୍ଚିତ୍ରରେ ସେ ଦୀପିକା ପାଦୁକନଙ୍କୁ ବ୍ରେକ୍ ଦେଇଥିଲେ । ଶାହରୁଖ ଓ ଦୀପିକାଙ୍କୁ ନେଇ ସେ ତିଆରି କଲେ ‘ହାପି ନ୍ୟୁ ଇୟର୍ ।’ ଏବେ ଫରାହ ଜଣେ ଆଗଧାଡ଼ିର ନିର୍ଦ୍ଦେଶକ । କମେଡି ଦୁନିଆରେ ସାଜିଦ ଖାନଙ୍କ ନାମ ଆଗରେ ।