ଆଖି ବୁଜିଲେ ହାସ୍ୟ ଅଭିନେତା ଜୟପ୍ରକାଶ

ହ୍ରାଇଦ୍ରାବାଦ: ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଜୟପ୍ରକାଶ ରେଡ୍ଡିଙ୍କ ପରଲୋକ ହୋଇଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ବାସଭବନରେ ହୃଦଘାତରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି, ଅଭିନେତା, ସିନେ ନିର୍ମାତା ଶୋକବ୍ୟକ୍ତ କରିଛନ୍ତି।

ଜୟପ୍ରକାଶ ୧୦୦ ରୁ ଉର୍ଦ୍ଧ୍ୱ ଦକ୍ଷିଣ ଭାରତୀୟ ସିନେମାରେ ଅଭିନୟ କରିଛନ୍ତି। ଜଣେ ଜବରଦସ୍ତ ହାସ୍ୟ ଅଭିନେତା ଭାବେ ସେ ତେଲୁଗୁ ଓ ତାମିଲ୍ ସିନେ ଇଣ୍ଡଷ୍ଟ୍ରିରେ ବେଶ୍ ଜଣାଶୁଣା ଥିଲେ। ଏହାଛଡ଼ା ବହୁ ଚଳଚିତ୍ରରେ ସେ ଖଳନାୟକ ଭୁମିକାରେ ମଧ୍ୟ ନଜର ଆସିଛନ୍ତି। ତାଙ୍କ ଅଭିନୟର ଯାଦୁ କେବଳ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା କିମ୍ବା ଦକ୍ଷିଣ ଭାରତରେ ନୁହେଁ ବରଂ ସାରା ଭାରତରେ ତାଙ୍କୁ ପ୍ରସିଦ୍ଧି ଆଣିଥିଲା।

୧୯୮୮ରେ ଫିଲ୍ମ ‘ବ୍ରହ୍ମପୁତ୍ରୁଡୁ’ରୁ ସେ କ୍ୟାରିଅର ଆରମ୍ଭ କରିଥିବା ବେଳେ ସମରସିମା ରେଡ୍ଡି, ପ୍ରେମିନଚୁକୁଣ୍ଡମ୍, ନରସିଂହ ନାଇଡୁ, ନୁଭୋଷ୍ଟାନାନେ, ଜୁଲାଇ, ରେଡି, କିକ୍‌ ଭଳି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ଶେଷଥର ପାଇଁ ସେ ମହେଶ ବାବୁଙ୍କ ଅଭିନିତ ତେଲୁଗୁ ଫିଲ୍ମ ‘ସରେଇଳେରୁ ନିକେଭାରୁ’ ରେ ନଜର ଆସିଥିଲେ। ଯାହା ଚଳିତ ବର୍ଷ ଜାନୁଆରୀ ମାସରେ ରିଲିଜ ହୋଇଥିଲା।

ଜୟପ୍ରକାଶଙ୍କ ବିୟୋଗରେ ଟଲିଉଡ୍ ସୁପରଷ୍ଟାର ମହେଶ ବାବୁ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ପ୍ରଖ୍ୟାତ ଅଭିନେତା ଜୟପ୍ରକାଶଙ୍କ ଦେହାନ୍ତରେ ମୁଁ ମମାର୍ହତ। ସର୍ବୋତ୍ତମ ଅଭିନେତା-ହାସ୍ୟ ଅଭିନେତାମାନଙ୍କ ମଧ୍ୟରୁ ସେ ଜଣେ। ତାଙ୍କ ସହିତ କାମ କରିବାର ଅଭିଜ୍ଞତା ସର୍ବଦା ପ୍ରିୟ ହୋଇ ରହିବ ବୋଲି କହିଛନ୍ତି ମହେଶ ବାବୁ।