ଅଭିନେତା ଅନୁଭବଙ୍କ ଜୀବନରେ ନୂଆ ସାଧବ ବୋହୁ ଜାଗୃତି କେତେଦିନ? ଜାଗୃତିଙ୍କ ଅପରୂପ ଚେହେରା ଅଭିନେତା ଅନୁଭବଙ୍କୁ ପାଗଳ କରିଦେଲା ଭଳି ମନେହୁଏ । ସୋସିଆଲ ମିଡିଆରେ ଭାଇରାଲ୍ ଅଭିନେତା ଅନୁଭବ ଓ ତାଙ୍କ ଭାବି-ପତ୍ନୀ ଜାଗୃତି ଶୁକ୍ଲାଙ୍କ ନିର୍ବନ୍ଧ ଫଟୋକୁ ଯିଏ ଦେଖୁଛି, ସେମାନଙ୍କ ମନରେ ଏମିତି ଏକ ଖିଆଲ ଆପେ ଆପେ ପଶିଯାଉଛି ।
ଜାଗୃତିଙ୍କ ନିକଟରେ ଏପରି କିଛି କୁହୁକ ଅଛି ନିଶ୍ଚିତ, ତା’ ନହେଲେ କଟକିଆ ଅନୁଭବ ତାଙ୍କ ଅସଜଡ଼ା ଜୀବନକୁ ସଜାଡ଼ିବା ପାଇଁ ଜାଗୃତିଙ୍କୁ ବାଛିଛନ୍ତି କାହିଁକି? ଅନୁଭବ ଓ ଜାଗୃତିଙ୍କ ଛୋଟିଆ ସଂସାର ଦୀର୍ଘସ୍ଥାୟୀ ରହୁ, ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା । ଅନୁଭବଙ୍କ ପ୍ରତି ଆମ ମନରେ ଏଭଳି ଉଦାର ମନୋଭାବ କାହିଁକି? ବେଶ କିଛିଦିନ ଧରି ପ୍ରଥମ ପତ୍ନୀ ବର୍ଷାଙ୍କ ନିକଟରୁ ଅଦାଲତି ଚେଙ୍କ ଖାଇ ଅନୁଭବ ମାନସିକ ଓ ଶାରୀରିକ ଭାବେ ଭାଙ୍ଗି ପଡ଼ିଥିଲେ । ଅବଶ୍ୟ ଅଭିନେତ୍ରୀ ବର୍ଷା ମଧ୍ୟ ସମାନ ଦଶା ଭୋଗିଛନ୍ତି ।
ଓଡ଼ିଶା ବାହାରେ ଓ ସଂପୂର୍ଣ୍ଣ ବ୍ୟକ୍ତିଗତ ଭାବେ ଅନୁଭବ ଓ ଜାଗୃତିଙ୍କ ନିର୍ବନ୍ଧ ଶେଷ ହେବା ଅନୁଭବଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଉଭୟଙ୍କ ବିବାହ ସଂପର୍କରେ ନାନା କଥା ଶୁଣିବାକୁ ମିଳୁଛି । କେହି କେହି କହୁଛନ୍ତି ଯେ ସେମାନେ ଚଳିତ ମାର୍ଚ୍ଚ ୧୧ ତାରିଖରେ ବିବାହ କରିବେ । ତେବେ ଅନୁଭବଙ୍କ ପରିବାର ଏ ଦିଗରେ ପାଟି ଖୋଲିନାହାନ୍ତି । ଟିକେ ପଛକୁ ନେଇଯାଉଛୁ, ୨୦୧୪ ମସିହାରେ ଅଭିନେତ୍ରୀ ବର୍ଷାଙ୍କ ପାଣି ଗ୍ରହଣ କରିଥିଲେ ଅନୁଭବ ମହାନ୍ତି । ସେତେବେଳେ ସାରା ଓଲିଉଡ୍ ସେମାନଙ୍କ ଯୋଡ଼ିକୁ ବହୁତ ବହୁତ ଆଶୀର୍ବାଦ କରିଥିଲେ । ରୂପେଲି ପରଦାର ସାଧବ ବୋହୁ ବାସ୍ତବ ଜୀବନରେ ଏମିତି କ’ଣ କରି ପକାଇଲେ ଯେ ଅନୁଭବ ତାଙ୍କୁ ଛାଡ଼ପତ୍ର ଦେବାକୁ ଜିଦ୍ କଲେ । ୨୦୨୩ ଡିସେମ୍ବର ୨୧ ତାରିଖରେ ଅନୁଭବ ଓ ବର୍ଷାଙ୍କ ସଂପର୍କ ସବୁଦିନ ପାଇଁ ତୁଟିଗଲା ।
ବର୍ଷାଙ୍କୁ ‘ଗୁଡ୍ ବାଏ’ କରିବା ପରେ ଅନୁଭବଙ୍କ ଜୀବନରେ ପଶିଲେ ଜାଗୃତି । ଜାଗୃତିଙ୍କ ସଂପର୍କରେ ଆମେ ଏତିକି ଜାଣିଛୁ ଯେ ସେ ଅନୁଭବ ମହାନ୍ତିଙ୍କ ‘ଅଭିନୟ ଜୀବନରୁ ଆରମ୍ଭ କରି ରାଜନୈତିକ ଜୀବନ’ ପର୍ଯ୍ୟନ୍ତ ବିତି ଯାଇଥିବା ପ୍ରତିଟି ଅନୁଭୂତିକୁ ଲେଖୁ ଲେଖୁ ଅନୁଭବଙ୍କ ସହିତ ସବୁଦିନ ରହିବାର ଅଭିଳାଷ ପୋଷଣ କଲେ । ବିଚରା ଅନୁଭବ ଆଉ କ’ଣ କରି ପାରିଥାନ୍ତେ । ଅଭିନୟ ଜଗତ ସହିତ ଜାଗୃତିଙ୍କର କୌଣସି ସଂପର୍କ ନଥିବା ଦୃଷ୍ଟିରୁ ଦୁହିଁଙ୍କ ପାରିବାରିକ ଜୀବନ ଭଲରେ ଭଲରେ କଟିବ ବୋଲି ଆମେ ଆଶା କରୁଛୁ । ଆପଣ କ’ଣ ଭାବୁଛନ୍ତି?