ଆଜି ଅଭିନେତା ରଜନୀକାନ୍ତଙ୍କ ଜନ୍ମଦିନ

ତାମିଲ ସିନେଜଗତର ତାରକା ଅଭିନେତା ରଜନୀକାନ୍ତଙ୍କ ଜନ୍ମଦିନ ଆଜି। ୧୯୫୦ ଡିସେମ୍ବର ୧୨ରେ ସେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରେ ବହୁ ଘାତପ୍ରତିଘାତ ଦେଇ ସେ ଆଗକୁ ବଢ଼ିଲେ। ବାପା ତାଙ୍କର ପୁଲିସ୍ କନେଷ୍ଟବଳ ଥିଲେ, ମା’ ଗୃହିଣୀ। ମା’ ଅକାଳରେ ଚାଲିଯିବା ପରେ ତାଙ୍କ ପରିବାରର ଅନ୍ୟ ଲୋକମାନେ ନିଷ୍ପତ୍ତି ନେଇ ରଜନୀଙ୍କୁ ରାମକୃଷ୍ଣ ମିସନ୍ ଦ୍ବାରା ପରିଚାଳିତ ଏକ ମଠରେ ଛାଡ଼ିଲେ। ସେଇଠି ପାଠ ପଢ଼ି ସେ ବଡ଼ ହେଲେ। ପେଟ ପୋଷିବା ପାଇଁ ସେ ବସ୍‌ରେ କଣ୍ଡକ୍ଟର କାମ କରିଲେ। ସେଇ ସମୟରେ କେତେ‌ଜଣ ସାଙ୍ଗ ତାଙ୍କୁ ସିନେପାଠ୍ୟକ୍ରମ ପଢ଼ିବାକୁ ପରାମର୍ଶ ଦେଲେ, ​‌ଜଣେ ସାଙ୍ଗ ରଜନୀଙ୍କୁ ଅର୍ଥ ସହାୟତା ମଧ୍ୟ କରିଥିଲେ। ପାଠ ପଢ଼ିବା ସମୟରେ ତାମିଲ ଚଳଚ୍ଚିତ୍ର ନିର୍ଦେଶକ କେ.ବାଲଚନ୍ଦରଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହେଲା। ଦକ୍ଷିଣ ସିନେଜଗତରେ ଶୀର୍ଷରେ ପହଞ୍ଚିବା ପରେ ସେ ହିନ୍ଦୀ ସିନେଜଗତରେ ମଧ୍ୟ ତାଙ୍କ ଅଭିନୟର ପରାକାଷ୍ଠା ଦେଖାଇଥିଲେ। ଦାଦାସାହେବ ଫାଲ୍‌କେ ପୁରସ୍କାର, ପଦ୍ମଭୂଷଣ, ପଦ୍ମବିଭୂଷଣ ପୁରସ୍କାରରେ ସମ୍ମାନିତ ରଜନୀକାନ୍ତ ୭୧ ବର୍ଷ ବୟସରେ ମଧ୍ୟ ଅଭିନୟରେ ବେଶ୍ ସକ୍ରିୟ ଅଛନ୍ତି।