ଭାରତରେ ‘ରାମାୟଣ’ ଫିଲ୍ମ ରିଲିଜ୍ ତାରିଖ କୁ ନେଇ ଦ୍ଵନ୍ଦ

ରଣବୀର କପୁରଙ୍କ ଅଭିନୀତ ବହୁପ୍ରତୀକ୍ଷିତ ମେଗା ବଜେଟ୍ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ନିକଟରେ ଫିଲ୍ମର ଟ୍ରେଲର୍ ମୁକ୍ତିଲାଭ କରିବା ପରେ ପ୍ରଶଂସକମାନେ ଏହାକୁ ବଡ଼ ପରଦାରେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ତେବେ ଭାରତୀୟ ଦର୍ଶକଙ୍କୁ ଏହି ଫିଲ୍ମ ଦେଖିବା ପାଇଁ ଆଉ ଅଳ୍ପ କିଛି ଦିନ ଅଧିକ ଅପେକ୍ଷା କରିବାକୁ ପଡ଼ିପାରେ ।

ରାମାୟଣ’ ଫିଲ୍ମରେ ରଣବୀର କପୁର ଭଗବାନ ଶ୍ରୀରାମଙ୍କ ଭୂମିକାରେ, ସାଇ ପଲ୍ଲବୀ ମାତା ସୀତାଙ୍କ ଚରିତ୍ରରେ ଏବଂ ସାଉଥ୍ ସୁପରଷ୍ଟାର ୟଶ୍ ରାବଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ଆନ୍ତର୍ଜାତୀୟ ସ୍ତରରେ ନଭେମ୍ବର ୬, ୨୦୨୬ ରେ ମୁକ୍ତିଲାଭ କରିବାକୁ ଥିବା ବେଳେ, ଭାରତୀୟ ଦର୍ଶକ ଏହାକୁ ନଭେମ୍ବର ୮ ରେ ଦୀପାବଳି ଅବସରରେ ଦେଖିପାରିବେ। ଏକ ଗଣମାଧ୍ୟମ ସାକ୍ଷାତକାରରେ ପ୍ରଯୋଜକ ନମିତ ମାଲହୋତ୍ରା ନିଶ୍ଚିତ କରିଛନ୍ତି ଯେ, “ଭାରତରେ ଏହା ଦୀପାବଳି ଦିନ ହିଁ ରିଲିଜ୍ ହେଉଛି ।

ଇଂରାଜୀ ଟ୍ରେଲର୍‌ରେ ନଭେମ୍ବର ୬ ତାରିଖ ଦର୍ଶାଯିବା ନେଇ ପଚରାଯିବାରୁ ନମିତ ମାଲହୋତ୍ରା କହିଛନ୍ତି ଯେ, “ଆମେ ନଭେମ୍ବର ୬ ରେ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ରିଲିଜ୍ କରୁଛୁ। ବିଦେଶରେ ଫିଲ୍ମ ରିଲିଜ୍ ଶୁକ୍ରବାର ହିସାବରେ ହୋଇଥାଏ, ତେଣୁ ସେଠାରେ ଏହା ନଭେମ୍ବର ୬ (ଶୁକ୍ରବାର) ରେ ମୁକ୍ତିଲାଭ କରିବ। ମାତ୍ର ଭାରତରେ ଆମେ ଏହାକୁ ଦୀପାବଳି ପର୍ବର ଶୁଭ ଅବସରରେ ରବିବାର, ନଭେମ୍ବର ୮ ରେ ସିନେମାଘରକୁ ଆଣିବାକୁ ଯୋଜନା କରିଛୁ ।